କୋଭିଡ ଯୋଦ୍ଧାଙ୍କୁ ଅସମ୍ମାନ ଅଭିଯୋଗ : ସମ୍ବେଦନହୀନ ବରଗଡ଼ ଜିଲ୍ଲା ପ୍ରଶାସନ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ସ୍ୱର୍ଗତ ପ୍ରକାଶ ଚନ୍ଦ୍ର ଗିରି, ଜିଲ୍ଲା ପରିଷଦ ଶିକ୍ଷକ, ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗଙ୍ଗେଇ, ଅମ୍ବାଭୋନା, ବରଗଡ । ଜଣେ ଛାତ୍ରବତ୍ସଳ ପ୍ରଖ୍ୟାତ ଶିକ୍ଷକ ସାଙ୍ଗକୁ ଅନେକ କଳା ପ୍ରତିଭାର ଅଧିକାରୀ ସ୍ୱର୍ଗତ ପ୍ରକାଶ ଚନ୍ଦ୍ର ଗିରିଙ୍କ ହଠାତ୍ ୨୦ ଅଗଷ୍ଟରେ କୋଭିଡ କେୟାର ଡାକ୍ତରଖାନା, ଖେଦାପାଲିରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହେବା ସତ୍ୱେ କୋଭିଡ ମୃତ୍ୟୁ ଘୋଷଣା ନ କରିବା ରହସ୍ୟ ଘେରକୁ ଟାଣି ନେଇଛି ।

ଜଣେ ଆଗ ଧାଡିର କୋଭିଡ ଯୋଦ୍ଧା ଭାବରେ ଘର ଘର ବୁଲି କୋରୋନା ସଚେତନତା ବାର୍ତ୍ତା ପହଞ୍ଚାଇଥିବା ଜଣେ ମସିହା, ଘଟଣା କ୍ରମେ ଏକୋଇଶ ଦିନ କ୍ବାରେଣ୍ଟାଇନ୍ ହେବା, ପୁଣି ଘରେ ଅଗଷ୍ଟ ପ୍ରଥମ ସପ୍ତାହରେ ଦେହ ଅସୁସ୍ଥ ହେବା ଏବଂ ଟେଷ୍ଟରେ ପୋଜିଟିଭ ହୋଇ କୋଭିଡ କେୟାର, ଖେଦାପାଲିକୁ ବିକାଶ ଆମ୍ବୁଲେନ୍ସରେ ରାତିଅଧିଆ ନେବା, ସେଠି ପାଞ୍ଚ ଦିନ ଚିକିତ୍ସା ପରେ ନେଗେଟିଭ ରିପୋର୍ଟ ନ ଦେଇ ଛାଡିଦେବା, ଶିକ୍ଷକଙ୍କର ବାରମ୍ବାର ଅନୁରୋଧ ସତ୍ତ୍ବେ ସୁସ୍ଥ ହୋଇନଥିବା ଅବସ୍ଥାରେ ତାଙ୍କୁ ଘରେ ନେଇ ଛାଡି ଦିଆଯିବା ଘଟଣା ଅଶ୍ଚର୍ଯ୍ୟଜନକ ଅଟେ ।


ଏପଟେ ଗୋଟିଏ ପ୍ରକାର ସାମାଜିକ ବାସନ୍ଦରେ ନିଶ୍ୱାସୀ ହେବା, ନେଗେଟିଭ ରିପୋର୍ଟ ନ ଥିବାରୁ ଅନ୍ୟ କୌଣସିଠାରେ ଚିକିତ୍ସିତ ହୋଇ ନ ପାରିବା, କୋରୋନା ଭୟରେ କେହି ସହଯୋଗ ନ କରିବା ଯୋଗୁଁ ଭାଙ୍ଗି ପଡିଥିଲେ ସେ । ଏପଟେ ଅଧିକ ଅସୁସ୍ଥ ହେବା ପରେ ପୁଣି କୋଭିଡ କେୟାର ଖେଦାପାଲିକୁ ନେବା, ଭେଣ୍ଟିଲେଟରରେ ରଖିବା, ରୋଗୀଙ୍କୁ ଅନ୍ୟତ୍ର ନେବାକୁ ଅନୁରୋଧ କରିବା ସତ୍ୱେ ନ ଛାଡିବା ଏବଂ ସେଇଠି ମୃତ ଘୋଷଣା କରିବା ତିନି ଝିଅ ଓ ସ୍ତ୍ରୀଙ୍କୁ ତଥା ଅଞ୍ଚଳବାସୀଙ୍କୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପକାଇଲା ।

ଏହାପରେ ମଧ୍ୟ କୋଭିଡ ମୃତ୍ୟୁ ଘୋଷଣା ନ କରିବା ଜଣେ ପେନସନ ରହିତ ଶିକ୍ଷକଙ୍କ ପରିବାରକୁ ଉପହାସ ଅଟେ । ଏହାର ବିଧିବଦ୍ଧ ତଦନ୍ତ ଓ ଦୁଃଖୀ ପରିବାରକୁ ସହଯୋଗର ହାତ ବଢାଇବା ନିତାନ୍ତ ଜରୁରୀ ଅଟେ । ସରକାରୀ ନିୟମାନୁସାରେ ସ୍ୱର୍ଗତ ଶିକ୍ଷକଙ୍କୁ କୋଭିଡ ଯୋଦ୍ଧା ରୂପେ ଘୋଷଣା କରିବା ସହ ଗଞ୍ଜାମ ଜିଲ୍ଲାରେ ଯେଉଁ ଭଳି ଭାବେ ଶିକ୍ଷକଙ୍କୁ କରୋନା ଯୋଦ୍ଧା ରୂପେ ସମ୍ମାନ ଦିଆଯାଉଛି, ସେଭଳି ବରଗଡ଼ ଜିଲ୍ଲା ପ୍ରଶାସନ ସମ୍ମାନ ପ୍ରଦର୍ଶନ କରି ମୃତକଙ୍କ ପରିବାରକୁ ସରକାରୀ ଘୋଷଣା ଅନୁଯାୟୀ ୫୦ ଲକ୍ଷ ଟଙ୍କା ଅନୁକମ୍ପା ମୁଳକ ସହାୟତା ପ୍ରଦାନ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି ।

Leave A Reply

Your email address will not be published.