ଆମ ଓଡିଶା ନବୀନ ଓଡିଶାର ବିକାଶଠାରୁ ବହୁ ଦୂରରେ ପରମପଙ୍ଗା ପଞ୍ଚାୟତର ତିନୋଟି ଗ୍ରାମ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସଂସ୍କୃତିର ପ୍ରସାର ଓ ଆଧୁନିକ ଭିର୍ତ୍ତିଭୂମିର ଉନ୍ନତି ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଅନେକ ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ । ନା ଅଛି ରାସ୍ତା, ନା ପାନୀୟ ଜଳ ଓ ବିଦ୍ୟୁତ ଆଲୋକ । ବର୍ତ୍ତମାନ ସୁଦ୍ଧା ପକ୍କା ରାସ୍ତା ଦେଖି ନାହାନ୍ତି । ବାଲିଗୁଡା ବ୍ଲକ ଅନ୍ତର୍ଗତ ପରମପାଙ୍ଗା ପଞ୍ଚାୟତର ତିନି ଗାଁ ଉଡ୍ରାପାଙ୍ଗା, ଟିଟମାହା ଓ କିଲ୍ଲାପଡାରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ତିନି ଗ୍ରାମରେ ୪୦ରୁ ଅଧିକ ପରିବାର ବସବାସ କରୁଛନ୍ତି । ପରମପାଙ୍ଗା ପଞ୍ଚାଯତରୁଠାରୁ ମାତ୍ର ତିନି କିମି ଦୂରରେ ଏହି ୩ଟି ଗାଁ ଅବସ୍ଥିତ । ପକ୍କା ରାସ୍ତା ନଥିବାରୁ ଲୋକମାନେ ପ୍ରତିଦିନ ଘଞ୍ଚ ଜଙ୍ଗଲ, ପାହାଡିଆ, ପଥୁରିଆ ଓ ଅଙ୍କାବଙ୍କା ରାସ୍ତାରେ ଯାତାୟାତ କରିଥାନ୍ତି । ବର୍ଷା ଦିନର କଥା ନ କହିବା ଭଲ । ବର୍ଷା ହେଲେ ରାସ୍ତା ସାରା ପାଣି ଜମିବା ସହ କାଦୁଅ ପଚପଚରେ ଯାତାୟାତ କରିଥାନ୍ତି । ଉଡ୍ରାପାଙ୍ଗା ରାସ୍ତା ଦେଇ ଏକ ନାଳ ଯାଇଛି । ଏହି ନାଳ ଉପରେ ଏକ ପୋଲ ନିର୍ମାଣ କରିବାକୁ ଅଞ୍ଚଳବାସୀଙ୍କ ଦାବୀ ପରେ ବ୍ଲକ ପ୍ରଶାସନ ତରଫରୁ ପୋଲ ତିଆରି ହେଲା । କିନ୍ତୁ ନାଳ ଉପରେ ନୁହେଁ ଏକ ଶୁଖୁଲା ସ୍ଥାନରେ ହୋଇଥିବାରୁ ତାହା ବ୍ୟବହାର ହୋଇନପାରି ଅଯଥାରେ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିଲା ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ତେଣୁ ଗ୍ରାମବାସୀ ପୂର୍ବଭଳି ଯାତାୟାତ କରୁଛନ୍ତି । ତିନି ଗ୍ରାମରେ ବିଦ୍ୟାଳୟ ନଥିବାରୁ ପିଲାମାନେ ବିପଦ ସଙ୍କୁଳ ରାସ୍ତାରେ ୩ କିମି ଚାଲିଚାଲି ପରମପଙ୍ଗା ବିଦ୍ୟାଳୟରେ ପାଠ ପଢୁଛନ୍ତି । ବର୍ଷା ଓ ଖରା ଦିନରେ ପିଲାମାନ ବିଦ୍ୟାଳୟ ଯାଇପାରିନଥାନ୍ତି । କେବଳ ଶୀତ ଦିନରେ ହିଁ ପିଲାମାନେ ସ୍କୁଲ ଯାଉଥିବା କହିଛନ୍ତି । ଗ୍ରାମରେ ହଠାତ୍‌ କାହାର ଦେହ ଖରାପ କିମ୍ବା ଗର୍ଭବତୀଙ୍କୁ ୩କିମି ରାସ୍ତା ଖଟିଆ କିମ୍ବା ଦୋଳାରେ ବୁହାହୋଇ ଅଣାଯିବା ପରେ ପରମପାଙ୍ଗାଠାରୁ ଆମ୍ବୁଲାନ୍ସ କିମ୍ବା ଗାଡି ସହାୟତାରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥାଏ । ରାତିରେ କେହି ଅସୁସ୍ଥ ହେଲେ ଗାଁରେ ହିଁ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥାଏ । ଗ୍ରାମରେ ପାନୀୟ ଜଳ କ’ଣ ଜାଣିନାହାନ୍ତି ।ବସୁଧା ଯୋଜନା ଏଠାରେ ସମ୍ପୂର୍ଣ୍ଣ ଫେଲ୍ ମାରିଥିବା ବେଳେ ନଳକୂଅରୁ ବାହାରୁଛି ଗୋଳିପାଣି । ଗାଁ ମଝିରେ ପ୍ରବାହିତ ନାଳରୁ ରାତି ପାହିଲେ ଅଞ୍ଚଳବାସୀ ବାଲଟି, ମାଠିଆ ଓ ଗରାରେ ପାଣି ଆଣୁଛନ୍ତି । ବର୍ଷା ଦିନରେ ନାଳରେ ପ୍ରବଳ ପାଣି ଆସୁଥିବାରୁ ଲୋକେ ବାଧ୍ୟ ହୋଇ ଘରର ଟିଣ ଓ ଛପର ଦେଇ ଆସୁଥିବା ବର୍ଷାପାଣି ବ୍ୟବହାର କରୁଛନ୍ତି । ଦୃଷିତ ଜଳ ବ୍ୟବହାର କରି ଗ୍ରାମବାସୀମାନେ ବିଭିନ୍ନ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଥାନ୍ତି । ଖରାଦିନରେ ଚୁଆଁ ଶୁଖିଗଲେ ପାଣି ଟୋପାଏ ପାଇଁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ଓ ପାନୀୟ ଜଳ ନିମନ୍ତେ ବାରମ୍ବାର ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓଙ୍କ ନିକଟରେ ଗୁହାରି କରାଯାଇଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ନିର୍ବାଚନ ସମୟରେ ନେତାମାନେ ପହଞ୍ଚି ବହୁ ପ୍ରତିଶୃତି ଦେଉଛନ୍ତି, କିନ୍ତୁ ପରେ କିଛି ହେଉନି ବୋଲି କ୍ଷୋଭର ସହ କହିଛନ୍ତି ଗ୍ରାମବାସୀ । ଏ ସମ୍ପର୍କରେ ବାଲିଗୁଡା ବ୍ଲକ ବିଡ଼ିଓ ଅଚ୍ୟୁତା ନନ୍ଦ ଜାନିଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଉକ୍ତ ତିନୋଟି ଗ୍ରାମର ସମସ୍ତ ଅଭାବ ଅସୁବିଧା ସମସ୍ୟା ସମ୍ପର୍କରେ ଏଷ୍ଟିମେଟ କରାଯାଇ ପଠାଯାଇଛି, ଆସିବା ପରେ ନିଶ୍ଚୟ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି । ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଉକ୍ତ ତିନି ଗ୍ରାମର ବିକାଶ ଦିଗରେ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.

15 − fifteen =