pakka

ଅସ୍ଥି କର୍କଟ ରୋଗରେ ପୀଡ଼ିତ ସୌଭାଗ୍ୟଙ୍କ ଚିକିତ୍ସା ପାଇଁ ଶିକ୍ଷକ ଦିବସଙ୍କ ସଂଘର୍ଷ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିକ୍ଷକତା ସହ ଅସହାୟ ଲୋକଙ୍କ ପାଇଁ ହେଲ୍ପଲାଇନ ସାଜୁଥିବା ଶିକ୍ଷକ ଦିବସ କୁମାର ସାହୁ ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କ ଜୀବନ ବଞ୍ଚେଇବା ପାଇଁ କରୁଥିବା ସଂଘର୍ଷ ପ୍ରେରଣାଦାୟୀ ସାଜିଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ସଂକ୍ରୀ ଗ୍ରାମର ଝିଅ ତଥା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଅମଠିର ଛାତ୍ରୀ ସୌଭାଗ୍ୟ ପଟେଲ ବର୍ତ୍ତମାନ କର୍କଟ ରୋଗରେ ଆକ୍ରାନ୍ତ ହୋଇ ରାୟପୁର ସ୍ଥିତ ବାଲକୋ ମେଡିକାଲ ସେଣ୍ଟରରେ ଭର୍ତ୍ତି ହୋଇଛନ୍ତି । ସୌଭାଗ୍ୟଙ୍କ ମା’ ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା ଅଟନ୍ତି, ବର୍ତ୍ତମାନ ସେ ନିଜ ବାପାଙ୍କ ଘରେ ଆଶ୍ରୟ ନେଇଛନ୍ତି । ତାଙ୍କର ବ୍ୟକ୍ତିଗତ ଆୟ କିଛି ନ ଥିବା ବେଳେ ବର୍ତ୍ତମାନ ଝିଅର ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବା ପାଇଁ ସଂଘର୍ଷ କରୁଥିବା ଦେଖା ଯାଇଛି । ଏହି ସମୟରେ ଝାରବନ୍ଧ ବ୍ଲକ ତୁମୁରିପାଣି ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଯୁବ ଶିକ୍ଷକ ଦିବସ କୁମାର ସାହୁ ସହାୟତାର ହାତ ବଢ଼େଇଛନ୍ତି । ସୌଭାଗ୍ୟଙ୍କ ବିଷୟରେ ତୁମୁରିପାଣି ଗ୍ରାମର ଜଣେ ଅଭିଭାବକ ତରଣୀସେନ ପଟେଲଙ୍କ ଠାରୁ ଜାଣିବା ପରେ ସେ ଉପଯୁକ୍ତ ମାର୍ଗଦର୍ଶନ କରି ସହାୟତା ଯୋଗାଇ ଦେଇଛନ୍ତି । ଦିବସ ଜାଣିବା ସମୟରେ ସୌଭାଗ୍ୟକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ମାସାଧିକ ସମୟର ସେଠାରେ ରହିମଧ୍ୟ କର୍କଟ ରୋଗର ଚିକିତ୍ସା ହେଉନଥିବାର ଜାଣିବା ପରେ ତାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ବାଲକୋ ମେଡିକାଲ ସେଣ୍ଟରକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରିଥିଲେ । ମାସାଧିକ କାଳ କଟକରେ ରହିବା ଯୋଗୁଁ ପାଖାପାଖି ୫୦ ହଜାର ଟଙ୍କା ଖର୍ଚ୍ଚ ହେବା ପରେ ସର୍ବସ୍ୱାନ୍ତ ହୋଇ ଯାଇଛନ୍ତି । ଦିବସ ଏସବୁ ଜାଣିବା ପରେ ନିଜେ ଟ୍ରେନ ଟିକେଟ ଖର୍ଚ୍ଚ ପ୍ରଦାନ କରିବା ସହିତ ବାଲକୋ ଡାକ୍ତରଖାନାରେ ପଞ୍ଜିକରଣ ପାଇଁ ଅର୍ଥ ମଧ୍ୟ ଦେଇଥିଲେ । ଏସବୁ ଜିନିଷକୁ ସାମାଜିକ ଗଣମାଧ୍ୟମ ଜରିଆରେ ସେ ପୋଷ୍ଟ କରିବା ପରେ ସୌଭାଗ୍ୟଙ୍କୁ ସହାୟତାର ସୁଅ ଛୁଟୁଛି । ଗୋଟିଏ ଦିନ ମଧ୍ୟରେ ୭ ହଜାର ଟଙ୍କାରୁ ଅଧିକ ଟଙ୍କା ପିଡ଼ିତାଙ୍କ ଫୋନ ପେ ଆକାଉଣ୍ଟକୁ ସହାୟତା ଆସିଛି । ଯଦି କେହି ସହୃଦୟ ବ୍ୟକ୍ତି ସୌଭାଗ୍ୟଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ଫୋନ ପେ ନମ୍ବର ୯୬୯୨୦୯୮୫୭୮ଙ୍କୁ ପଠାଇ ପାରିବେ ଏବଂ ଛୋଟରୁ ଛୋଟ ସହାୟତା ବି ତାଙ୍କ ପାଇଁ ମୂଲ୍ୟବାନ ବୋଲି ଶିକ୍ଷକ ଦିବସ କହିଛନ୍ତି । ଶିକ୍ଷକଙ୍କ ଏହି ମହତ ପ୍ରୟାସକୁ ଝାରବନ୍ଧ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

two × two =