pakka

ବେଦବ୍ୟାସଠାରେ ଝୁଲାପୋଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀପ ରାୟଙ୍କ ଚିଠି

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସ ଠାରେ ଝୁଲାପୋଲର ଆବଶ୍ୟକତା ନେଇ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଜଣାଇବା ସହ ଏହାଦ୍ୱାରା ଜିଲ୍ଲାର ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଜଣାଇଛନ୍ତି । ଚିଠିରେ ଶ୍ରୀ ରାୟ ଉଲ୍ଲେଖ କରିଛନ୍ତି ଯେ, ବିଶ୍ୱକପ ହକି ପ୍ରତିଯୋଗିତା ଆୟୋଜନ କରି ଓଡିଶା ତଥା ସୁନ୍ଦରଗଡ଼ ଜିଲ୍ଲାକୁ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇପାରିଛି । ହକି ଖେଳ ସୁନ୍ଦରଗଡ ଜିଲ୍ଲାର ପାରମ୍ପରିକ ଖେଳ ହୋଇଥିବା ବେଳେ ଏହି ଜିଲ୍ଲାରୁ ବହୁ ଅଲମ୍ପିଆନ ଓ ଅର୍ଜୁନ ପୁରସ୍କାର ବିଜେତା ସୃଷ୍ଟି ହୋଇଛନ୍ତି । ସେହିପରି ଏହି ଜିଲ୍ଲାରେ ଜର୍ମାନ୍ ସହାୟତାରେ ପ୍ରଥମ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାବେ ଏକ ଷ୍ଟିଲ ପ୍ଲାଣ୍ଟ ତିଆରି ହେବାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅତୁଳନୀୟ ଅବଦାନ ରହିଛି । ଏଠାରେ ବେଦବ୍ୟାସ ଦ୍ୱିତୀୟ ସଙ୍ଗମସ୍ଥଳୀ ଭାବେ ପରିଚିତ ହୋଇଥିବା ବେଳେ ଶଙ୍ଖ, କୋଏଲ ଓ ସରସ୍ୱତୀ ନଦୀର ମିଳନରେ ବ୍ରାହ୍ମଣୀ ନଦୀ ସୃଷ୍ଟି ହୋଇ ପବିତ୍ର ସ୍ଥାନର ମାନ୍ୟତା ଲାଭ କରିଛି । ଏଠାରେ ମହର୍ଷି ବ୍ୟାସଦେବ ବେଦ ସୃଷ୍ଟି କରିଥିବା କଥିତ ଥିବାବେଳେ ଏଠାରେ ହେଉଥିବା ମହାଶିବରାତ୍ରୀ ମେଳା ସମଗ୍ର ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ରଖିଆସିଛି । ଏଠାରେ ଗୋଶାଳା ଓ ଗୁରୁକୁଳ ଆଶ୍ରମ ଥିବାବେଳେ କଳାମୁଗୁନୀ ପ୍ରସ୍ତରର ମହର୍ଷି ବ୍ୟାସ ଓ ଶ୍ରୀଗଣେଶ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ଏହା ଏକ ତୀର୍ଥସ୍ଥାନର ମାନ୍ୟତା ପାଇଥିବା ବେଳେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଏକ ଝୁଲାପୋଲର ଆବଶ୍ୟକତା ବହୁଦିନରୁ ଦେଖାଦେଇଛି । ପୂର୍ବରୁ ଏନେଇ ଜିଲ୍ଲାର ସାଂସଦ ଅବଗତ ହେବାପରେ ପ୍ରାୟ ୧୨କୋଟି ଟଙ୍କା ଝୁଲା ପୋଲ (ବ୍ୟାସଝୁଲା) ପାଇଁ ଆସିଥିଲା । ତେବେ ଏହି ଅର୍ଥ ଅନ୍ୟତ୍ର ବ୍ୟୟ କରାଯିବାରୁ ଏହି କାର୍ଯ୍ୟ ହୋଇପାରିନଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଝୁଲାପୋଲ ପାଇଁ ପ୍ରାୟ ୨୫ କୋଟି ଟଙ୍କା ଅଟକଳ କରାଯାଇଛି । ଲକ୍ଷ୍ମଣଝୁଲା ଓ ଧବଳେଶ୍ୱର ଯିବା ବାଟରେ ଥିବା ପୋଲ ଭଳି ଏହି ଝୁଲାପୋଲ ତିଆରି ହେଲେ ବେଦବ୍ୟାସ ଠାରୁ ଆଦିବାସୀ ଅଧ୍ୟୁଷିତ ଅଂଚଳ ବୀରମିତ୍ରପୁର, କୁଆରମୁଣ୍ଡା, ନୂଆଗାଁ, ରଘୁନାଥପାଲି, ଛେଣ୍ଡ, କ୍ଵାରୀସାଇଡିଂ, ପ୍ରଧାନପାଲି, ଲୁହାକେରା, ତୁମକେଲା, ହମିରପୁର ଆଦି ଅଂଚଳର ବାସିନ୍ଦାମାନେ ଉପକୃତ ହୋଇପାରନ୍ତେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ରାୟ ଚିଠି ଲେଖି ଜଣାଇବା ସହ ଏହାପ୍ରତି ଦୃଷ୍ଟି ଦେବା ପାଇଁ ନିବେଦନ କରିଛନ୍ତି ।

Leave A Reply

Your email address will not be published.

twelve + six =