- ଭ୍ୟାଲିଡେସନ ବିଲ ପ୍ରତ୍ୟାହାର ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକ ପତ୍ର
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପେନସନ ବନ୍ଦ କରିଦେବା ନିଷ୍ପତ୍ତିକୁ ତୀବ୍ର ବିରୋଧ କରି ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ଦେଶବ୍ୟାପୀ ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଅବସରପ୍ରାପ୍ତ ଶିକ୍ଷକ ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ବୁଧବାର ଏକ ସ୍ମାରକପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦତ୍ତ ହୋଇଛି । ପ୍ରତୀକ ଧାରଣ ସହ ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି । ପ୍ରକାଶ ଥାଉକି, ତତ୍ ଜନିତ ସୁବିଧାରୁ ବଞ୍ଚିତ କରିବା ଯାହାକି ଅଷ୍ଟମ ବେତନ କମିଶନ ସୁପାରିଶରୁ ବାଦ ଦେବା ପାଇଁ ୨୦୨୫ ମାର୍ଚ୍ଚ ୨୫ ତାରିଖରେ କେନ୍ଦ୍ର ସରକାର ସଂସଦରେ ଏକ ଭ୍ୟାଲିଡେସନ୍ ବିଲ୍ ପାରିତ କରାଇ ପେନସନର୍ସ ମାନଙ୍କ ଭାଗ୍ୟକୁ ଡଷ୍ଟବିନ୍ରେ ପକାଇଦେଇଛନ୍ତି । ଏହା ବିରୁଦ୍ଧରେ ସମଗ୍ର ଦେଶର ରାଜ୍ୟ ପେନସନର୍ସଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି ଜଳି ଉଠିଛି । ସର୍ବଭାରତୀୟ ପେନସନର୍ସ ଫେଡେରସନର ନିଷ୍ପତ୍ତି ଓ ନିର୍ଦ୍ଦେଶ ପ୍ରକାରେ ସମଗ୍ର ଦେଶର ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ଉକ୍ତ ବିଲ୍ ପ୍ରତ୍ୟାହାର ଦାବି କରି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯିବା ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ତରଫରୁ ଆଜିର ଦିବସକୁ କଳାଦିବସ ରୂପେ ପାଳନ କରାଯାଇଛି ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଉକ୍ତ ଭ୍ୟାଲିଡେସନ ବିଲ୍ ୧୯୮୨, ଡିସମ୍ଵର ୧୭ ତାରିଖରେ ମାନ୍ୟବର ସୁପ୍ରିମ କୋର୍ଟ ପେନସନର୍ସ ମାନଙ୍କ ସପକ୍ଷରେ ଦେଇଥିବା ଆଦେଶର ବିରୁଦ୍ଧାଚରଣ କରୁଛି ବୋଲି କୁହାଯାଇଛି । ଓଡିଶା ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ସଂପାଦକ ଶ୍ୟାମସୁନ୍ଦର ଖାଡଙ୍ଗାଙ୍କ ସଭାପତିତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ଅଧ୍ୟକ୍ଷ କାମରାଜୁ ମହାରଣା ଯୋଗ ଦେଇ ପେନସନ ବିରୋଧି ବିଲ୍କୁ ପ୍ରତ୍ୟାହାର କରିବା ଦାବୀ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ବ୍ଲକ ସଭାପତି ବାନାମ୍ବର ପୋଲାଇ, ସଂପାଦକ ବାଳକୃଷ୍ଣ ମହାରଣା, ଭଗବାନ ଦାସ, ରବୀନ୍ଦ୍ର କୁମାର ଦାସ, ଅଶ୍ଵିନୀ କୁମାର ଚୌଧୁରୀ, ପ୍ରାଣବନ୍ଧୁ ପାତ୍ର, ସୁରେନ୍ଦ୍ର ବେହେରା ପ୍ରମୁଖ ବକ୍ତବ୍ୟ ରଖି ଅସନ୍ତୋଷ ବ୍ୟକ୍ତ କରି ଉକ୍ତ ବିଲ୍ ପ୍ରତ୍ୟାହାର ନ ହେଲେ ସାରା ଦେଶରେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଥିଲେ । ପରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।