ଅଘୋଷିତ ଘନ ଘନ ବିଦ୍ୟୁତ୍ କାଟ : ସହରରେ ଉପୁଜିଛି ଜନ ଅସନ୍ତୋଷ

ଟିଟିଲାଗଡ, (ଗୌରବ ଦର୍ଜୀ) : ଦେଶର କେରଳ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାକୁ ଅତିଶୀଘ୍ର ମୌସୁମୀ ଛୁଇଁବ ବୋଲି ଅନୁମାନ କରାଯାଉଛି । କିନ୍ତୁ ତତଲାଗଡ ଭାବେ ପରିଚିତ ଟିଟିଲାଗଡରେ ଗରମରୁ ଆଶ୍ୱସ୍ତି ନାହିଁ । କିଛି ଦିନ ତଳେ ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା ଟିଟିଲାଗଡ ସହର । ଦିନବେଳା ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ସନ୍ଧ୍ୟା ସମୟରେ ବେଳେ ବେଳେ ସାମାନ୍ୟ ବର୍ଷା କିମ୍ବା ମେଘୁଆ ପାଗ । କିନ୍ତୁ ସହରବାସୀ ଗରମରୁ ରକ୍ଷା ପାଉନାହାନ୍ତି । ଗୋଟିଏ ପଟେ କରୋନା କଟକଣା ପାଇଁ ଘରୁ ବାହାରିଲେ ପୋଲିସର ବାଡିକୁ ଡର, ଅନ୍ୟପଟେ ଘନ ଘନ ବିଦ୍ୟୁତ୍ କାଟ । ମଣିଷ ରହିବ ତ ରହିବ କେଉଁଠି ? ଘରେ ରହିଲେ ଲୋକେ ପଙ୍ଖା, କୁଳର କିମ୍ବା ଏସିର ଦରକାର । କିନ୍ତୁ ସହରରେ ଅଘୋଷିତ ବିଦ୍ୟୁତ୍ କାଟ କଟା ଘା’ ଉପରେ ମରିଚ ସଦୃଶ୍ୟ । ସହରର ବିଭିନ୍ନ ସ୍ଥାନରେ ପୋଲିସ ପହରା ଦେଉଥିବା ବେଳେ ମୋଟା ଅଙ୍କର ଫାଇନ ଆଦାୟ କରୁଛି । ଅନ୍ୟପଟେ ଟିଟିଲାଗଡ ବିଦ୍ୟୁତ୍ ବିଭାଗର ଅବେଳାରେ ବିଦ୍ୟୁତ୍ କାଟ ଲୋକଙ୍କୁ ଘରେ ରଖି ଦେଉ ନାହିଁ କି ବାହାରକୁ ବାହାର କରି ଦେଉ ନାହିଁ । କିଛି ଦିନ ହେଲା ବିଜୁଳି ଲୁଚକାଳି ଖେଳରେ ସହରର ଗରିବ ଓ ମଧ୍ୟବିତ୍ତ ପରିବାରରେ ଅସନ୍ତୋଷ ଦେଖା ଦେଇଛି । ନା ଦିନ ବେଲା ଶାନ୍ତିରେ ଖାଇ ପିଇ ଶୋଇ ପାରୁଛନ୍ତି ନା ରାତିରେ । ବିଭାଗରେ ଅଭିଯୋଗ କଲେ ଶୁଣିବାକୁ କେହି ନାହାନ୍ତି । ବିଭାଗୀୟ ଅଧିକାରୀମାନେ କେବଳ ମାତ୍ର ବାହାନା କରି ଖସିଯିବା ପାଇଁ ଚେଷ୍ଟିତ । ଅନେକ ସମସ୍ୟାର ସମ୍ମୁଖୀନ ହେଲା ପରେ ବିଭାଗକୁ ଯୋଗାଯୋଗ କଲେ କେତେବେଳେ ଗ୍ରୀଡରେ ଯାନ୍ତ୍ରିକ ତ୍ରୁଟି ଦେଖାଉଛନ୍ତି ତ କେତେବେଳେ କେସିଙ୍ଗା, ଥେରୁବାଲିରୁ ବିଜୁଳି ନ ଥିବା କହନ୍ତି । ଏଥିରେ ଟିଟିଲାଗଡ ପ୍ରଶାସନ ମଧ୍ୟ ଚୁପ୍ । ସବୁ କିଛି ଜାଣି, କିଛି ନ ଜାଣିଲା ପରି । ଅଭିଯୋଗ କଲେ ମଧ୍ୟ ସମସ୍ୟାର ସମାଧାନ ନାହିଁ । ଟିଟିଲାଗଡ ସହରରେ ବିଦ୍ୟୁତ୍ ସମସ୍ୟାର ସମାଧାନ ପାଇଁ ୧୩୨ ଗ୍ରୀଡ୍ ବହୁ ବର୍ଷ ଧରି ସହରବାସୀଙ୍କ ଦାବୀ ରହିଥିଲେ ମଧ୍ୟ ବିଭାଗ କେବଳ ଭୁଆଁ ବୁଲାଇ ଆସୁଥିବା ଅଭିଯୋଗ ହେଉଛି । ଗ୍ରୀଷ୍ମ ଋତୁର ଆରମ୍ଭରେ ପ୍ରଶାସନିକ ଅଧିକାରୀ, ବିଧାୟିକା ତଥା ମନ୍ତ୍ରୀ ଓ ସହରର ଅନେକ ବୁଦ୍ଧିଜୀବୀ ମାନଂକ ଉପସ୍ଥିତିରେ ବିଭାଗୀୟ ଅଧିକାରୀ ଆଗାମୀ ଏକ ମାସ ମଧ୍ୟରେ ବିଦ୍ୟୁତ୍ ବିଭାଗର ସମସ୍ତ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ତାହା କେବଳ ପ୍ରତିଶ୍ରୁତିରେ ହିଁ ରହିଯାଇଛି । ଏହି ପରି ଅନେକ ବର୍ଷ ହେଲା ବିଦ୍ୟୁତ୍ ବିଭାଗ ସହରବାସୀଙ୍କୁ ତଥା ପ୍ରଶାସନକୁ ଭୁଆଁ ବୁଲାଇ ଆସୁଥିବା ଅଭିଯୋଗ ହେଉଛି । ଟିଟିଲାଗଡ ସହରର ତାପମାତ୍ରା ସାଙ୍ଗକୁ ବିଜୁଳିର ଲୁଚକାଳି ଖେଳ ବର୍ତ୍ତମାନ ସହର ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

Leave A Reply

Your email address will not be published.

1 × 2 =