ଗର୍ନ୍ଧମାର୍ଦ୍ଦନ ଆନ୍ଦୋଳନରେ କାରାବରଣ କରିଥିବା ସତ୍ୟାଗ୍ରହୀମାନଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ୧୯୮୦ ଦଶକରେ ଗନ୍ଧମାର୍ଦ୍ଦନ ପର୍ବତରୁ ବାଳକୋର ବକ୍ସାଇଟ୍‌ ଖଣି ପ୍ରକଳ୍ପ ବିରୋଧରେ ‘ବାଲ୍ କୋ ହଟାଓ-ଗନ୍ଧମାର୍ଦ୍ଦନ ବଚାଓ’ ଏକ ଐତିହାସିକ ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ଗନ୍ଧମାର୍ଦ୍ଦନ ପର୍ବତରୁ ବକ୍ସାଇଟ୍‌ ଉତ୍ତୋଳନ କରିବା ପାଇଁ ତତ୍କାଳୀନ କଂଗ୍ରେସ ଦଳର ସରକାର ବାଳକୋକୁ ୪୭ ବର୍ଷ ପାଇଁ ଖଣିପଟ୍ଟା ପ୍ରଦାନ କରିଥିଲେ । ଗନ୍ଧମାର୍ଦ୍ଦନରେ ଖଣି ଖୋଲା ହେଲେ ଏହାର ପ୍ରାକୃତିକ ପରିବେଶ, ନଦୀ, ଝରଣା, ଜଙ୍ଗଲ ସମ୍ପଦ, ଦୁର୍ଲଭ ବନୌଷଧି, ନୃସିଂହନାଥ – ହରିଶଙ୍କର ତୀର୍ଥକ୍ଷେତ୍ର ଉପରେ ପ୍ରଭାବ ପଡିବାର ପ୍ରତିବାଦରେ ଗନ୍ଧମାର୍ଦ୍ଦନର ସୁରକ୍ଷା ପାଇଁ ଏକ ଜନଆନ୍ଦୋଳନ ମୁଣ୍ଡ ଟେକିଥିଲା । ଗନ୍ଧମାର୍ଦ୍ଦନର ସୁରକ୍ଷା ପାଇଁ ପ୍ରବଳ ଜନଆନ୍ଦୋଳନ ହେବା ଯୋଗୁଁ ତତ୍କାଳୀନ ଓଡ଼ିଶାର ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ବାଲ୍‌କୋର ଖଣି ପ୍ରକଳ୍ପକୁ ବାତିଲ କରିବା ପାଇଁ ବାଧ୍ୟ ହୋଇଥିଲେ । ବାଳକୋ କଂପାନୀ ସେ ସମୟରେ ରେଲୱେ ଲାଇନ, ରୁଫୱେ, ଟାଉନସିପ ଆଦି ନିର୍ମାଣ କରିବା ସହ ୫୨ କୋଟି ଟଙ୍କା ବିନିଯୋଗ କରିଥିଲା । ଏହା ସତ୍ୱେ ଜନ ଆନ୍ଦୋଳନ ଯୋଗୁଁ ବାଳକୋ ଗନ୍ଧମାର୍ଦ୍ଦନରୁ ବକ୍‌ସାଇଟ୍‌ ଉତ୍ତୋଳନ କରି ପାରି ନଥିଲା । ଗନ୍ଧମାର୍ଦ୍ଦନ ଆନ୍ଦୋଳନ ସମୟରେ ସତ୍ୟାଗ୍ରହ କରି ୮୫ ଜଣ ମହିଳା ପୁରୁଷ ବରଗଡ ଜେଲରେ ୧୫ ଦିନ ଧରି କାରାବରଣ କରିଥିଲେ । ସେହି ଆନ୍ଦୋଳନ ସମୟରେ ଜେଲ ଯାଇଥିବା ଅଧିକାଂଶ ଲୋକଙ୍କ ଦେହାନ୍ତ ହୋଇ ଯାଇଥିବା ବେଳେ ବଞ୍ଚିତ ଥିବା ସତ୍ୟାଗ୍ରହୀମାନଙ୍କୁ ଭିତରୁ ମନଭଙ୍ଗ ଗ୍ରାମର ଶ୍ରୀମତୀ ଟୋଭାବତୀ ଭୁଏ, କୁଢାରୀଫସା ଗ୍ରାମର ଶ୍ରୀମତୀ ହେମ ଜାନୀ, ଗୌରୀ ମଲ୍ଲିକ, ସୁମତି କୁଅଁର, ଏବଂ ଲଉଡମାଳ ଗ୍ରାମର ଶ୍ରୀମତୀ ଡାଳିମ୍ବ ମାଝୀ, ସୁବ୍ରନ ମଲ୍ଲିକ, ମନୁଲାଲ ଜାନୀ, ଚୁଡାମଣି ଭୁଏ, ଯମୁନା ଜାନୀଙ୍କୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭା ପରେ ପୂର୍ବତନ ବିଧାୟକ ତଥା ଗନ୍ଧମାର୍ଦ୍ଦନ ଆନ୍ଦୋଳନ ନେତା ପ୍ରଦୀପ ପୁରୋହିତ ସମସ୍ତଙ୍କୁ ଶାଢୀ ଓ ଧୋତି ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମ୍ୱର୍ଦ୍ଧନା ସଭାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ପୁଟା, ବଜାରୁ ଧରୁଆ, ଦିବ୍ୟ ହଂସ, ମଦନ ସିଂ ଭୁଏ, ଦୟା ସାଗର ସାହୁ, ବାରୁ ବଗର୍ତ୍ତି, ଗୋଲାପ ଦାସ, ହେମ ସାଗର ସାହୁ, ନିର୍ମଲ ପଟେଲ, ଅନିରୁଦ୍ଧ ମଲ୍ଲିକ, ଯୋଗେଶ୍ୱର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

5 + nineteen =