ଦୁର୍ବଳ ଉପରେ ସବଳର ଅତ୍ୟାଚାର : ୭୧ ବର୍ଷୀୟ ବୃଦ୍ଧଙ୍କ ଭତ୍ତା ବନ୍ଦ କରି ସାହାସିକତା ପ୍ରଦର୍ଶନ କରୁଛି ବ୍ଲକ ପ୍ରଶାସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧୀନସ୍ଥ ରାଜବୋଡାସମ୍ବର ବ୍ଲକ ପ୍ରଶାସନର ତ୍ର୍ରୁଟି ବିଚ୍ୟୁତି ଖବର ପ୍ରତ୍ୟହ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ସମସ୍ତେ ଅବଗତ ଅଛନ୍ତି । ରାଜ୍ୟ ସରକାର ଲୋକଙ୍କ ସୁବିଧା ପାଇଁ ‘ମୋ ସରକାର’ ଏବଂ ୫ଟି ଯୋଜନା କାର୍ୟ୍ୟକାରୀ କରିଥିବା ବେଳେ ପଦ୍ମପୁର ଉପଖଣ୍ଡରେ ତାହା ଧୂଆଁବାଣ ସାଜିଛି । ବର୍ତ୍ତମାନ ମଧ୍ୟ ସରକାରୀ ଅଧିକାରୀଙ୍କ ହାକିମଗିରି ବନ୍ଦ ହେଉନାହିଁ ବୋଲି ଆଲୋଚନା ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଲୋକମାନେ ହେଉଛନ୍ତି ପ୍ରକୃତ ମାଲିକ ଏବଂ ପ୍ରଶାସନିକ ଅଧିକାରୀମାନେ ଲୋକଙ୍କ ସେବାପାଇଁ ନିଯୁକ୍ତି ହୋଇଛନ୍ତି, ଯାହାକି ମହାତ୍ମା ଗାନ୍ଧୀ ମଧ୍ୟ କହିଥିଲେ । ଏଭଳି ଗୋଟିଏ ଲେଖାଏଁ ବୋର୍ଡ ସମସ୍ତ କାର୍ୟ୍ୟାଳୟରେ ଛପା ଯାଇଛି ସତ, କିନ୍ତୁ ପଦ୍ମପୁର ଉପଖଣ୍ଡ ସ୍ତରୀୟ ଅଧିକାରୀଙ୍କ ଉପରେ ଏହାର ପ୍ରଭାବ ଏଯାଏଁ ପଡ଼ିନାହିଁ । ଯଦି କୌଣସି ଅଭିଯୋଗକାରୀ ଅଭିଯୋଗ କରିବାକୁ ଯାଉଛ‌ନ୍ତି, ତାଂକୁ ସେବା କରିବା ପ୍ରତିବଦଳରେ ଓଲଟା ସେମାନଙ୍କ ଦୋଷ ଲଦି ଦେଉଛନ୍ତି । ଏଭଳି ସ୍‌ସ୍ଥିତିରେ ଅଭିଯୋଗ କରିବାକୁ ଲୋକେ ଭୟ କରୁଛନ୍ତି । ବିଡିଓଙ୍କ ପାଖକୁ ଗଲେ ପଂଚାୟତକୁ ଯାଅ ବୋଲି ଘଉଦେଇ ଦେଉଥିବା ଅଭିଯୋଗ ଆସିଛି ପଦ୍ମପୁର ଉପଖଣ୍ଡରୁ । ଟ୍ୱିଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ମଧ୍ୟ ସେହି ଏକା କଥା । ନିଜର ଦୋଷ ଦୁର୍ବଳତାକୁ ଲୁଚେଇବା ପାଇଁ ସଦାସର୍ବଦା ଲୋକଙ୍କ ଦୋଷ ବୋଲି ଲେଖାଯାଉଛି । ଏହିପରି ଭବେ ସରକାରୀ ଯୋଜନା ସବୁ ଫେଲ ମାରିଛି ପଦ୍ମପୁର ଉପଖଣ୍ଡ ତଥା ରାଜବୋଡାସମ୍ବର ବ୍ଲକରେ ବୋଲି ବୁଦ୍‌ଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

ସୂଚନା ଅନୁଯାୟୀ ରାଜବୋଡାସମ୍ବର ବ୍ଲକ ମହୁଲପାଲି ପଞ୍ଚାୟତ ଅନ୍ତର୍ଗତ ଦରବେକେଲା ଗ୍ରାମର ନିରାକାର ବାରିକ ଜଣେ ବୃଦ୍ଧ ବ୍ୟକ୍ତି, ତାଙ୍କର ବୟସ ୭୧ ବର୍ଷ । ସେ ସରକାରଙ୍କ ତରଫରୁ ମଧୁବାବୁ ଭତ୍ତା ପାଉଥିଲେ । କିନ୍ତୁ ୨୦୧୯ ଅଗଷ୍ଟ ମାସ ପରେ ତାଙ୍କ ଭତ୍ତା ବନ୍ଦ କରି ଦିଆଗଲା । ମ୍ୟାଲେରିଆ ଜ୍ୱରରେ ପୀଡିତ ହେବା ପରେ ୨ ମାସ ଭତ୍ତା ଆଣି ଯିବାକୁ ଅସମର୍ଥ ହେବାରୁ ତାଙ୍କ ପୁଅ ସେହି କଥା ପଂଚାୟତ ନିର୍ବାହୀ ଅଧିକାରୀ ତଥା ସରପଞ୍ଚଙ୍କୁ କହିଥିଲେ । କିନ୍ତୁ ତାଙ୍କ ଗୁହାରୀ ଶୁଣିଲେ ନାହିଁ ସାହେବମାନେ । ଜ୍ୱରରେ ପୀଡିତ ବ୍ୟକ୍ତିଙ୍କ ପାଇଁ ତାଙ୍କର ଭତ୍ତା କେତେ ମହତ୍ତ୍ୱପୂର୍ଣ୍ଣ ତାହା ଜାଣିବା ପରେ ମଧ୍ୟ ସବୁ ଜାଣି ଚୁପ୍‌ ରହି ଘରକୁ ଯାଇ ଭତ୍ତା ପ୍ରଦାନ କରିବା ବ୍ୟବସ୍ଥା କଲେନାହିଁ । ଏନେଇ ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ସନ୍ତୋଷଜନକ ନଥିଲା ବୋଲି ଅଭିଯୋଗ କରିଛ‌ନ୍ତି ହିତାଧିକାରୀ ।

ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ ଏଭଳି ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁଁ ଗରିବ ନିରୀହ ଲୋକେ ଯେଉଁଭଳି ଭାବେ ହଇରାଣ ନ ହେବେ, ସେଥିପ୍ରତି ସରକାର ଧ୍ୟାନ ଦେବା ଆବଶ୍ୟକ ରହିଛି ବୋଲି ଜନସାଧାରଣ ମତବ୍ୟକ୍ତ କରୁଛନ୍ତି । ତୁରନ୍ତ ଉକ୍ତ ବୃଦ୍ଧଙ୍କ ଗତ ଏକବର୍ଷର ଭତ୍ତା ପ୍ରଦାନ କରିବାକୁ ବରଗଡ଼ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Leave A Reply

Your email address will not be published.