ସାଲେଭଟାରେ ୨୦ତମ ଜ୍ଞାନ ବିଜ୍ଞାନ ମେଳା

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ସାଲେଭଟା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ୨୦ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହାକୁ ବିଦ୍ୟା ମନ୍ଦିର ପରିଚାଳନା ସମିତି କୋଷାଧ୍ୟକ୍ଷ ଅରବିନ୍ଦ ସତପଥି ପ୍ରଦୀପ ପ୍ରଜ୍ୱଳନ ପ୍ରୂର୍ବକ ପୂଜା ଅର୍ଚ୍ଚନା କରି ଏହାର ଶୁଭ ଉଦ୍‌ଘାଟନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ମହାଦେବ ମେହେର ସଭାପତିତ୍ୱ କରିଥିଲେ । ଏଥିରେ ଶ୍ରୀ ସତପଥି ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିଲେ । ଆଚାର୍ଯ୍ୟ ମନରଞ୍ଜନ ପଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ବାଲ ବର୍ଗର ୧୦ଟି ଓ ଶିଶୁ ବର୍ଗର ୭ଟି ମୋଟ ୧୭ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏଥିରେ ସନାତନ ପୁରୋହିତ, କ୍ଷୀରୋଦ୍ର ସାହୁ, ଭକ୍ତ କୁମାର ସେଠ ଓ ଅମ୍ଳାନ ପାଣ୍ଡିଆ ପ୍ରମୁଖ ବିଚାରକ ଆକାରେ ଯୋଗଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ପ୍ରଧାନ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ଉତ୍କଳମଣି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନାତନ ପୁରୋହିତ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିଲେ । ପଟୁଆପାଲି ହାଇସ୍କୁଲର ବିଜ୍ଞାନ ଶିକ୍ଷକ କ୍ଷୀରୋଦ୍ର ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ । ଏଥିରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା ଯୁଗ୍ମ ସଂପାଦକ ଅଗିରାମ ପରାଭୁଏ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.