pakka

ଜୁଲାଇ ୧ରୁ ନୂତନ ବସ ଟର୍ମିନାଲରୁ ଗଡ଼ିବ ଘରୋଇ ବସ୍‌ : ଘରୋଇ ବସ ମାଲିକ ସଂଘ

  • ପୌରାଞ୍ଚଳ ବସଷ୍ଟପରୁ ଲୋକେ ଶସ୍ତା ଓ ସୁବିଧାରେ ବସଷ୍ଟାଣ୍ଡକୁ ଯିବା ଆସିବା କରି ପାରିବେ ।
  • ଅସୁବିଧା ଉପୁଜିଲେ ବସ ଧର୍ମଘଟ ଚେତାବନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ୍ୟ ଦୃଷ୍ଟିରୁ ବହୁ ପ୍ରତୀକ୍ଷିତ ନୂତନ ବସ ଟର୍ମିନାଲକୁ ଆଗାମୀ ଜୁଲାଇ ୧ ତଥା ରଥଯାତ୍ରା ଦିନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରାଯିବ ବୋଲି ଜିଲ୍ଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି । ଏହାସହ ବସ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସଂଘ ଏକ ସିଟି ସର୍ଭିସ ପ୍ୟାକେଜ ଘୋଷଣା କରିଛି । ନୂଆ ବସଷ୍ଟାଣ୍ଡ ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ନଥିବାରୁ ବସଯାତ୍ରୀମାନଙ୍କ ବସଷ୍ଟାଣ୍ଡକୁ ଯିବାଆସିବାକୁ ସହଜ ଏବଂ ଶସ୍ତା କରିବା ପାଇଁ ଏଭଳି ପ୍ୟାକେଜ ଘୋଷଣା କରାଯାଇଥିବା ସଂଘ ପକ୍ଷରୁ କୁହାଯାଇଛି । ପ୍ୟାକେଜ ଅନୁଯାୟୀ ବଲାଙ୍ଗିର ପୌରାଞ୍ଚଳର ଯେକୌଣସି ବସଷ୍ଟପରୁ ଘରୋଇ ବସ ମାନଙ୍କରେ ସର୍ବନିମ୍ନ ଭଡା ଦେଇ ଯାତ୍ରୀମାନେ ବସଷ୍ଟଣ୍ଡକୁ ଯିବାଆସିବା କରି ପାରିବେ । ଅନେକ ଅସୁବିଧା ଓ ବାଧାବିଘ୍ନ ସତ୍ୱେ ନୂତନ ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରାଯିବ ବୋଲି ସଭାପତି ହେମନ୍ତ ପଣ୍ଡା କହିଛନ୍ତି । ସେ କହିଥିଲେ ଯେ, ଦୀର୍ଘ ବର୍ଷ ହେଲା ବଲାଙ୍ଗିରର ବିଭିନ୍ନ ସାମାଜିକ ଅନୁଷ୍ଠାନ ବସଷ୍ଟାଣ୍ଡ ସ୍ଥାନାନ୍ତର ପାଇଁ ଦାବୀ କରି ଆସୁଥିଲେ । ମୁଖ୍ୟମନ୍ତ୍ରୀ ଗତ ସେପ୍ଟେମ୍ବର ୨୨ ତାରିଖ ଦିନ ବସଷ୍ଟାଣ୍ଡ ଲୋକାର୍ପଣ କରିବା ପରେ ଘରୋଇ ବସ ମାଲିକ ସଂଘ ପକ୍ଷରୁ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଥିଲା । କିନ୍ତୁ ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ବସ ମାଲିକ ସଂଘକୁ ଯେଉଁ ସବୁ ପ୍ରତିଶୃତି ଦିଆଯାଇଥିଲା ତାହାକୁ କାର୍ଯ୍ୟକାରୀ କରାନଯାଇ ବିପରୀତ ତଥା ଓଲଟପାଲଟ ଭବେ ଚିଠି ପ୍ରଦାନ କରାଯାଉଥିଲା । ଲିଖିତ ଭାବେ ସଂଘର ଦାବୀ ମୁତାବକ କୌଣସି ପ୍ରକାର ରାଜିନାମା ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇ ନାହିଁ । ବସଷ୍ଟାଣ୍ଡ ସ୍ଥାନାନ୍ତର ପାଇଁ ଜିଲା୍ଲ ପ୍ରଶାସନ ମଧ୍ୟ ବସ ମାଲିକ ସଂଘ ସହିତ ଅନେକ ବୈଠକ କରି ଯାତ୍ରୀ ପରିବହନ ସେବାରେ କୋଣସି ପ୍ରକାର ବ୍ୟାଘାତ ବିନା ସ୍ଥାନାନ୍ତରକୁ ଗୁରୁତ୍ୱ ଦେଇଥିଲା । କିନ୍ତୁ ରାଜ୍ୟ ପରିବହନ ନିଗମ ଘରୋଇ ବସ ମାଲିକସଂଘକୁ କୌଣସି ପ୍ରକାର ସୁବିଧା ଦେବା ପାଇଁ ମନା କରି ଦେଇଥିଲେ । ନିଜେ ପରିବହନ ନିଗମର ମୁଖିଆ ଆସି ଯେଉଁ ପ୍ରତିଶୃତି ଦେଇଥିଲେ ତାହା ମଧ୍ୟ ପାଳନ କରାଗଲା ନାହିଁ । ଏଭଳି ଅବସ୍ଥାରେ ବସଷ୍ଟାଣ୍ଡ ସ୍ଥାନାନ୍ତରକୁ ନେଇ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିଲା ଫଳରେ ଆହୁରି ବିଳମ୍ବ ହେବା ସମ୍ଭାବନା ଦେଖାଦେଇଥିଲା । ଏସବୁ ପରିସ୍ଥିତିକୁ ଉପଲବ୍ଧି କରି ଆଜି ଜିଲ୍ଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ଏକ ପାଖିଆ ଭାବେ ବସଷ୍ଟାଣ୍ଡ ସ୍ଥାନାନ୍ତର ପାଇଁ ଘୋଷଣା କରାଯାଇଛି । ନୂତନ ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବାରେ ବିଳମ୍ବ ପାଇଁ ରାଜ୍ୟ ପରିବହନ ନିଗମକୁ ଦାୟୀ କରାଯାଇଛି । ରାଜ୍ୟ ପରିବହନ ନିଗମର ଟାଳଟୁଳ ନୀତି ଓ ଦ୍ୱନ୍ଦାତ୍ମକ ନିଷ୍ପତ୍ତି ଯୋଗୁଁ ବସ ମାଲିକ ସଂଘ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନେଇ ପାରୁ ନଥିଲା ବୋଲି ପଣ୍ଡା ଅଭିଯୋଗ କରିଛନ୍ତି । ବସଷ୍ଟାଣ୍ଡ ମୁଖ୍ୟ କୋଠାରେ ଏକ କାର୍ଯ୍ୟାଳୟ ପାଇଁ ବସଷ୍ଟାଣ୍ଡ ଡିଜାଇନ ହେବା ଦିନଠାରୁ ସଂଘ ଦାବୀ ଉପସ୍ଥାପନ କରି ଆସୁଛି । କିନ୍ତୁ ଶେଷ ମୁହୂର୍ତ୍ତରେ ଏହାକୁ ପରିବହନ ନିଗମ ମନା କରିବା ପରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ସଂଘର ବସ ଗୁଡିକ ପାର୍କିଂ ଦେୟ ଦେଇ ମାଲିକ ମାନେ ବସଷ୍ଟାଣ୍ଡ ବାହାରେ ରହିବେ ଏଭଳି କଥା ଆଦୌ ଗ୍ରହଣୀୟ ନୁହେଁ । ଏହାକୁ ବରଦାସ୍ତ କରାଯାଇ ପାରିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଯାତ୍ରୀମାନଙ୍କ ସୁବିଧା ପାଇଁ ସାଇକଲ, ବାଇକ ଷ୍ଟାଣ୍ଡ ଓ ଶୌଚାଳୟ ନିର୍ମାଣ ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇ ନାହିଁ । ଏସବୁ ସତ୍ତେ୍ୱ ବଲାଙ୍ଗିର ଜିଲ୍ଲା ଘରୋଇ ବସ ମାଲିକ ସଂଘ ବଲାଙ୍ଗିରର ସ୍ୱାର୍ଥ୍ୟ ପାଇଁ ଏକପାଖିଆ ଭାବେ ସ୍ଥାନାନ୍ତର ନିଷ୍ପତ୍ତି ନେଇଛି । ଏହାକୁ ନେଇ ପରିବହନ ନିଗମ ପକ୍ଷରୁ ଅସୁବିଧା ସୃଷ୍ଟି କରାଗଲେ ସମଗ୍ର ଜିଲ୍ଲାରେ ଘରୋଇ ବସ ଚଳାଚଳ ଠପ୍‌ କରି ଦିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ନିରନ୍ତର ଓ ନିୟମିତ ଭାବେ ଯାତ୍ରୀ ସେବା ଦେଇ ଆସୁଥିବା ଘରୋଇ ବସ ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାଧ୍ୟ ହେବ ବୋଲି ସଂଘ ନିଷ୍ପତ୍ତି ନେଇଥିବା କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ସୌମେନ୍ଦ୍ର ପରିଛା, ସମ୍ପାଦକ ପ୍ରଦ୍ୟୁତ ମିଶ୍ର, କୋଷାଧ୍ୟକ୍ଷ ଶିବ ଶଙ୍କର ପଟେଲ, ସହ ସମ୍ପାଦକ ଲିକୁନ ଆଚାର୍ଯ୍ୟଙ୍କ ସମେତ ବରିଷ୍ଟ ସଭ୍ୟ ଦୁର୍ଗାଚରଣ ବେହେରା, ଆଶୁତୋଷ ମିଶ୍ର, ଡମ୍ବରୁଧର ଆଚାର୍ଯ୍ୟ, ମାନସ ରଞନ ନାୟକ, ସୁନୀଲ ମିଶ୍ର, ହିମାଂଶୁ ନାଏକ, ଚନ୍ଦ୍ରମଣି ତ୍ରିପାଠୀ, ଶରତ ପଟ୍ଟନାୟକ, ଜ୍ୟୋତି କୁମ୍ଭାର, ପ୍ରାଣନାଥ ପଧାନ, ଭବାନୀଶଙ୍କର ପଟେଲ, ମୁନା ଶତପଥି, ଟିକୁ ନନ୍ଦ, ପିଣ୍ଟୁ ପଟନାୟକ, ସଞିବ ସାହୁ, ଲକି ସାହୁ ଜୟନ୍ତ ସିଂଦେଓ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

11 + 16 =