
ନୂତନ ଅବକାରୀ ନୀତି ଜାରି ହୋଇ ଏକ ମାସ ଅତିକ୍ରାନ୍ତ ପରେ ମଧ୍ୟ ଓଏସ୍ ଆଉଟ୍-ଷ୍ଟିଲ୍ ଦୋକାନ ଗୁଡ଼ିକ ପାଇଁ ପ୍ରକାଶ ପାଇନାହିଁ ଲଟେରୀ ବିଜ୍ଞପ୍ତି
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡ଼ିଶା ସରକାର ଗତ ୨୬ ମାର୍ଚ୍ଚ ୨୦୨୬ରେ ନୂତନ ଆବକାରୀ ନୀତି ଜାରି କରିଥିଲେ ଏବଂ ୧ ଏପ୍ରିଲରୁ ଏହା କାର୍ଯ୍ୟକାରୀ ହୋଇଛି । କିନ୍ତୁ ଏକ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ରାଜ୍ୟର ମହୁଆ ଫୁଲ ଆଧାରିତ ଆଉଟ୍-ଷ୍ଟିଲ୍ (ଓଏସ୍) ଦୋକାନଗୁଡ଼ିକ ପାଇଁ ଲଟେରୀ ବିଜ୍ଞପ୍ତି ଏ ପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ । ସମ୍ପ୍ରତି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ କେବଳ ଆଇଏମ୍ଏଫ୍ଏଲ୍ ଅଫ୍’ ଦୋକାନ ଓ ସିଏଲ (ଇଏନ୍ଏ ବେଶ ବେଶଡ୍କଣ୍ଟ୍ରିସ୍ପିରିଟ୍) ଦୋକାନ ପାଇଁ ଲଟେରୀ ପ୍ରକ୍ରିୟା ଆରମ୍ଭ ହୋଇଛି ।। ଏହି ଲଟେରୀ ଦୁଇଟି ପର୍ଯ୍ୟାୟରେ ହେବ । ପ୍ରଥମ ବିଜ୍ଞପ୍ତି ୫ ମେ ୨୦୨୬ ରେ ପ୍ରକାଶ ପାଇଛି । ଯାହାର ଆବେଦନର ଅନ୍ତିମ ତାରିଖ ୧୮ ମେ ୨୦୨୬ ସନ୍ଧ୍ୟା ୫ଟା । ଆଉ ଲଟେରୀ ଉଠାଣ ତାରିଖ ୨୨ ମେ ୨୦୨୬ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ବିଜ୍ଞପ୍ତି ୮ ମେ ୨୦୨୬ରେ ପ୍ରକାଶ ପାଇଛି, ଯାହାର ଆବେଦନର ଅନ୍ତିମ ତାରିଖ ୨୧ ମେ ୨୦୨୬ ସନ୍ଧ୍ୟା ୫ଟା । ଆଉ ଲଟେରୀ ଉଠାଣ ତାରିଖ ୨୬ ମେ ୨୦୨୬ । କିନ୍ତୁ ଓଡ଼ିଶା ସାରା ଆଉଟ୍-ଷ୍ଟିଲ୍ (ଓଏସ୍) ଦୋକାନ ଗୁଡ଼ିକ ପାଇଁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଘୋଷଣା କରାଯାଇନାହିଁ । ଶୁଣିବାକୁ ମିଳୁଛି ଯେ, କେତେକ ଓଏସ୍ ଦୋକାନ ମାଲିକ ଉପର ମହଲରେ ଲବି କରୁଛନ୍ତି ଓ ପ୍ରଚୁର ପରିମାଣର ଟଙ୍କା ଖର୍ଚ୍ଚ କରି ଲଟେରୀ ପ୍ରକ୍ରିୟା ଏଡ଼ାଇ ପୁରୁଣା ମାଲିକଙ୍କୁ ପୁନର୍ବାର ଏକ୍ସଟେଣ୍ସନ୍ ଦେବା ପାଇଁ ଚେଷ୍ଟା ଚଲାଉଛନ୍ତି । ଏଥିସହିତ ନୂତନ ଭାବେ ଓଏସ୍ ଦୋକାନ ଖୋଲିବାକୁ ଇଚ୍ଛୁକ ବ୍ୟକ୍ତିମାନେ ମଧ୍ୟ ବିଜ୍ଞପ୍ତି ପାଇଁ ଉତ୍ସୁକ ରହିଛନ୍ତି । କିନ୍ତୁ ଲଗାତାର ବିଳମ୍ବ ଯୋଗୁଁ ସେମାନଙ୍କ ମନୋବଳ ଭାଙ୍ଗିଯାଉଛି । ଗଭୀର ସନ୍ଦେହ ସୃଷ୍ଟି ହେଉଛି । ବଲାଙ୍ଗିର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଓଏସ୍ ଦୋକାନଗୁଡ଼ିକର ମାଲିକମାନେ ଏବେ ତୀବ୍ର ଅନିଶ୍ଚିତତାର ସମ୍ମୁଖୀନ ହୋଇଛନ୍ତି । ପୂର୍ବରୁ ପାଞ୍ଚ ବର୍ଷ ପୂର୍ଣ୍ଣ ହୋଇଥିବା ଦୋକାନ ଗୁଡ଼ିକୁ ମାତ୍ର ଦୁଇମାସର ଅସ୍ଥାୟୀ ଏକ୍ସଟେଣ୍ସନ୍ ଦିଆଯାଇଛି । ଯାହା ଖୁବ୍ ଶୀଘ୍ର ସମାପ୍ତ ହେବାକୁ ଯାଉଛି । ଅବକାରୀ ବିଭାଗ ଓ ରାଜ୍ୟ ସରକାର ଲଟେରୀ ମାଧ୍ୟମରେ ବିଜ୍ଞପ୍ତି ପ୍ରକାଶ କରି ନିଜର ବିଶ୍ୱାସନୀୟତା ବଜାୟ ରଖିବା ସହିତ ନୂତନ ବ୍ୟବସାୟୀଙ୍କୁ ମଧ୍ୟ ସୁଯୋଗ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।