କୃଷି ବୀମା ରାଶି ପାଇଁ ପାଟଣାଗଡରେ ଚାଷୀ ଆନ୍ଦୋଳନ

ପାଟଣାଗଡ, (ଅଜିତ କୁମାର ପୁରୋହିତ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଏକ ଚିର ମରୁଡି ପ୍ରପୀଡିତ ଅଂଚଳ । ଗତ ୨୦୧୯-୨୦ ଖରିଫ ଋତୁରେ ମଧ୍ୟ ଏଠାରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା । ଗତ ୨୦୧୯-୨୦ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପାଟଣାଗଡ ବ୍ଲକର ଅଧିକାଂଶ ଚାଷୀ ଫସଲ ବୀମା କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ଜିଲ୍ଲାର ଅନ୍ୟ ବ୍ଲକ ମାନଙ୍କର ପଂଚାୟତ ଗୁଡ଼ିକୁ ଫସଲ ବୀମା ରାଶି ପ୍ରଦାନ କରାଯାଇଥିଲେ ମଧ୍ୟ ପାଟଣାଗଡ ପଂଚାୟତ ସମିତିର ଅନେକ ପଂଚାୟତକୁ ଆଜି ପର୍ଯ୍ୟନ୍ତ ଫସଲ ବୀମା ରାଶି ପ୍ରଦାନ କରାଯାଇନାହିଁ । ଏହାକୁ ନେଇ ଆଜି ପାଟଣାଗଡ ବ୍ଲକର ଚାଷୀମାନେ ପାଟଣାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରି ଏକ ୫ ଦଫା ଦାବୀପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି । ଦାବୀଗୁଡିକ ମଧ୍ୟରେ ୨୦୧୯-୨୦ର ଫସଲ ବୀମା ରାଶି ଶୀଘ୍ର ପ୍ରଦାନ କରାଯାଉ । ଅଂଚଳର ଚାଷୀମାନେ ଅନେକ ଦିନରୁ ବିଜୁ କୃଷକ ଯୋଜନାରେ ଗଭୀର କୂପ ଖନନ ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରି ଟଙ୍କା ପଇଠ କରିଥିଲେ ସୁଦ୍ଧା ବର୍ତମାନ ପର୍ଯ୍ୟନ୍ତ କୌଣସି ସୁଫଳ ପାଇ ପାରିନାହାନ୍ତି ତାହାର ସମାଧାନ କରାଯାଉ, ଆଗାମୀ ଦିନରେ ମଣ୍ଡିମାନଙ୍କରେ ଚାଷୀମାନଙ୍କର ଧାନ ବିକ୍ରୀ ଠିକ ଭାବରେ କରାଯାଉ, ଧାନକିଣାରେ କଳାବଜାରୀ ବନ୍ଦ କରାଯାଉ ପ୍ରଭୃତି ଦାବୀ ରହିଛି । ଆନ୍ଦୋଳନକାରୀ ମାନଙ୍କ ମଧ୍ୟରେ ଭକ୍ତବନ୍ଧୁ ନାଏକ, ଜତି ପଧାନ, ଜୟନ୍ତ କୁମ୍ଭାର, ଚତୁର୍ମୁଖ ମେହେର, ସବିତା ସରାଫ, ଦେବକୀ ତାଣ୍ଡି, କରମ ସିଂ ସରାଫ, ବଲ୍ଲଭ ଧରୁଆ, ଭୀମସେନ ଖର୍ସେଲ, ଜ୍ଞାନରଂଜନ ସାହୁ, ବୈଦ୍ୟନାଥ କରନ, ଦାନି ଜାଲ, ଶ୍ରଦ୍ଧାକର ରାଉତ ପ୍ରମୁଖ ସାମିଲ ଥିଲେ । ସେହିପରି ପାଟଣାଗଡ ବଲାଙ୍ଗିର ମୁଖ୍ୟ ରାସ୍ତା ସରମୁହାଣ ଠାରେ ମଧ୍ୟ ଶତାଧିକ ଚାଷୀ ଏସବୁ ଦାବୀ ଉପସ୍ଥାପନ କରି ଦୀର୍ଘ ସମୟ ଧରି ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ, ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଗାଡିମାନ ଅଟକି ରହିଥିବାରୁ ଲୋକଙ୍କ ଯାତାୟରେ ସମସ୍ୟା ସୃଷ୍ଟି ହୋଇଥିଲା । ଏହି ସମୟରେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଉକ୍ତ ରାସ୍ତା ଦେଇ ଯିବା ସମୟରେ ତାଙ୍କୁ ମଧ୍ୟ ଚାଷୀମାନେ ଅଟକାଇଥିଲେ । ଚାଷୀ ଏବଂ ସାଂସଦଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇ କଥା କଟାକଟି ହୋଇଥିଲା । ସାଂସଦ ଚାଷୀମାନଙ୍କୁ ଗାଳି ଗୁଲଜ କରି ଜବରଦସ୍ତି ତାଙ୍କ ଗାଡିକୁ ନେଇ ଘଟଣାସ୍ଥାଳରୁ ପଳେଇ ଯାଇଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା । ଆନ୍ଦୋଳନ ସ୍ଥଳରେ ପାଟଣାଗଡ ତହସିଲଦାର ଡ. ପୁଷ୍ପଞ୍ଜଳୀ ପଣ୍ଡା ପହଂଚି ଚାଷୀମାନଙ୍କୁ ଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ ।

Leave A Reply

Your email address will not be published.