ପୁସ୍ତକ ପଠନର ଅଭ୍ୟାସରେ ହୁଏ ବ୍ୟକ୍ତି ଚେତନାର ଉର୍ଦ୍ଧାୟନ

  • ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁସ୍ତକ ମେଳା ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁସ୍ତକ ବ୍ୟକ୍ତିର ଜୀବନକୁ ସୁନ୍ଦର କରିପାରେ । ଜ୍ଞାନର ସହଜତମ ମାଧ୍ୟମ ହେଉଛି ପୁସ୍ତକ । ସବୁ ଯୁଗରେ ଲୋକ ଜୀବନକୁ ପ୍ରଭାବିତ କରେ ବହି । ପୁସ୍ତକ ପଠନର ଅଭ୍ୟାସରେ ହୁଏ ବ୍ୟକ୍ତି ଚେତନାର ଉର୍ଦ୍ଧାୟନ । ଏଣୁ ସୁସ୍ଥ ସମାଜ ପାଇଁ ବହିର ଉପଯୋଗିତା ସବୁବେଳେ ରହିଆସିଛି । ଆଗାମୀ ପିଢିକୁ ଜୀବନର ବୋଧ ଦେବାକୁ ବହି ହିଁ ଏକ ମାତ୍ର ବିକଳ୍ପ ବୋଲି ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ଉଦ୍‌ଘାଟନ ଅବସରରେ ମତ ପ୍ରକାଶ ପାଇଛି ।ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ବରେଣ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗ ଦେଇଥିଲେ । ସନ୍ଦୀପ କୁମାର କୁଅଁରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଞ୍ଜନ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଗୋପାଳ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍‌ଘାଟନ ସମାରୋହ ଅବସରରେ କୋଶଳ କଳାମଣ୍ଡଳର ମୁଖପତ୍ର ଚତୁରଙ୍ଗର ଷଷ୍ଠ ସଂଖ୍ୟାକୁ ଲୋକାର୍ପିତ କରିଥିଲେ ମଞ୍ଚାସୀନ ଅତିଥିବୃନ୍ଦ ।

ଉଦ୍‌ଘାଟନ ସମାରୋହ ପରେ ଆଶ୍ମି ମିଶ୍ରଙ୍କ ଓଡିଶୀ, ପାର୍ବତୀ ଗିରି ବାଲ ନିକେତନର ଲୋକନୃତ୍ୟ ରସରକେଲି, ସରସ୍ଵତୀ ଶିଶୁ ମନ୍ଦିର କଲେଜ ଛକ ଦ୍ୱାରା ଓଡିଶୀ, ଦାଣ୍ଡିଆ ଓ ଲୋକନୃତ୍ୟ ଲିକିରି ଝିକିରି ତଥା ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ବାମରାର ଆଦିବାସୀ ଲୋକନୃତ୍ୟ ପରିବେଷଣ କରାଯାଇଥିଲା । ବରେଣ୍ୟ ଅତିଥିମାନଙ୍କ ଦ୍ୱାରା ଫିତା କାଟି ପୁସ୍ତକ ମେଳାର ଉଦ୍‌ଘାଟନ କରିବାପରେ ଅତିଥିମାନେ ମେଳା ବୁଲି ଦେଖିଥିଲେ । ଏହି ଅବସରରେ ପୁଇଁତଲା ବ୍ଲକର କଷାବାହାଲ ଗ୍ରାମର ଦିବ୍ୟାଙ୍ଗ ଛାତ୍ର ଉଦିତ ନାରାୟଣ ମାଝୀଙ୍କୁ ତିନି ଚକିଆ ସ୍କୁଟି ପ୍ରଦାନ କରିଥିଲେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଅନ୍ୟାନ୍ୟ ଅତିଥିବୃନ୍ଦ । ଏହି ସ୍କୁଟିଟି ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ମାଗଣାରେ ପ୍ରଦାନ କରାଯାଇଛି । ଛାତ୍ର ଶ୍ରୀ ମାଝୀ ବର୍ତ୍ତମାନ ସରକାରୀ ପଲିଟେକନିକ ବଲାଙ୍ଗିରରେ ଡିପ୍ଲୋମା ପଢୁଛନ୍ତି । କରୋନା ପାଇଁ ଜୀବନ ଥିଲା ଅସ୍ତବ୍ୟସ୍ତ । ଏବେ କ୍ରମଶଃ ସବୁକିଛି ସାଧାରଣ ହେଉଥିବା ବେଳେ ଆରମ୍ଭ ହୋଇଛି ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁସ୍ତକ ମେଳା । ଚଳିତ ବର୍ଷ ୬୮ଟି ଷ୍ଟଲ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ପ୍ରକାଶନ ସଂସ୍ଥା ଯୋଗ ଦେଇଛନ୍ତି ।

Leave A Reply

Your email address will not be published.