
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତ ଅଞ୍ଚଳରେ କେନାଲର ଅବ୍ୟବସ୍ଥାକୁ ନେଇ ଚାଷୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ବଢ଼ିଛି ଚିନ୍ତା । କେନାଲ ଭିତରେ ଅନାବନା ଘାସ ଓ ଅଳିଆ ଆବର୍ଜନା ଜମି ରହିଥିବାରୁ ପାଣିର ସ୍ୱାଭାବିକ ପ୍ରବାହ ବାଧାପ୍ରାପ୍ତ ହେଉଛି । ଫଳରେ ଆବଶ୍ୟକ ସମୟରେ ତଳମୁଣ୍ଡକୁ ଠିକ୍ ଭାବେ ପାଣି ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ କେନାଲରେ ଏଭଳି ଅବସ୍ଥା ଲାଗି ରହିଲେ ଅଧିକ ପାଣି ଜମି କେନାଲ ଭାଙ୍ଗିବାର ଆଶଙ୍କା ରହିଛି । ଏହାଦ୍ୱାରା ଚାଷଜମିରେ ପାଣି ପଶି ଫସଲ ନଷ୍ଟ ହେବା ସହ ଜମିର ଆଡ଼ିବନ୍ଧ ଭାଙ୍ଗିବାର ସମ୍ଭାବନା ମଧ୍ୟ ରହିଛି । ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ଯେତେବେଳେ ଚାଷ ପାଇଁ ପାଣିର ଆବଶ୍ୟକତା ରହୁଛି, ସେତେବେଳେ କେନାଲରେ ପାଣି ଛଡ଼ାଯାଉନାହିଁ । କିନ୍ତୁ ବର୍ଷା ପରିମାଣ ବଢ଼ିଲେ କେନାଲରେ ଅଧିକ ପାଣି ଛଡ଼ାଯିବା ଫଳରେ ଚାଷଜମିରେ ପାଣି ପଶି ଫସଲ କ୍ଷତି ହେଉଥିବା ଅଭିଯୋଗ ମଧ୍ୟ ରହିଛି । ତେଣୁ କେନାଲର ଅନାବନା ଘାସ ଓ ଅଳିଆକୁ ତୁରନ୍ତ ସଫା କରିବା ସହ ପାଣି ନିୟନ୍ତ୍ରଣ ବ୍ୟବସ୍ଥାକୁ ସୁଧାରିବା ପାଇଁ ସାଧାରଣ ଲୋକ ଓ ଚାଷୀମାନେ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି । ସମୟ ଥାଉ ଥାଉ କେନାଲ ସଫା ନହେଲେ ଆଗାମୀ ଦିନରେ ଚାଷୀଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ ।