ସତ୍ୟର କଣ୍ଟରୋଧ କରିବାକୁ ଚେଷ୍ଟା କରୁଛି ଜିଲ୍ଲା ପ୍ରଶାସନ : ବିଜେପି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ଅନାଧିକାର ପ୍ରବେଶ । କୋଭିଡ ତଥ୍ୟ ପ୍ରସାରଣ ଅଭିଯୋଗରେ ଭୀମ ଭୋଇ ମେଡିକାଲ କର୍ତ୍ତୃପକ୍ଷ ସାଂସଦ ପ୍ରତିନିଧି ଦିନେଶ ଶର୍ମା ଉପରେ ଥାନାରେ ମାମଲା ରୁଜୁ କରିଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ନିଜ ଦୋଷ ଅପାରଗତାକୁ ଢାଙ୍କିବା ପାଇଁ ଶ୍ରୀ ଶର୍ମାଙ୍କ ଉପରେ ମିଥ୍ୟା ମାମଲା ରୁଜୁ କରିଛି । ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ଓ ପ୍ରଶାସନ ବିଜେପି କର୍ମୀଙ୍କ ଗଣତାନ୍ତ୍ରୀକ ଅଧିକାର କ୍ଷୁର୍ଣ୍ଣ କରିବା ସହ ମହାମାରୀ ସମୟରେ ସ୍ୱାସ୍ଥ୍ୟବ୍ୟସ୍ଥା ଅସଲ ଚିତ୍ର ଲୁଚାଇବାକୁ ଯାଇ ଏହି ହୀନ ଚକ୍ରାନ୍ତ କରିଥିବା ଜିଲ୍ଲା ବିଜେପି କହିଛି । ଗତ ୧୯ ମଇରେ ଜଣେ ରୋଗୀଙ୍କ ଅନୁରୋଧ କ୍ରମେ ସାଂସଦ ପ୍ରତିନିଧି ଦିନେଶ ଶର୍ମା ମେଡିକାଲ ଆଇସିୟୁକୁ ଯାଇଥିଲେ । ସେଠାରେ ଅଚଳ ଭେନ୍ଟିଲେଟର ଗୁଡିକ କପଡା ଢଙ୍କା ହୋଇଥିବା ଦେଖି ତାର ଫଟୋ ଉତ୍ତୋଳନ କରିବା ସହ ସାଥିରେ ଯାଇଥିବା ହସପିଟାଲ ମ୍ୟାନେଜର, ମେଡିକାଲ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ତଥା ଗଣମାଧ୍ୟମକୁ ପ୍ରଦାନ କରିଥିଲେ । ମହାମାରୀ ସମୟରେ ଜନହିତ ପାଇଁ ଏହି ଭେନ୍ଟିଲେଟର ଗୁଡିକୁ ପକାଇ ନରଖି ଯଥା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ସେ ଅନୁରୋଧ କରିଥିଲେ । କିନ୍ତୁ ଏହି ତଥ୍ୟ ପ୍ରକଟ ହେବା ପରେ ମେଡିକାଲ କର୍ତ୍ତୃପକ୍ଷ ତଥା ଜିଲ୍ଲା ପ୍ରଶାସନ ଉପରେ ଚାପ ପଡିବା ସହ ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅସଲ ଚିତ୍ର ସର୍ବସମ୍ମୁଖକୁ ଆସିଥିଲା । ଏଥିରେ ପ୍ରତିଶୋଧ ପରାୟଣ ହୋଇ ମେଡିକାଲ କର୍ତ୍ତୃପକ୍ଷ ତାଙ୍କ ନାଁରେ କୋଭିଡ ସମ୍ବନ୍ଧୀୟ ବିଭିନ୍ନ ମାମଲା ରୁଜୁ କରିଛନ୍ତି ବୋଲି ଆଜି ବିଜେପି ସମ୍ବାଦିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରିଛି । ଏହା ସହ କରୋନା ସମୟରେ ସମସ୍ତ ଅଧୀକାର ପ୍ରଶାସନ ହାତରେ ଥିବା ବେଳେ ପ୍ରଶାସନ ସତ ତଥା ଗଣତନ୍ତ୍ରର କଣ୍ଠରୋଧ କରିବାକୁ ଉଦ୍ୟମ କରୁଛି ବୋଲି ଲୋଇସିଂହା ବିଧାୟକ ଡା. ମୁକେଶ ମହାଲିଙ୍ଗ କହିଛନ୍ତି । ସେହିପରି ସାଂସଦ ସଙ୍ଗିତା ସିଂଦେଓ ଜିଲ୍ଲାପାଳଙ୍କୁ ଏହି ମାମଲା ପ୍ରତ୍ୟାହାର କରିବା ସହ ଜନସେବାରେ ମନ ଦେବା ପାଇଁ ଉପଦେଶ ଦେଇଛନ୍ତି । ତେବେ ଜିଲ୍ଲାପ୍ରଶାସନର ଇଙ୍ଗିତରେ ରୁଜୁ ହୋଇଥିବା ଏହି ମାମଲା ତୁରନ୍ତ ପ୍ରତ୍ୟାହାର ନକଲେ ବିଜେପି ଆଗାମୀ ଦିନରେ କଡା ପଦକ୍ଷେପ ଗ୍ରହଣ କରିବ ବୋଲି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଚେତାଇ ଦେଇଛନ୍ତି । ଅନ୍ୟ ପକ୍ଷରେ ଜିଲ୍ଲାପାଳ ଶ୍ରୀ ରାଣା କର୍ମଚାରୀ ଅଭାବରୁ ୬ଟି ଭେନ୍ଟିଲେଟର ଅଚଳ ଥିବା ଗଣମାଧ୍ୟମ ଆଗରେ ସ୍ୱୀକାର କରିଛନ୍ତି ।

Leave A Reply

Your email address will not be published.

fifteen − fifteen =