ରାଜନୈତିକ ହିଂସାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ପୋଲିସ ମୁତୟନ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି : ଗଞ୍ଜାମ ଏସ୍‌ପି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ ୨୦ ତାରିଖ ସୋମବାର ହେବାକୁ ଥିବା ସଧାରଣ ନିର୍ବାଚନ ପାଇଁ ପୋଲିସ ପ୍ରଶାସନ ପ୍ରସ୍ତୁତ ଅଛି ବୋଲି ଗଣମାଧ୍ୟମକୁ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା କହିଛନ୍ତି । ଜିଲ୍ଲାରେ ନିର୍ବାଚନୀ ହିଂସା ବଢ଼ିବାରେ ଲାଗିଛି । ଆସ୍କା ଲୋକସଭା ଅଧୀନ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ କନ୍ଧମାଳ ଲୋକସଭା ଅଧୀନ ଗୋଟିଏ ଭଞ୍ଜନଗର ସମେତ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୦ ତାରିଖରେ ହେବାକୁ ଥିବା ଭୋଟ୍‌ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଉଛି । ଗଞ୍ଜାମ ଜିଲ୍ଲାର ୧୯୩୭ଟି ବୁଥ୍‌ରେ ହେବାକୁ ଥିବା ମତଦାନ ପାଇଁ ପୋଲିସ ପକ୍ଷରୁ ଟ୍ରାକିଙ୍ଗ ଚାଲିଛି ପୋଲିସ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି । ସମ୍ବେଦନଶୀଳ ବୁଥ୍‌ ପ୍ରତି ପୋଲିସର କଡା ନଜର ରଖାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଗଞ୍ଜାମ ଏସ୍‌ପି କହିଛନ୍ତି । ୩୦ଜଣ ସେକ୍ଟର ଅଫିସର, ୧୬୫ଟି ମୋବାଇଲ ପାର୍ଟି ନିର୍ବାଚନ ବେଳେ ଶୃଙ୍ଖଳାଗତ କାର୍ଯ୍ୟରେ ନଜର ରଖିବେ । କୌଣସି ଅଭିଯୋଗ ଆସିଲେ ୨୦ ମିନିଟ୍‌ ମଧ୍ୟରେ ସେଠାରେ ଘଟଣାସ୍ଥଳରେ ପହଞ୍ଚିବେ । କୌଣସି ସ୍ଥାନରେ ହିଂସାକାଣ୍ଡ ଘଟିଲେ କିମ୍ଵା ଲୁକ୍କାୟିତ ଭାବେ କେହି ବିଶୃଙ୍ଖଳା ଘଟାଉଥିଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଭଳି ପଦକ୍ଷେପ ଗ୍ରହଣ କରାଯିବ । ୬୦ ପ୍ରତିଶତ ବୁଥ୍‌ରେ ୱେବ-କାଷ୍ଟିଙ୍ଗ ବ୍ୟବସ୍ଥା କରାଯାଉଛି, ବୋଲି ଗଞ୍ଜାମ ଏସ୍‌ପି ଶ୍ରୀ ମୀନା କହିଛନ୍ତି । ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳାର ତଦାରଖ କରିବା ପାଇଁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆର. କେ. ଶର୍ମା ଛତ୍ରପୁରରେ ପହଞ୍ଚି ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିସହ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଧ୍ୟାନ ରଖିବା ସାଂଗକୁ ନିର୍ବାଚନୀ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏଥିସହ ଜିଲ୍ଲାର ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଜଣେ ଲେଖାଏ ନୂଆଁ ଅତିରିକ୍ତ ଏସ୍‌ପି ମୁତୟନ ହେବେ, ଏଥିସହ ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨ ଜଣ ଲେଖାଏଁ ଡ଼ିଏସ୍‌ପିଙ୍କୁ ଦାୟିତ୍ୱ ଦିଆଯାଇଛି । ଶନିବାର ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗରରୁ ଇ. ଭି. ଏମ୍‌. ପହଞ୍ଚିଛି । ଇ. ଭି. ଏମ୍‌. ସୁରକ୍ଷିତ ଭାବେ ପହଞ୍ଚିବା ନେଇ ପୋଲିଂ ପାର୍ଟି ବୁଥ୍‌ ଗୁଡିକୁ ପୋଲିସର ସୁରକ୍ଷା ବଳୟ ସହ ଯାନ୍ତ୍ରିକ ଭୋଟିଂ ମେସିନ୍‌ ପହଞ୍ଚାଯାଇଛି । ଏଥିପାଇଁ ପ୍ରତି ସେଣ୍ଟର ପାଇଁ ଜଣେ ଲେଖାଏଁ ଅତିରିକ୍ତ ଏସ୍‌ପିଙ୍କୁ ସେଠାରେ ଦାୟିତ୍ୱ ଦିଆଯାଇଛି ୧୦ରୁ ୧୩ ବୁଥ୍‌ ଲାଗି ଗୋଟିଏ ଲେଖାଏଁ ପୋଲିସ ପେଟ୍ରୋଲିଙ୍ଗ ମୋବାଇଲ ପାର୍ଟିର ବ୍ୟବସ୍ଥା କରାଯାଇଛି ୨୦ଟି କମ୍ପାନୀ ସେଣ୍ଟ୍ରାଲ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.