
ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲନଗର ଡି ବ୍ଲକର ବୃକ୍ଷରୋପଣ ଓ ପାର୍କ ଉନ୍ନୟନ ସଂଘ ପକ୍ଷରୁ ବନମହୋତ୍ସବ କାର୍ଯ୍ୟକ୍ରମ ଅନ୍ତର୍ଗତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଡି ବ୍ଲକ ସ୍ଥିତ ବରିଷ୍ଠ ନାଗରିକ ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଜୟଶ୍ରୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତା ଓ ଦିଲ୍ଲିପ କୁମାର ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସିଏଫ୍ ଗଜେନ୍ଦ୍ର ସିଂ ମ୍ୟାଥ୍ୟୁ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ରେଞ୍ଜର ଜ୍ଞାନେନ୍ଦ୍ର ଲିମା, ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଜଳଧର ମହାପାତ୍ର, ରାଉରକେଲା ବିଧାୟକଙ୍କ ପ୍ରତିନିଧି ବିରେନ୍ ସେନାପତି, ସମାଜସେବୀ ପ୍ରଶାନ୍ତ ସେଠୀ ଓ ସଂଘର ସମ୍ପାଦକ ଦିଲ୍ଲୀପ କୁମାର ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଶ୍ରୀ ମ୍ୟାଥ୍ୟୁ, ସମ୍ମାନିତ ଅତିଥି ଶ୍ରୀ ମହାପାତ୍ର ଓ ଶ୍ରୀ ସେନାପତି ସେମାନଙ୍କ ବକ୍ତବ୍ୟରେ ବୃକ୍ଷରୋପଣର ଆବଶ୍ୟକତା, ଉପକାରିତା ଓ ଆଗାମୀ ପିଢ଼ି ପାଇଁ କିପରି ଆଶିର୍ବାଦ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଅତିଥିମାନେ ପ୍ରାକ୍ତନ ସ୍ୱର୍ଗତ ସଭାପତିଙ୍କ ସହଧର୍ମିଣୀ ନଳିନୀ ସୂତାର, ଅନୁପ ସୁନ୍ଦରରାୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପରେ ଉପସ୍ଥିତ ଥିବା ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲର ଇକୋ କ୍ଲବର ଛାତ୍ରଛାତ୍ରୀ, ସିନେଟ୍ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀ ତଥା ପାର୍କର ବରିଷ୍ଠ ନାଗରିକ ମାନେ ମିଳିତ ଭାବେ ଶତାଧିକ ଫଳନ୍ତି ବୃକ୍ଷ ଓ ଔଷଧୀୟ ବୃକ୍ଷର ଚାରା ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମାଜସେବୀ ରିଙ୍କୁ ଜୟସ୍ୱାଲ, ସୁପ୍ରଭା ମହାନ୍ତି, ଅଲିଅଳ ବେହେରା, ପ୍ରେମାନନ୍ଦ ସାମଲ, ଗଗନ ପଣ୍ଡା, ରମେଶ ଚନ୍ଦ୍ର ରଥ, ଡ ଇନ୍ଦ୍ରମଣି ବେହେରା, ଶିଶିର ମୁଦାଲିଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ରହି ଅଂଶଗ୍ରହଣ କରିଥିଲେ ।