ବିଧାନସଭା ଶେଷ ଅଧିବେଶନ ପରେ ବଲାଙ୍ଗିର ଫେରିଲେ ନରସିଂହ

  • ସାଧାରଣ ଜନତା ଓ ଦଳିତ କର୍ମକର୍ତ୍ତା ଦେଲେ ଭାବବିହ୍ୱଳ ସମ୍ବର୍ଦ୍ଧନା
  • ବଂଚି ଥିବା ଯାଏଁ ଲୋକଙ୍କ ସେବା ପ୍ରଦାନ କରିବା ପାଇଁ ଦେଲେ ପ୍ରତିଶୃତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନ ୫ଟାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ରାଜନୈତିକ ଜୀବନର ଶେଷ ବିଧାନସଭା ଅଧିବେଶନ ସାରି ନିଜ ନିର୍ବାଚନ ମଣ୍ଡଳୀ ବଲାଙ୍ଗିର ଫେରିଛନ୍ତି । ବଲାଙ୍ଗିର ପହଞ୍ଚିଲା ବେଳକୁ ପୁଇଁତଲା ବ୍ଲକ ସମ୍ମୁଖରେ ହଜାର ହଜାର ଜନସାଧାରଣ ଓ କଂଗ୍ରେସ ଦଳର କର୍ମକର୍ତ୍ତା ନିଜ ପ୍ରିୟ ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ଅପେକ୍ଷା କରି ରହିଥିଲେ । ନରସିଂହ ମିଶ୍ର ଜିନ୍ଦାବାଦ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ସମଗ୍ର ରାଜରାସ୍ତା । ବିଧାୟକ ଶ୍ରୀ ମିଶ୍ର ପହଞ୍ଚିଲା ପରେ ଭାବବିହ୍ୱଳ ଜନସାଧାରଣ, କଂଗ୍ରେସ କର୍ମୀ, ନେତୃ ମଣ୍ଡଳୀ ତାଙ୍କ ପ୍ରିୟ ବିଧାୟକଙ୍କୁ ଫୁଲତୋଡା ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ତାସହ ସେହି ଜାଗାରୁ ହଜାର ହଜାର ମଟର ସାଇକେଲରେ ଏକ ବିରାଟ ପଟୁଆର ସାରା ସହର ବିଧାୟକ ଶ୍ରୀ ମିଶ୍ରଙ୍କୁ ନେଇ ପରିକ୍ରମା କରିଥିଲା । ପ୍ରତ୍ୟେକ ରାସ୍ତାରେ ବାସଗୃହ ତଥା ବ୍ୟବସାୟିକ ପ୍ରତିଷ୍ଠାନରୁ ଲୋକମାନେ ରାସ୍ତାକୁ ବାହାରି ଆସି ତାଙ୍କ ପ୍ରିୟ ବିଧାୟକଙ୍କୁ ହାତ ହଲାଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଉଥିଲେ । ଅନେକ ଜାଗାରେ ଲୋକେ ଫୁଲତୋଡା ତଥା ଆତସବାଜି କରି ସାରା ସହରକୁ ଉତ୍ସବମୁଖର କରିଥିଲେ । ଏଥିରେ ସୂଚନାଯୋଗ୍ୟ ଯେ ବିଧାୟକ ଶ୍ରୀ ମିଶ୍ରଙ୍କ ବିଧାନସଭା ଅଧିବେଶନର ଶେଷ ଦିବସର ଅଭିଭାଷଣ ସାରା ରାଜ୍ୟକୁ ଭାବବିହ୍ୱଳ କରିଥିଲା । ୯୦ ଦଶକରୁ ବିଧାୟକ, ମନ୍ତ୍ରୀ, ବିରୋଧିଦଳ ନେତା, ଉପ-ନେତା ଦାୟିତ୍ୱ ତୁଳାଇଥିବା ବିଧାୟକ ଶ୍ରୀ ମିଶ୍ର ୩୪ ବର୍ଷର ଦୀର୍ଘ ରାଜନୈତିକ ଜୀବନରେ ବିଧାନସଭା ଭିତରେ ତାଙ୍କର ବକ୍ତବ୍ୟ ତଥା କାର୍ଯ୍ୟକଳାପ ଯଦି କାହାକୁ କିଛି ଆଘାତ ଦେଇଥାଏ ତେବେ ସେମାନେ କ୍ଷମା କରିଦେବେ ବୋଲି କହିଥିବା କଥା ବିଧାନସଭା ଗୃହକୁ ମଧ୍ୟ ଭାବବିହ୍ୱଳ କରିଥିଲା । ରାଜନୈତିକ ଚିନ୍ତାଧାରା ଉଦ୍ଧ୍ୱର୍ରେ ରହି ଗୃହର ପ୍ରତ୍ୟେକ ବରିଷ୍ଠ ଓ କନିଷ୍ଠ ବିଧାୟକମାନେ ବିଧାୟକ ଶ୍ରୀ ମିଶ୍ରଙ୍କୁ ବିଧାନସଭାରୁ ମଧ୍ୟ ଭାବପୂର୍ଣ୍ଣ ବିଦାୟ ଦେଇଥିଲେ । ବିଧାୟକ ଶ୍ରୀ ମିଶ୍ରଙ୍କ ଶେଷ ଦିନର ବକ୍ତବ୍ୟ ବିଧାନସଭା ଗୃହରେ ପରଂପରା ହୋଇ ନିଶ୍ଚିତ ରହିବ ବୋଲି କିଛି ରାଜନୈତିକ ବିଶାରଦ ମତ ରଖିଥିଲେ । ମଟର ସାଇକେଲ ପଟୁଆର ବିଧାୟକ ଶ୍ରୀ ମିଶ୍ରଙ୍କ ବାସଭବନରେ ପହଞ୍ଚିଲା ପରେ ସାମ୍ବାଦିକମାନଙ୍କୁ ନିଜ ପ୍ରତିକ୍ରିୟାରେ ସେ କହିଥିଲେ ଲୋକଙ୍କ ସ୍ନେହ ଶ୍ରଦ୍ଧା ସ୍ୱାଗତ ସମ୍ବର୍ଦ୍ଧନାକୁ ନେଇ ମୁଁ ଅତ୍ୟନ୍ତ ଖୁସି ଓ ଉଲ୍ଲାସିତ । ଲୋକଙ୍କ ଏହି ଭଲ ପାଇବାର ମୁଲ୍ୟ ସେ ବିଧାୟକ ନ ଥିଲେ ମଧ୍ୟ ନିଶ୍ଚିତ ଭାବରେ ଫେରାଇବେ । ସେ ଏ ଅବସରରେ ଆହୁରି ମଧ୍ୟ କହିଥିଲେ ଆଗକୁ ନିର୍ବାଚନ ସେ ଆଉ ଲଢୁନାହାନ୍ତି କିନ୍ତୁ ରାଜନୀତିରେ ରହିବେ । ସେ ବଂଚିଥିବା ପର୍ଯ୍ୟନ୍ତ ଅଂଚଳର ଛାତ୍ର, ଯୁବକ, କୃଷକ, ଶ୍ରମିକ ଓ ସାଧାରଣ ଜନତାଙ୍କ ସେବା ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।

Leave A Reply

Your email address will not be published.

six − 5 =