ଆଇପିଏଲ୍‌ : ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୨୦ ରନରେ ହରାଇଲା ଚେନ୍ନାଇ, ତୃତୀୟ ବିଜୟ ସହ ଷଷ୍ଠ ସ୍ଥାନରେ ଚେନ୍ନାଇ

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୨୯ ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୨୦ ରନ୍‌ରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ୍।‌ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ବତ୍ତି ଚେନ୍ନାଇ ୧୬୭ ରନ୍ କରିଥିଲା। ଏହାପରେ ଦ୍ବିତୀୟ ପାଳିରେ ହାଇଦ୍ରାବାଦ ୧୬୮ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୮ ୱିକେଟ ହରାଇ ୧୪୭ ରନ୍‌ କରିବାକୁ ସକ୍ଷମ ହୋଇ ପରାଜୟ ବରଣ କରିଥିଲା। ଏହି ବିଜୟ ସହ ଚେନ୍ନାଇ ଦଳ ୮ ମ୍ୟାଚରୁ ତୃତୀୟ ବିଜୟ ପାଇଥିବା ବେଳେ ହାଇଦ୍ରାବାଦ ସମାନ ସଂଖ୍ୟକ ମ୍ୟାଚରୁ ପଞ୍ଚମ ପରାଜୟ ବରଣ କରିଥିଲା ।

ଚେନ୍ନାଇ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଦଳକୁ ଆରମ୍ଭରୁ ହିଁ ଝଟକା ଲାଗିଥିଲା । ଓପନର ଫାଫ୍ ଡୁ ପ୍ଲେସିସ୍ କୌଣସି ରନ ନ କରି ଆଉଟ ହୋଇଯାଇଥିଲେ । ତେବେ ସାମ କରନ୍ ଓ ସେନ ଓ୍ବାଟସନ ସତର୍କତାର ସହ ଖେଳି ଦଳକୁ ବିପଦମୁକ୍ତ କରିବା ସହ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । କରନ୍ ୩୧ ରନ କରିଥିବା ବେଳେ ଓ୍ବାଟସନ ୪୨ ରନ କରିଥିଲେ । କରନ୍ ଆଉଟ ହେବା ପରେ ଆସିଥିବା ଅମ୍ବାତି ରାଇଡୁ ୪୧ ରନ କରିଥିଲେ । ଅଧିନାୟକ ମହେନ୍ଦ୍ର ସିଂ ଧୋନି ୨୧ ରନ ଓ ରବୀନ୍ଦ୍ର ଜାଦେଜା ୨୫ ରନ କରିଥିଲେ । ଫଳରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ୍ ହରାଇ ୧୬୭ରନ କରିପାରିଥିଲା ।

ହାଇଦ୍ରାବାଦ ପକ୍ଷରୁ ପ୍ରଥମରୁ ଧିମା ବ୍ୟାଟିଂ ଦେଖିବାକୁ ମିଳିଥିଲା ଡେଭିଡ ୱାର୍ଣ୍ଣର ୯ ରନ୍‌ କରିଥିବା ବେଳେ ଜନି ବେୟାରଷ୍ଟୋ ୧୬ ଆଉଟ ହୋଇଥିଲେ । ଅନ୍ୟପଟେ କେନ୍ ୱିଲିୟମ୍ସନ୍ ୩୯ ବଲରେ ୫୭ ରନ୍‌ କରିଥିଲେ ମଧ୍ୟ ଦଳକୁ ବିଜୟ ଦେବାରେ ସକ୍ଷମ ହୋଇ ନଥିଲେ । ଚେନ୍ନାଇ ପକ୍ଷରୁ କରଣ ଶର୍ମା ଓ ବ୍ରାଭୋ ୨-୨ଟି ୱିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର ଓ ସାମ୍ କରନ୍ ୧-୧ ୱିକେଟ ନେଇ ଚେନ୍ନାଇକୁ ବିଜୟ ଦେଇଥିଲେ। ଫଳରେ ଚେନ୍ନାଇ ଏହି ବିଜୟ ସହ ୬ ଅଙ୍କ ସଂଗ୍ରହ କରି ଦଳ ତାଲିକାରେ ୬ଷ୍ଠ ସ୍ଥାନରେ ରହିଛି।

Leave A Reply

Your email address will not be published.