ସଂସ୍କୃତିର ମାଟି ସୁବର୍ଣ୍ଣପୁର ଜିଲ୍ଲାରେ ପୁଅ ଜିଉନ୍ତିଆ ଓଷା ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ପୁଅ ଜିଉନ୍ତିଆ ଓଷା ପାଳିତ ହୋଇଯାଇଛି । ସନ୍ତାନ ସନ୍ତତିଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ହୋଇ ଆସୁଥିବା ଓଷାକୁ ପାରମ୍ପାରିକ ରୀତି ନୀତି ସହ ବ୍ରତଧାରୀ ମା’ମାନେ ଏଇ ସଂଧ୍ୟାରେ ଦ୍ବିତୀବାହାନଙ୍କ ପୂଜାର୍ଚ୍ଚନା କରିଛନ୍ତି । ସଂପୂର୍ଣ୍ଣ ନିର୍ଜଳା ଉପବାସରେ ରହି ବ୍ରତଧାରୀ ମା’ମାନେ ୧୦୮ ଦୁବ, ରଂଗ ବେରଂଗର ଜିଉନ୍ତିଆ, କୁସେର୍, ଭେଣ୍ଡି, କାକୁଡିର ଚକି ସହ ମେଗୁଆ, ବଢିଆଳ କଷି, ବନଜାତ ଈଶ୍ବରଜଟ, ଜୁଗାର – ଜାଗର ପ୍ରଭୃତିକୁ ନେଇ ସଜ୍ଜିତ ପୂଜାଥାଳି ସହ ଏକାଠି ବ୍ରତ ପାଳନ କରିଛନ୍ତି । କାହିଁ କେତେ ଦିନରୁ ସୁବର୍ଣ୍ଣପୁର ଗଡଜାତ ଅଂଚଳରେ ଏହି ପୁଅ ଜିଉନ୍ତିଆ ଓଷା ହୋଇ ଆସୁଥିବାର ପ୍ରମାଣ ସୁବର୍ଣ୍ଣପୁର ରାଜବାଟୀ ପ୍ରକାଶିତ “ଗୃହ ଚନ୍ଦ୍ରିକା” ବହିରେ ଉଲ୍ଲିଖିତ ରହିଛି ବୋଲି ଲୋକ ସଂସ୍କୃତି ଗବେଷକ ବେଣୁଧର ପ୍ରଧାନ ସ୍ପଷ୍ଟ କରିଥିବାବେଳେ ମା’-ସନ୍ତାନ ସନ୍ତତିଙ୍କର ଅମର ସଂପର୍କକୁ ଏହି ଲୋକଓଷା ଉଜ୍ଜିବୀତ କରି ରଖିଛି ବୋଲି କୋଶଲ ପ୍ରବାହକୁ କହିଛନ୍ତି । ତେବେ, ସାରା ପଶ୍ଚିମ ଓଡିଶାରେ ଆଶ୍ବିନ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଏହି ପୁଅ ଜିଉନ୍ତିଆ ଲୋକପର୍ବ ହୋଇ ଆସୁଛି । ଏଥର କରୋନା କଟକଣା ହେତୁ ସାମାଜିକ ଦୂରତାକୁ ମାନି ସବୁଠି ଓଷା ପାଳିତ ହୋଇଛି ।

Leave A Reply

Your email address will not be published.