ମୋ’ ସ୍କୁଲ୍ ଅଭିଯାନ : ବି.ଏମ୍‌. ହାଇସ୍କୁଲ୍‌କୁ ପୁରାତନ ଛାତ୍ର ଦେଲେ ୫୦ ହଜାର

ଭବାନୀପାଟଣା, (କେପିଏନ୍‌ଏସ୍‌) : ଭବାନୀପାଟଣା ସ୍ଥିତ ବ୍ରଜମୋହନ ହାଇସ୍କୁଲ୍‌ର ପୁରାତନ ଛାତ୍ର ସୁମନ୍ତ କୁମାର ଚୋପଦାର ମୋ’ ସ୍କୁଲ୍ ଅଭିଯାନରେ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଶ୍ରୀ ଚୋପଦାର ୧୯୭୧ରୁ ୧୯୭୩ ଯାଏଁ ବ୍ରଜମୋହନ ହାଇସ୍କୁଲ୍‌ରେ ସପ୍ତମରୁ ନବମ ଶ୍ରେଣୀ ଯାଏଁ ଅଧ୍ୟୟନ କରିଥିଲେ । ସେ ନିକଟରେ ବ୍ରଜମୋହନ ହାଇସ୍କୁଲ୍ ପରିଦର୍ଶନ କରି ସ୍କୁଲ୍‌ର ଭଲମନ୍ଦ ପଚାରି ବୁଝିଥିଲେ । ସ୍କୁଲ୍‌ର ସେଣ୍ଟେନାରୀ ହଲ୍‌ରେ ଫର୍ନିଚର୍‌ର ଅଭାବ ଅନୁଭବ କରି ଏଥିନିମନ୍ତେ ମୋ’ ସ୍କୁଲ୍ ଅଭିଯାନ ପାଇଁ ଉକ୍ତ ଅର୍ଥରାଶି ପ୍ରଦାନ କରିଛନ୍ତି । ଏହି ଅର୍ଥରାଶିକୁ ସେ ତାଙ୍କ ସାନଭାଇ ବର୍ତ୍ତମାନର କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ମାଧ୍ୟମରେ ବ୍ରଜମୋହନ ହାଇସ୍କୁଲ୍‌ର ପ୍ରଧାନଶିକ୍ଷକ ଜଗନ୍ନାଥ ପୁରୋହିତ ଓ ସହକାରୀ ଶିକ୍ଷକ ଶରତ କୁମାର ପୁରୋହିତଙ୍କୁ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଜରିଆରେ ପ୍ରଦାନ କରିଛନ୍ତି । ସଂପ୍ରତି ସୁମନ୍ତ କୁମାର ଚୋପଦାର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ଭୁବନେଶ୍ୱରର ଡେପୁଟି କମିଶନର୍ ଭାବେ କାର୍ୟ୍ୟରତ । ତାଙ୍କର ବଦାନ୍ୟତାକୁ ବ୍ରଜମୋହନ ହାଇସ୍କୁଲ୍‌ର ପୁରାତନ ଛାତ୍ର ସଂସଦ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଭୂୟସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.