୬ ମାସ ହେଲା ବେପାର ବନ୍ଦ : ପରୀକ୍ଷା ହେଉନି, ହେଉଛି ଖାଲି ରିଆଡମିସନ୍ ଓ ଫର୍ମ ଫିଲପ୍ : ଛାତ୍ରଛାତ୍ରୀଙ୍କ ମୁଣ୍ଡରେ ରିଆଡମିସନ୍ ଟଙ୍କା ଜମା କରିବା ଚିନ୍ତା

ଦେଓଗାଁ, (ମନିଷ କୁମାର ସାହୁ) : କରୋନା ପାଇଁ ୫ ମାସରୁ ଅଧିକ ହେଲା ଲୋକଙ୍କ କାମ ଧନ୍ଦା ବନ୍ଦ ହୋଇ ଯାଇଥିଲା । ଜୀବିକା ହରାଇ ଦି’ ମୁଠା ଦାନା ପାଇଁ ଲୋକେ ପୁଣି ଦାଦନ ମୁହାଁ ହେଉଛନ୍ତି । କିନ୍ତୁ ଦେଓଗାଁ ଅଞ୍ଚଳରେ ବସବାସ କରୁଥିବା ଗରିବ ଘର ପିଲାମାନଙ୍କ ଉଚ୍ଚ ଶିକ୍ଷିତ ହେବାର ଆଶା ମଉଳି ଯାଉଛି । କଲେଜ କର୍ତ୍ତୃପକ୍ଷଙ୍କ ଦୋ’ମୁହାଁ ନୀତି ଯୋଗୁଁ ସରକାର ରାଜ୍ୟରେ ସମସ୍ତ କଲେଜରେ ଗୋଟିଏ ଫି’ ଆଦାୟ ହେବ ବୋଲି କହୁଥିବା କଥା ବାସ୍ତବରେ ଭିନ୍ନ । ଯାହାଫଳରେ ଦେଓଗାଁ ଅଞ୍ଚଳରେ ଥିବା କଲେଜ ଛାତ୍ରଛାତ୍ରୀମାନଙ୍କ ପାଇଁ ମୁଣ୍ଡବିନ୍ଧା ପାଲଟିଛି । ଦେଓଗାଁ ଓ ସଇଁତଳା ବ୍ଲକ, ତୁଷୁରା ଏନଏସି ସହ ବଲାଙ୍ଗିର ସଦର ବ୍ଲକର ବହୁ ଗ୍ରାମରୁ ପଢିବାକୁ ଆସନ୍ତି ଦେଓଗାଁ ଯୁକ୍ତ ତିନି କଲେଜକୁ । ଏହି ଅଞ୍ଚଳର ବହୁ ଲୋକେ ଚାଷ କାମ ଓ ଛୋଟ ଛୋଟ ବ୍ୟବସାୟ ଉପରେ ନିର୍ଭର କରିଥାନ୍ତି । ଏହି ଛାତ୍ରଛାତ୍ରୀମାନେ ଚଳିତ ବର୍ଷ ଫେବୃଆରୀ, ମାର୍ଚ୍ଚ ମାସରେ ଥରେ ଓ ଗତ କିଛିଦିନ ତଳେ କଲେଜର ବିଭିନ୍ନ ଶ୍ରେଣୀର ପରୀକ୍ଷା ଦେବାକୁ ଶହ ଶହ ଟଙ୍କା ଦେଇ ଫର୍ମ ଫିଲପ୍ କରିଥିଲେ । ଦେଓଗାଁ ଡିଗ୍ରୀ କଲେଜର ଅଧ୍ୟକ୍ଷ ୭ ତାରିଖ ସୋମବାର ଦିନ ଦେଇଥିବା ନୋଟିସ୍ ନଂ ୫୪୯ ଅନୁଯାୟୀ, ଯୁକ୍ତ ତିନି ଦ୍ଵିତୀୟ ବର୍ଷ ଓ ତୃତୀୟ ବର୍ଷର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ସମସ୍ତ ଶ୍ରେଣୀର ରିଆଡମିସନ୍ ୮ତାରିଖ ମଙ୍ଗଳବାର ଠାରୁ ଆରମ୍ଭ ହୋଇ ୧୬ତାରିଖ ବୁଧବାର ପର୍ୟ୍ୟନ୍ତ ହେବ ।

