କଣ୍ଠେଶ୍ୱରପୁର ଡ୍ୟାମ୍‌ ଭାଙ୍ଗିବା ଘଟଣାରେ ସଂପୃକ୍ତ ଇଂଜିନିୟର ଓ ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ, ଚାଷୀଙ୍କୁ କ୍ଷତି ପୂରଣ ଦିଆଯାଉ : ବିଜେପି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ କଣ୍ଠେଶ୍ୱରପୁରଠାରେ ଗତ ୨୦୧୬ ମସିହାର ନିର୍ମିତ ହୋଇଥିବା ଡ୍ୟାମ୍‌ ଭାଙ୍ଗିଯିବା ଘଟଣାରେ ନିମ୍ନ ମାନର କାର୍ଯ୍ୟ କରିଥିବା ସଂପୃକ୍ତ ଇଂଜିନିୟର ଓ ଠିକାଦାର ବିରୋଧରେ ଦୃଢ ପଦକ୍ଷେପ ନେବା ସହ ପାଣି ମାଡିଯାଇ ଚାଷ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କୁ କ୍ଷତି ପୁରଣ ଦେବା ପାଇଁ ବିଜେପି ଦାବୀ କରିଛି । ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ କଣ୍ଠେଶ୍ୱରପୁର ଡ୍ୟାମ୍‌ ଅଞ୍ଚଳକୁ ଯାଇ ଡ୍ୟାମ୍‌ କିଭଲି ଭାଙ୍ଗିଲା ତାର ସରଜମିନ ତଦନ୍ତ କରିଥିଲେ । ବିଜେପି ନେତୃତ୍ୱ ମଣ୍ଡଳୀଙ୍କ ସହ ପ୍ରଭାବିତ ଅନେକ ଚାଷୀ ଉପସ୍ଥିତ ଥିଲେ । ଡ୍ୟାମ୍‌ର ଭିତ୍ତିଭୂମି ପରଖିବା ପରେ ଅତି ନିମ୍ନମାନ କାମ ହୋଇଥିବା ଜଣା ପଡିଥିଲା । ମାତ୍ର ୫ବର୍ଷ ଭିତରେ ଡ୍ୟାମ କିଭଲି ଭାଙ୍ଗିଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିମ୍ନମାନର କାର୍ଯ୍ୟ କରି ପିସି ଜରିଆରେ ବହୁ ଟଙ୍କା ଲୁଟ ହୋଇଥିବାର ଅଭିଯୋଗ କରି ଏହି ଡ୍ୟାମ ନିର୍ମାଣ ଦାୟିତ୍ୱରେ ଥିବା ଇଂଜିନିୟର ଓ ଠିକାଦାରଙ୍କ ବିରୋଧରେ ଦୃଢ ପଦକ୍ଷେପ ନେବା ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଦାବୀ କରିଛନ୍ତି । ଡ୍ୟାମ ଭାଙ୍ଗିଯିବା ଫଳରେ ୩୨୦ ହେକ୍ଟର ଜମିକୁ ମାଡି ଯିବାରୁ ଚାଷ ମଧ୍ୟ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତେଣୁ ଚାଷୀ ନଷ୍ଟ ହୋଇଥିବା ସମସ୍ତ ଚାଷୀଙ୍କୁ କ୍ଷତିଗ୍ରସ୍ତ ପୁରଣ ଦେବା ପାଇଁ ପୁରୋହିତ ଓଡ଼ିଶା ସରକାରଙ୍କ ଠାରେ ଦାବୀ କରିଛନ୍ତି । ଏ ଦିଗରେ ସରକାର ପଦକ୍ଷେପ ନ ନେଲେ ଡ୍ୟାମ ଭିତରେ ସତ୍ୟାଗ୍ରହ ଆନ୍ଦୋଳନ କରିବାକୁ ପୁରୋହିତ ଚେତାବନୀ ଦେଇଛନ୍ତି । ବିଜେପିର ଏହି ପ୍ରତିନିଧି ମଣ୍ଡଳୀର କୃଷକ ମୋର୍ଚ୍ଚାର ସଂଯୋଜକ ନିରୋଜ ଦାସ, ରାଜ ବୋଡାସମ୍ବର ବ୍ଲକ ସାଂସଦ ପ୍ରତିନିଧି ଡ. ଶ୍ରୀକାନ୍ତ ପାଣିଗ୍ରାହୀ, ମକରଧ୍ୱଜ ବଗାର, ନିର୍ମଳ ବାରିକ, କୁବେର ସାହୁ ଆଦି ସାମିଲ ହୋଇଥିଲେ ।

Leave A Reply

Your email address will not be published.

nineteen − six =