
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଶିକ୍ଷାର ଉନ୍ନତିକରଣ କରିବା ପାଇଁ ସରକାର ଯୋଜନା ଉପରେ ଯୋଜନାର ଗୋଲାପି ଚିତ୍ର ଆଙ୍କୁଥିବା ବେଳେ କନ୍ଧମାଳ ଜିଲ୍ଲାରେ ଏହାର କେତେ ସୁଫଳ ପହଞ୍ଚିବ ତାହାକୁ ନେଇ ଉଠିଛି ପ୍ରଶ୍ନ ? ନୂତନ ସରକାରଙ୍କ ଦୁଇ ବର୍ଷ ପାଳନ କରୁଥିବା ବେଳେ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ସୁଧୁରିବାର ନା ଧରୁନି । ଦିନକୁ ଦିନ ନିମ୍ନ ଗାମୀ ଆଡକୁ ଯାଉଥିବା ଅଭିଯୋଗ କରିଛନ୍ତି ଅଭିଭାବକ ସଂଘ । ଜିଲ୍ଲାରେ ଶିକ୍ଷକ ଅଭାବ ରହିଥିବା ବେଳେ ପୁଣି ଅନୁଭବି ଗୋଷ୍ଠୀ ଶିକ୍ଷାଧିକାରୀ ମାନଙ୍କୁ ବଦଳି ଚିନ୍ତା ବଢାଇଛି । ୧୨ ଟି ବ୍ଲକରେ ୧୨ ଟି ଗୋଷ୍ଠୀ ଶିକ୍ଷାଧିକାରୀ ରହିବା ସ୍ଥଳେ ମାତ୍ର ୭ ଟି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ରହିଛନ୍ତି । ତୁମୁଡିବନ୍ଧ, ଦାରିଙ୍ଗବାଡି, କ.ନୂଆଗାଁ, ଘୁ.ଉଦୟଗିରି, ଫିରିଙ୍ଗିଆ ଓ ଚକାପାଦ ୫ ବ୍ଲକରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ ଖାଲିପଡିଛି । ଏହାରି ମଧ୍ୟରେ ରାଜ୍ୟ ସରକାର ଖାଲିଥିବା ପଦବୀ ପୂରଣ କରିବାର କଥା ତ ଛାଡନ୍ତୁ ପୁଣି ରାଇକିଆ ବ୍ଲକ ଶିକ୍ଷାଧିକାରୀ କେଶବ ମଲ୍ଲିକ, ବାଲିଗୁଡା ବ୍ଲକ ଶିକ୍ଷାଧିକାରୀ ମହେଶ୍ଵର ମାଝି ଓ ଫିରିଙ୍ଗିଆ ବ୍ଲକ ଶିକ୍ଷାଧିକାରୀ ଆଲୋକ ପ୍ରଧାନ ୩ ଜଣ ଶିକ୍ଷାଧିକାରୀଙ୍କ ବଦଳି ହୋଇଛି । ବର୍ତ୍ତମାନ ଫିରିଙ୍ଗିଆ ବ୍ଲକ ଅଧିକାରୀଙ୍କୁ ରିଲିଭ କରାଯିବାରୁ ବର୍ତ୍ତମାନ ଟିକାବାଲି ବ୍ଲକ ଶିକ୍ଷାଧିକାରୀ ଦାୟିତ୍ଵ ତୁଲାଇବେ ବୋଲି ଜଣାପଡିଛି । ପୂର୍ବରୁ ବାଲିଗୁଡା ଗୋଷ୍ଠୀ ଅଧିକାରୀ ଦାରିଙ୍ଗବାଡି ବ୍ଲକ ଦାୟିତ୍ଵରେ ରହିଥିବା ବେଳେ, ତୁମୁଡିବନ୍ଧ ବ୍ଲକ କୋଟଗଡ ବ୍ଲକ ଶିକ୍ଷାଧିକାରୀ, ଘୁ ଉଦୟଗିରି ବ୍ଲକ ରାଇକିଆ ଶିକ୍ଷାଧିକାରୀ, କ. ନୂଆଗାଁ ବ୍ଲକ ଫିରିଙ୍ଗିଆ ବ୍ଲକ ଶିକ୍ଷାଧିକାରୀ ଦାୟିତ୍ଵ ତୁଲାଉଥିବା ବେଳେ ଫିରିଙ୍ଗିଆ ବ୍ଲକ ଶିକ୍ଷାଧିକାରୀଙ୍କୁ ରିଲିଭ କରିବା ଫଳରେ କ. ନୂଆଗାଁ ଓ ଫିରିଙ୍ଗିଆ ବ୍ଲକରେ ପଦବୀ ଖାଲିପଡିଲା । ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ‘ଟିଚ କନ୍ଧମାଳ‘ ଭଳି ଏକ ଅଭିନବ ଯୋଜନା ହାତକୁ ନେଇଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷାଦାନର ସ୍ଥିତି ଅନୁଧ୍ୟାନ କରିବେ ବିଦ୍ୟାଳୟର ପାଠପଢା ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ, ଛାତ୍ର ଛାତ୍ରୀ ମାନଙ୍କ ପରିଷ୍କାର ପରିଚ୍ଛନ୍ନ, ପରିବେଶ ଓ ଉପସ୍ଥାନ ଯାଞ୍ଚ କରି ଶିକ୍ଷା ବ୍ୟବସ୍ଥାକୁ ସୁଧାରିବେ । ଗତ ବର୍ଷ ମଧ୍ୟ ତୁମୁଡିବନ୍ଧ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ କେହି ଆସିନଥିବା ବେଳେ ତାଙ୍କୁ ରିଲିଭ କରିଦେବା ଫଳରେ ବର୍ତ୍ତମାନ ମଧ୍ୟ କେହି ଆସିନାହାନ୍ତି । ଯାହା ଫଳରେ ତୁମୁଡିବନ୍ଧ ଭଳି ପଛୁଆ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାକୁ ନେଇ କୋଟଗଡ ବ୍ଲକ ଶିକ୍ଷାଧିକାରୀ ଦାୟିତ୍ଵରେ ରହି କାମ ଚଳାଉଛନ୍ତି । ଚଳିତ ବର୍ଷ ଶିକ୍ଷା ବ୍ୟବସ୍ଥାରେ ଲାଗିରହିଥିବା ବହି ତୃଟି ସାଙ୍ଗକୁ କିଛି ବିଦ୍ୟାଳୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲାଯାଇଥିବା ବେଳେ ଶିକ୍ଷକ ପଦବୀ ଖାଲି ରହିଛି । ସେସବୁକୁ ଚଲାଇବା ଚିନ୍ତାର ବିଷୟ ପାଲଟିଛି । ଜିଲ୍ଲାରେ ଖାଲିଥିବା ଓ ବଦଳି ହୋଇଥିବା ଗୋଷ୍ଠୀ ଶିକ୍ଷାଧିକାରୀ ପଦବୀରେ ଦକ୍ଷତା ଭିତ୍ତିକ ଅଧିକାରୀଙ୍କୁ ନିଯୁକ୍ତ କରିବା ପାଇଁ ଅଭିଭାବକ ସଂଘ ପକ୍ଷରୁ ଦାବୀ ହେଉଛି ।

