
ମାନବିକତା ଦେଖାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ : ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ପଠାଇଲେ ମେଡିକାଲ
ବଲାଙ୍ଗିର, (କେପିଏନ୍ଏସ୍) : ସଡ଼କ ଦୁର୍ଘଟଣାରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଦେବଦୂତ ସାଜିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ । ଗୁର୍ଜିଭଟା ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ନିଜେ ଉପସ୍ଥିତ ରହି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇବା ସହ ତାଙ୍କର ଜୀବନ ରକ୍ଷା ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଆଜି ଭୁବନେଶ୍ୱର ଫେରିବା ସମୟରେ ଗୁର୍ଜିଭଟା ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ମନ୍ତ୍ରୀ ଦେଖିବାକୁ ପାଇଥିଲେ । ସେଠାରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ପଡ଼ିରହିଥିବା ଦେଖି ମନ୍ତ୍ରୀ ମହୋଦୟ ତୁରନ୍ତ ନିଜେ ଗାଡ଼ିକୁ ଅଟକାଇ ଥିଲେ । ବିଳମ୍ବ ନକରି ସେ ନିଜେ ଆମ୍ବୁଲାନ୍ସ ପାଇଁ ଯୋଗାଯୋଗ କରିଥିଲେ ଏବଂ ଆହତ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ମେଡିକାଲରେ ପହଞ୍ଚାଇବା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ । ଏହି ଘଟଣା ପରେ ମନ୍ତ୍ରୀ ଡଃ ମହାଲିଙ୍ଗ ଜନସାଧାରଣଙ୍କୁ ଏକ ନିବେଦନ କରିଛନ୍ତି ଯେ, ଦୁର୍ଘଟଣା ସମୟରେ ପୀଡ଼ିତଙ୍କୁ ସହଯୋଗ କରିବା ଆମ ସମସ୍ତଙ୍କର ସାମାଜିକ ଓ ନୈତିକ ଦାୟିତ୍ୱ । କୌଣସି ପ୍ରକାର ଭୟ ନକରି ସଠିକ୍ ସମୟରେ ଆହତଙ୍କୁ ମେଡିକାଲରେ ପହଞ୍ଚାଇବା ପାଇଁ ଆମେ ସମସ୍ତେ ଆଗେଇ ଆସିବା ଆବଶ୍ୟକ । ଜଣଙ୍କର ଅମୂଲ୍ୟ ଜୀବନ ବଞ୍ଚାଇବା ଠାରୁ ବଡ଼ ପୁଣ୍ୟ କାର୍ଯ୍ୟ ଆଉ କିଛି ନାହିଁ । ମନ୍ତ୍ରୀ ମହୋଦୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆହତ ବ୍ୟକ୍ତିଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ରାଜ୍ୟବାସୀଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ।