
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଟଗାଁ ପଞ୍ଚାୟତ ହେଲା ବାଲ୍ୟ ବିବାହ ମୁକ୍ତ ଗ୍ରାମ ପଞ୍ଚାୟତ । ଆଟଗାଁ ପଞ୍ଚାୟତର କଲ୍ୟାଣ ମଣ୍ଡପରେ ଆଇ.ସି.ଡି.ଏସ୍ ଓ ୱାଇ.ସି.ଡି.ଏ.ର ମିଳିତ ଉଦ୍ୟମରେ ଏନେଇ ଏକ ସ୍ୱତନ୍ତ୍ର ଘୋଷଣା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିକ୍ରମ ପଣ୍ଡା, ଜିଲ୍ଲା ସଂଯୋଜକ ସରୋଜ ନାଏକ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁଷମା ତ୍ରିପାଠୀ, ଅଙ୍ଗନୱାଡି ସୁପରଭାଇଜର ସଂଯୁକ୍ତା ବାବୁ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅରୁଣ କୁମାର ଖୁଆସଙ୍କ ସମେତ ଆଟଗାଁ ସରପଞ୍ଚ ଶାଳିନୀ ସେଠ, ଆଟଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାମକୃଷ୍ଣ ଷଡ଼ଙ୍ଗୀ ଏବଂ ୱାଇ.ସି.ଡି.ଏ.ର ଟି.ଏଫ୍.ଟି ପ୍ରୋଗ୍ରାମ ମ୍ୟାନେଜର ଜ୍ୟୋତି କୁମାର ରଥ ଅତିଥି ଭାବେ ଯୋଗଦେଇଥିଲେ । ୱାଇ.ସି.ଡି.ଏ.ର ଜିଲ୍ଲା ସଂଯୋଜିକା ଆନନ୍ଦିନୀ ରଥ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ବାଲ୍ୟ ବିବାହ ରୋକିବା ଦିଗରେ ଉଲ୍ଲେଖନୀୟ ପ୍ରୟାସ କରିଥିବା ଆଟଗାଁ ପଞ୍ଚାୟତର ଆଠଟି ଗ୍ରାମର ଗ୍ରାମ୍ୟ ଶିଶୁ ସୁରକ୍ଷା କମିଟିକୁ ସମ୍ମାନିତ କରାଯାଇଥିଲା । ଏହାସହ ପଞ୍ଚାୟତର ସରପଞ୍ଚ ଶାଳିନୀ ସେଠଙ୍କୁ ମଧ୍ୟ ସମ୍ମାନ ଜଣାଯାଇଥିଲା । ଏହି ଅବସରରେ ବାଲ୍ୟ ବିବାହର କୁପରିଣାମ, ଏହାକୁ ରୋକିବା ପାଇଁ ରହିଥିବା ଆଇନ ଏବଂ ସରକାରୀ ନିୟମାବଳୀ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପରେ ଉପସ୍ଥିତ ସମସ୍ତେ ବାଲ୍ୟ ବିବାହ ବିରୋଧରେ ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ୱାଇ.ସି.ଡି.ଏ.ର ବ୍ଲକ ସଂଯୋଜିକା ନିକିତା ଦାଶ ଧନ୍ୟବାଦ ଜ୍ଞାପନ କରିଥିଲେ । ଏପରି ଏକ ପ୍ରଶଂସନୀୟ ପଦକ୍ଷେପ ପାଇଁ ଆଇ.ସି.ଡି.ଏସ୍ ପକ୍ଷରୁ ୱାଇ.ସି.ଡି.ଏ.କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଆଟଗାଁ ପଞ୍ଚାୟତକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯିବା ଶିଶୁ ସୁରକ୍ଷା ଓ ଶିକ୍ଷା କ୍ଷେତ୍ରରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା ।