ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ବିଜୟା ଦଶମୀ ଉତ୍ସବ ପାଳନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ବର୍ତ୍ତମାନ ନିଜର ଶତାବ୍ଦୀ ବର୍ଷ ପାଳନ କରୁଛି । ୧୯୨୫ ମସିହାରେ ଆରମ୍ଭ ହୋଇଥିବା ସଂଘର କାର୍ଯ୍ୟ ଆଜି ସେବାମୂଳକ କାର୍ଯ୍ୟଦ୍ୱାରା ସମଗ୍ର ଦେଶ ଓ ବିଦେଶରେ ପରିଚିତ । ଗତ ରବିବାର ଦିନ ଛତ୍ରପୁର ସହର ଅନସ୍ଲୋ ହାଇସ୍କୁଲ ପଡ଼ିଆରେ ଏକ ଭବ୍ୟ ପଥ ସଞ୍ଚାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଵୟଂସେବକମାନେ ପଥ ସଞ୍ଚାଳନରେ ନଗର ପରିକ୍ରମା କରିଥିଲେ । ମୁଖ୍ୟସଡ଼କ ପାଖରେ ଜନସାଧାରଣ ଭାଗବା ଧ୍ଵଜକୁ ଭବ୍ୟ ସ୍ଵାଗତ ସ୍ୱରୂପ ପୁଷ୍ପବର୍ଷା କରିଥିଲେ । ଗୌରିକ ଧ୍ଵଜ ଓ ଘୋଷ ବାଦ୍ୟ ସହ ସ୍ଵୟଂସେବକମାନେ ପରିକ୍ରମା କରିଥିଲେ । ତାଙ୍କର ଆସନ ବ୍ୟାୟାମ, ଯୋଗ, ଦଣ୍ଡ ବ୍ୟାୟାମ ପ୍ରଦର୍ଶନ ନଗରବାସୀଙ୍କୁ ଅଭିଭୂତ କରିଥିଲା । ସଭାରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମହାରାଜ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ସନାତନ ଧର୍ମ ପ୍ରଚାରକ, ସମାଜସେବୀ, ଆଧ୍ୟାତ୍ମିକ କାର୍ଯ୍ୟରେ ବିଶେଷ ରୁଚିଶୀଳ ଭାବନାର ପ୍ରତୀକ ତଥା ମୁଖ୍ୟବକ୍ତା ଉମାମାଧବ ମହାନ୍ତି ଯୋଗଦେଇ ସ୍ଵୟଂସେବକମାନଙ୍କର ଭୂମିକା ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରିଥିଲେ । ସଂଘର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ସଂଗଠନର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ । ସଂଘର ଶତାବ୍ଦୀ ପାଳନ ଅବସରରେ ସଂଘର ଅଗ୍ରଗତି, ସ୍ଵୟଂସେବକମାନଙ୍କର ନିଷ୍ଠା ଓ ସମାଜ ପ୍ରତି ସମ୍ୱେଦନଶୀଳତା ବିଷୟରେ ଆଲୋକପାତ ହୋଇଥିଲା । ୧୯୨୫ ଠାରୁ ୨୦୨୫ ପର୍ଯ୍ୟନ୍ତ ସଂଘର କାର୍ଯ୍ୟଶୈଳୀ ଓ ଦେଶପ୍ରତି କରିଥିବା ସେବାକୁ ବିସ୍ତୃତ ଭାବରେ ଉଲ୍ଲେଖ କରାଗଲା । ଆଜି ସମଗ୍ର ଛତ୍ରପୁର ନଗର ଗୌରିକମୟ ପରିବେଶରେ ଡୁବିଥିଲା ଏବଂ ସ୍ଵୟଂସେବକମାନଙ୍କ ଶାରୀରିକ ଦକ୍ଷତା ପ୍ରଦର୍ଶନ ସମାଜରେ ଉତ୍ସାହ ଓ ସୁସଙ୍ଗଠିତ ପରିବେଶ ସୃଷ୍ଟି କରିଥିଲା । ଉକ୍ତ କାର୍ଯ୍ୟକ୍ରମଟି ଶୃଙ୍ଖଳିତ ଭାବରେ ସମାହିତ ହୋଇଥିଲା ।

Leave A Reply

Your email address will not be published.