pakka

କାର୍ଯ୍ୟକ୍ଷମ ହେଲା ବଲାଙ୍ଗିରର ନୂତନ ବସ୍‌ ଟର୍ମିନାଲ, ଶୁଭାରମ୍ଭ ହେଲା ଓଏସ୍‌ଆର୍‌ଟିସି ବସ୍‌ ଚଳାଚଳ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିଠୁ ବଲାଙ୍ଗିରର ନୂତନ ବସ୍‌ ଟର୍ମିନାଲ କାର୍ଯ୍ୟକ୍ଷମ ହୋଇଛି । ଏହି ନୂତନ ବସ୍‌ ଟର୍ମିନାଲରୁ ଆଜି ଓଏସ୍‌ଆର୍‌ଟିସି ବସ୍‌ ଚଳାଚଳର ଶୁଭାରମ୍ଭ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଆଜି ପ୍ରାତଃ ୪ଟା ୪୫ମି. ସମୟରେ ବଲାଙ୍ଗିର-ଫୁଲବାଣୀ ଓଏସ୍‌ଆର୍‌ଟିସି ବସ୍‌କୁ ସବୁଜ ପତାକା ଦେଖାଇ ବସ୍‌ ଚଳାଚଳ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏଣିକି ବଲାଙ୍ଗିର ଓଏସ୍‌ଆର୍‌ଟିସି ୟୁନିଟ୍‌ ସହିତ ବଲାଙ୍ଗିର ଦେଇ ଯାଉଥିବା ବିଭିନ୍ନ ବସ୍‌ ଟର୍ମିନାଲ ଦେଇ ଚଳାଚଳ କରିବ । ବଲାଙ୍ଗିର ନୂତନ ବସ୍‌ ଟର୍ମିନାଲରୁ ୨୪ ଗୋଟି ରୁଟ୍‌ରେ ଓଏସ୍‌ଆର୍‌ଟିସି ବସ୍‌ ଆଜିଠୁ ଚଳାଚଳ କରିବ । ଏଥିରେ ଭୁବନେଶ୍ୱର ଓଏସ୍‌ଆର୍‌ଟିସି ୟୁନିଟ୍‌ର ଗୋଟିଏ, ଭବାନୀପାଟଣା ୟୁନିଟ୍‌ର ଗୋଟିଏ, ବରଗଡ଼ ୟୁନିଟ୍‌ର ୫ଟି, ବଲାଙ୍ଗିର ୟୁନିଟ୍‌ର ୭ଟି, କେନ୍ଦୁଝର ୟୁନିଟ୍‌ର ଗୋଟିଏ, ପଦମପୁର ୟୁନିଟ୍‌ର ୪ଟି, ସମ୍ବଲପୁର ୟୁନିଟ୍‌ର ୩ଟି, ରାଉରକେଲା ୟୁନିଟ୍‌ର ଗୋଟିଏ ଓ ଅନୁଗୋଳ ୟୁନିଟ୍‌ର ଗୋଟିଏ ରୁଟ୍‌ରେ ବଲାଙ୍ଗିର ନୂତନ ବସ୍‌ ଟର୍ମିନାଲ ଦେଇ ଚଳାଚଳ କରିବ । ଏଥିପାଇଁ ସମସ୍ତ ରୁଟ୍‌/ବସ୍‌ର ସମୟ ସଂପର୍କରେ ରାଜ୍ୟ ପରିବହନ ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ବଲାଙ୍ଗିର ଜିଲ୍ଲାବାସୀଙ୍କ ନିମନ୍ତେ ଏହି ନୂତନ ବସ୍‌ ଟର୍ମିନାଲ ଲୋକାର୍ପଣ ହୋଇଛି । ଉତ୍ତମ ସେବା ଯୋଗାଇ ଦେବାରେ ଓଏସ୍‌ଆର୍‌ଟିସି ଓ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ସହ ବସ୍‌ ଟିର୍ମିନାଲକୁ ପରିସ୍କାର ପରିଚ୍ଛନ୍ନ ରଖିବା ନିମନ୍ତେ ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଆଜିର ଏହି ବସ୍‌ ଚଳାଚଳ ଶୁଭାରମ୍ଭ କାର୍ୟ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ଭୁବନେଶ୍ୱର ମୁଖ୍ୟାଳୟର ଡିଟିଏମ୍‌(ଅପରେସନ୍‌) ପ୍ରଶାନ୍ତ କୁମାର ହୋତା, ଭୁବନେଶ୍ୱର ମୁଖ୍ୟାଳୟର ମାନବ ସମ୍ବଳ ପରିଚାଳକ ଦୁର୍ଗାମାଧମ ମହାପାତ୍ର, ଅତିରିକ୍ତ ଇଷ୍ଟେଟ୍‌ ଅଧିକାରୀ ଗଗନ ବିହାରୀ ସେନାପତି, ଓଏସ୍‌ଆର୍‌ଟିସି ବଲାଙ୍ଗିର ୟୁନିଟ୍‌ର ଭାରପ୍ରାପ୍ତ ଅଧିକାରୀ ସାରସ କୁମାର ଦାସ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ବଲାଙ୍ଗିର ତହସିଲ୍‌ଦାର୍‌ ମଘବାନ ବାଗ, ବଲାଙ୍ଗିର ପୌର ପରିଷଦର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ, ସହକାରୀ ଜିଲ୍ଲାପାଳ ଦିଲୀପ କୁମାର ମାଝୀ, ଗୁରେଶ୍ୱର ଭୋଇ, ଓଏସ୍‌ଆର୍‌ଟିସିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଆଜି ନୂତନ ବସ୍‌ ଟର୍ମିନାଲରୁ ଯାତ୍ରା କରିଥିବା କେତେକ ଯାତ୍ରୀ ନୂତନ ବସ୍‌ ଟର୍ମିନାଲ କାର୍ଯ୍ୟକ୍ଷମ ହୋଇଥିବାରୁ ଖୁସି ପ୍ରକଟ କରିଛନ୍ତି ।

jay balangir
Leave A Reply

Your email address will not be published.

14 + thirteen =