jayashree

ଓଡିଶା ସରକାରଙ୍କ ମହିଳା ଓ ଶିଶୁମାନଙ୍କ ପାଇଁ “ଜୁଭେଣ୍ଟିକା” କାର୍ଯ୍ୟକ୍ରମ

କେସିଙ୍ଗା, (ପ୍ରୀତେଶ ପଟେଲ) : ଓଡ଼ିଶା ସରକାରଙ୍କ ଅଭିନବ ପ୍ରୟାସ ଥାନା ପରିସରରେ ମହିଳା ଓ ଶିଶୁମାନଙ୍କ ସଚେତନତା ପାଇଁ “ଜୁଭେଣ୍ଟିକା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୟୁନିସେଫ ଓ ପୋଲିସର ମିଳିତ ସହଯୋଗରେ ରାଜ୍ୟର ସମସ୍ତ ଥାନାରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପରିସରରେ ମଧ୍ୟ” ଜୁଭେଣ୍ଟିକା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରର ଛାତ୍ରୀ ସେମାନଙ୍କୁ ଶିକ୍ଷାଦାନ କରୁଥିବା ଶିକ୍ଷୟିତ୍ରୀ ମାନଙ୍କ ସହ ଯୋଗ ଦେଇଥିଲେ । ସମାଜରେ ମହିଳା ଓ ଶିଶୁମାନେ ସାମ୍ନା କରୁଥିବା ବିଭିନ୍ନ ଜଟିଳ ସମସ୍ୟାର ସମାଧାନ ଏବଂ ସାଇବର ଅପରାଧରୁ ସେମାନେ କିପରି ସୁରକ୍ଷିତ ରହିବେ ସେନେଇ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ଶିଶୁ ଓ ମହିଳାମାନେ କିପରି ନିର୍ଭୟରେ ଥାନାକୁ ଆସି ପୋଲିସ ସହ ନିଜର ସମସ୍ୟା ବାଣ୍ଟିପାରିବେ, ତା’ ସହିତ ପୋଲିସ ଓ ଜନସାଧାରଣଙ୍କ ମଧ୍ୟ ରହୁଥିବା ଦୂରତାକୁ ହ୍ରାସ କରିବା ଥିଲା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତଙ୍କୁ ସମ୍ବୋଧିତ କରିଥିଲେ । ସେ ମହିଳା ଓ ଶିଶୁ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିବା ସହ ଉପସ୍ଥିତ ସମସ୍ତଙ୍କୁ ସଚେତନ ରହିବାକୁ ଆହ୍ୱାନ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଛାତ୍ରୀମାନଙ୍କୁ ଭିଡିଓ ମାଧ୍ୟମରେ ବିଭିନ୍ନ ଅନଲାଇନ୍ ଠକେଇ ଏବଂ ଡିଜିଟାଲ୍ ଦୁନିଆର ବିପଦ ସମ୍ପର୍କରେ ଶିକ୍ଷା ଦିଆଯାଇଥିଲା । ଏହି ଅବସରରେ କେସିଙ୍ଗା ଆଦର୍ଶ ଥାନା ଆଇଆଇସି ଜିତେନ୍ଦ୍ର ବିଶ୍ୱାଳ ବର୍ତ୍ତମାନ ସମୟରେ ହେଉଥିବା ସାଇବର କ୍ରାଇମ ଓ କିପରି ଭାବେ ସେଠାରୁ ଦୂରେଇ ରହିବା ସେନେଇ ବୁଝାଇଥିଲେ । ସୋସିଆଲ ମିଡିଆ ଓ ଇଣ୍ଟରନେଟ୍ ବ୍ୟବହାର ସମୟରେ କେଉଁ ସତର୍କତା ଅବଲମ୍ବନ କରିବା ଉଚିତ୍ ଏବଂ କୌଣସି ଅପରାଧର ଶିକାର ହେଲେ ତୁରନ୍ତ କିପରି ପଦକ୍ଷେପ ନେବାକୁ ହେବ, ସେନେଇ ସେ ପୁଙ୍ଖାନୁପୁଙ୍ଖ ସୂଚନା ପ୍ରଦାନ କରିଥିଲେ ।

Leave A Reply

Your email address will not be published.