
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ମଝିପଡା ବୋଲବମ ଚାରିଟେବୁଲ ସୋସାଇଟି ପକ୍ଷରୁ ପ୍ରତି ରବିବାର ଦିନ ସନ୍ଧ୍ୟାରୁ ମଧ୍ୟ ରାତ୍ର ଯାଏଁ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ପାଇଁ ବୋଲବମ୍ ମଣ୍ଡପ ଠାରେ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଉଛି । ୨୦୦୨ ମସିହାରୁ ଦୀର୍ଘ ୨୫ ବର୍ଷ ହେବ ଏହି ମଣ୍ତପ ଠାରେ କାଉଡିଆ ତଥା ଶ୍ରଦ୍ଧାଳୁଙ୍କ ପାଇଁ ଦହି ସରବତ ସହ ବିଭିନ୍ନ ସେବା ଯୋଗାଇ ଆସୁଥିବା ବେଳେ ବିଗତ ୮/୧୦ ବର୍ଷ ପୂର୍ବରୁ ଏହି କମିଟି ପକ୍ଷରୁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯିବା ସହ ଭକ୍ତଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅୟୋଜନ କରାଯାଇଥାଏ । କେବଳ ଯେ, ଅନ୍ନ ଦାନ ନୁହେଁ ରକ୍ତ ଦାନ ଭଳି ଏକ ମହତ ଦାନ ମଧ୍ୟ କରୁଛନ୍ତି, ଏହି ବୋଲବମ ଚାରି ଟେବୁଲ୍ ଟ୍ରଷ୍ଟ । ୧୦ ବର୍ଷ ପୂର୍ବରୁ ଏହି ଟ୍ରଷ୍ଟ ସଦସ୍ୟମାନେ ଏହି ମଣ୍ଡପ ଠାରେ ସାମୂହିକ ଭାବେ ରକ୍ତ ଦାନ ଶିବିର ଅୟୋଜନ କରି ରୋଗୀଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେଉଛନ୍ତି । ପ୍ରଭୁଙ୍କ କୃପାରୁ ଏହି ଟ୍ରଷ୍ଟର ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ, ପଦ୍ମ ଲୋଚନ ଦଳେଇଙ୍କ ପରାମର୍ଶରେ ସଭାପତି ଶେଷଦେବ ମେହେର, ସଂପାଦକ ଖଗେଶ୍ୱର ମେହେର, ପୂଜକ ପଦ୍ମନାଭ ବେହେରା, ଲଡ଼ୁ କିଶୋର ମଲ୍ଲିକ, ମନୋରଞ୍ଜନ ଦାଶଙ୍କ ସଂଯୋଜନା ଏବଂ ସମସ୍ତ ସଦସ୍ୟଙ୍କ ସହଯୋଗରେ ଏହି ସେବାକାର୍ଯ୍ୟ ସଫଳ ହୋଇପାରୁଛି ବୋଲି ଶ୍ରୀ ମଲ୍ଲିକ ଓ କମିଟି ସଭାପତି ପ୍ରକାଶ କରିଛନ୍ତି । ଜିଲ୍ଲା ତଥା ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ମନ୍ଦିର ମାଳିନୀ ସହର ସୁବର୍ଣ୍ଣପୁରର ଶ୍ରୀ ରାମେଶ୍ୱର ଶୈବ ପୀଠ, ଶ୍ରୀ ସୁବର୍ଣ୍ଣ ମେରୁ ଓ ବିଭିନ୍ନ ଶୈବ ପୀଠ ରେ ୨୦/୩୦ ହଜାରରୁ ଉର୍ଦ୍ଧ୍ୱ ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ବେଳେ ଏହି ସମସ୍ତ ଭକ୍ତଙ୍କ ପାଇଁ ମଝିପଡା ବୋଲବମ ଚାରି ଟେବୁଲ୍ ସୋସାଇଟି ଓ ଗଙ୍ଗାଧର ଛକ ଯୁବକ ସଂଘ, ଓ ମଝିପଡା ମାର୍କେଟ କମ୍ପ୍ଲେକ୍ସ ଠାରେ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଉଥିବା ଦେଖାଯାଉଛି । ଯାହାକି ସହରର ବୁଦ୍ଧିଜୀବୀଙ୍କ ପକ୍ଷରୁ ଏହି ବୋଲବମ ଚେରି ଟେବୁଲ୍ ସୋସାଇଟି ଓ ବିଭିନ୍ନ ସଂଗଠନକୁ ପ୍ରଶଂସା କରାଯାଇଛି ।