ପଲିଥିନ ନିଷିଦ୍ଧ ପରେ ଚଢାଉ କଲା ଏନଏସି

ଆଠଗଡ : ପଲିଥିନ ନିଷିଦ୍ଧ ପରେ ଏନଏସି ଚଢାଉ କରିଥିବା ଜଣାପଡିଛି । ପରିବେଶ ପାଇଁ ବହୁଳ ଭାବେ ବିପଦ ସାଜି ଥିବା ଏକକ ବ୍ୟବହାର ଯୋଗ୍ୟ ପଲିଥିନକୁ କେନ୍ଦ୍ର ସରକାର ନିଷିଦ୍ଧ କରିଥିବା ବେଳେ ବ୍ୟବସାୟୀମାନେ କିନ୍ତୁ କଟକଣାକୁ ଅମାନ୍ୟ କରି ପଲିଥିନର ବ୍ୟାପକ ବ୍ୟବହାର କରୁଥିବାରୁ ଆଠଗଡ ଏନଏସି ପକ୍ଷରୁ ଗୁରୁବାର ଚଢାଉ କରାଯାଇଛି । ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା ରଚମାଳାଙ୍କ ନେତୃତ୍ୱରେ ଏନଏସି ପକ୍ଷରୁ ଗଠିତ ସ୍ୱତନ୍ତ୍ର ସ୍କାର୍ଡ ଆଠଗଡର ମୁଖ୍ୟ ବଜାର ଗୁଡିକରେ ଥିବା ଅନେକ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଅତର୍କିତ ଚଢଉ କରିଥିଲେ । ପ୍ରାୟ ୧୦ଟି ଦୋକାନରେ ଚଢାଉ ସମୟରେ ପଲିଥିନ ବ୍ୟବହାର କରାଯାଉଥିବା ଦେଖି ସେମାନଙ୍କଠାରୁ ଜରିମାନା ବାବଦରେ ୨୪୫୦ ଟଙ୍କା ଆଦାୟ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଏନଏସି ପକ୍ଷରୁ ସମଗ୍ର ସହରରେ ଡାକବାଜି ଯନ୍ତ୍ର ଯୋଗେ ଏକକ ବ୍ୟବହାର ଯୋଗ୍ୟ ପଲିଥିନକୁ ବ୍ୟବହାର ନକରିବା ପାଇଁ ତାଗିଦ କରାଯାଇଥିଲା । ତେବେ ଏହାର କୌଣସି ପ୍ରଭାବ ନପଡିବା ଦେଖି ଏନଏସି କର୍ତ୍ତୃପକ୍ଷ କଡା ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେହି ଅନୁଯାୟୀ ଗୁରୁବାର ଚଢାଉ କରାଯାଇ ଜୋରିମନା ଆଦାୟ କରାଯାଇଛି । ଆଗାମୀ ଦିନରେ ଆହୁରି ବ୍ୟାପକ ଚଢାଉ କରାଯିବ ଏବଂ ଜରିମାନାର ପରିମାଣ ମଧ୍ୟ ବୃଦ୍ଧି କରାଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀମତୀ ରଚମାଳା ପ୍ରକାଶ କରିଛନ୍ତି । ଏହି ଚଢଉରେ ଏନଏସିର କର୍ମଚାରୀ ଲଲାଟେନ୍ଦୁ ବେହେରା, ପ୍ରତୀକ ମହାପାତ୍ର, ଗୋରାଚାନ୍ଦ ପରିଡା, ପ୍ରକାଶ ମହାପାତ୍ର, ଶ୍ରବଣ ସାହୁ, ଦିଲ୍ଲୀପ ବାରିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

4 × 1 =

error: Content is protected !!