ଏହା ସହ ଅନ୍ୟ ଏକ ନୋଟିସ୍ ନଂ ୫୫୦ରେ ଜଣାଇଛନ୍ତି ଯେ, କଲେଜର କଳା ବିଭାଗର ୨ୟ ଓ ୩ୟ ବର୍ଷ ଓବିସି ଓ ଜେନେରାଲ ବର୍ଗର ସମସ୍ତ ଛାତ୍ରଛାତ୍ରୀମାନେ ୪୦୩୦ଟଙ୍କା ଦେଇ ରିଆଡ଼ମିସନ୍ କରିବାକୁ ଥିବା ବେଳେ ଏସି, ଏସଟି ବର୍ଗ ସହ ସମସ୍ତ ଛାତ୍ରୀମାନେ ୩୯୨୨ ଟଙ୍କା ଦେଇ ରିଆଡ଼ମିସନ୍ କରିବେ । ସେହିପରି ବିଜ୍ଞାନ ବିଭାଗର ୨ୟ ଓ ୩ୟ ବର୍ଷର ଓବିସି ଓ ଜେନେରାଲ ବର୍ଗର ସମସ୍ତ ଛାତ୍ରମାନେ ୫୭୩୦ ଟଙ୍କା ଦେଇ ରିଆଡ଼ମିସନ୍ କରିବାକୁ ଥିବା ବେଳେ ଏସି, ଏସଟି ବର୍ଗ ସହ ସମସ୍ତ ଛାତ୍ରୀମାନେ ୫୬୨୨ଟଙ୍କା ଦେଇ ରିଆଡ଼ମିସନ୍ କରିବେ । ସେହିପରି ବାଣିଜ୍ୟ ବିଭାଗର ୨ୟ ଓ ୩ୟ ବର୍ଷ ଶ୍ରେଣୀର ଓବିସି ଓ ଜେନେରାଲ ବର୍ଗର ସମସ୍ତ ଛାତ୍ରଛାତ୍ରୀମାନେ ୪୬୩୦ଟଙ୍କା ଦେଇ ରିଆଡ଼ମିସନ୍ କରିବାକୁ ଥିବା ବେଳେ ଏସି, ଏସଟି ବର୍ଗ ସହ ସମସ୍ତ ଛାତ୍ରଛାତ୍ରୀମାନେ ୪୫୨୨ ଟଙ୍କା ଦେଇ ରିଏଡମିସନ୍ କରିବେ । ଫର୍ମ ଫିଲପ୍ ପରେ ରିଆଡମିସନ, ପୁଣି ଫର୍ମ ଫିଲପ୍, ହେଲେ ହେଉନି ପରୀକ୍ଷା । କେବଳ ଚାଲିଛି ଚାନ୍ଦା ଆଦାୟ । ହେଲେ ଏଭଳି ସମୟରେ ସମସ୍ତେ ହଜାର ହଜାର ଟଙ୍କା ଦେଇ ରିଏଡମିସନ୍ କରିବାକୁ ସକ୍ଷମ ନୁହନ୍ତି । ଏଭଳି ମହାମାରୀ ପରିସ୍ଥିତି ଯୋଗୁଁ ଏହି କିଛି ମାସ ପର୍ୟ୍ୟନ୍ତ ପରୀକ୍ଷାଗୁଡିକ ହେବାକୁ ନ ଥିବାରୁ ଏବେ ରିଏଡମିସନ ଫି ଛାଡ଼ କରିବାକୁ ଅଭିବାଭକ ମହଳରେ ଦାବୀ ହେଉଛି ।

Leave A Reply

Your email address will not be published.