
ନୂତନ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଏବଂ ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ଡ଼ଃ. ପୃଷ୍ଟିଙ୍କୁ ବିଦାୟ ସମ୍ବର୍ଦ୍ଧନା
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ଼ଃ.ପ୍ରମୋଦ କୁମାର ପୃଷ୍ଟିଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ନୂତନ ଭାବେ ଅବସ୍ଥାପିତ ହୋଇଥିବା ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକଙ୍କୁ ଏକ ଭବ୍ୟ ସମାରୋହରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଜିଲ୍ଲା ପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲାପାଳ ଡ. ପୃଷ୍ଟିଙ୍କୁ ଜଣେ ଦକ୍ଷ ଅଧିକାରୀ ଭାବେ ଗଣନା କରିଥିଲେ । ଗଞ୍ଜାମ ଜିଲ୍ଲାର ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ ଠାରୁ ଆରମ୍ଭ କରି ଓସୱାସ କାର୍ଯ୍ୟାନ୍ଵୟନ ପର୍ଯ୍ୟନ୍ତ ତାଙ୍କ ଉପରେ ଯେକୌଣସି ଦାୟିତ୍ୱ ନ୍ୟସ୍ତ କରାଯାଇଛି । ସେ ସମସ୍ତ କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ନିଜର ପ୍ରଜ୍ଞା ଓ ପରିଶ୍ରମ ଦ୍ୱାରା ଯେଉଁଭଳି ସୁନାମ ଅର୍ଜନ କରିଛନ୍ତି, ସେହିଭଳି ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ସୁନାମ ଅର୍ଜନ କରିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି । ସେହିଭଳି ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ୱାଗତ କରିବା ସହିତ ଶ୍ରୀ ନାୟକ ତାଙ୍କର ଗଞ୍ଜାମ ଜିଲ୍ଲାର ପୂର୍ବ ପ୍ରଶାସନିକ ଅଭିଜ୍ଞତାକୁ ପାଥେୟ କରି ସମସ୍ତ ଦାୟିତ୍ୱକୁ ସୂଚାରୁ ରୂପେ ସମ୍ପାଦନ କରିବାକୁ ସକ୍ଷମ ହେବେ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଡ଼ଃ. ପୃଷ୍ଟି ତାଙ୍କର ବିଦାୟୀ ବକ୍ତବ୍ୟରେ ଗଞ୍ଜାମ ଜିଲ୍ଲା ଏକ ଅନନ୍ୟ ଜିଲ୍ଲା ବୋଲି ବର୍ଣ୍ଣନା କରିବା ସହିତ ଜିଲ୍ଲାର ଅଭିଜ୍ଞ ତଥା ବରିଷ୍ଠ କର୍ମଚାରୀ ସରକାରୀ ନୀତିନିୟମ ସମ୍ପର୍କିତ ଜ୍ଞାନର ପ୍ରଶଂସା କରିଥିଲେ । ମହାଭାରତ, ପୁରାଣ ତା’ ସହିତ ଅଧ୍ୟାପକ ଓ ପ୍ରଶାସନିକ ଜୀବନର ଅନେକ ରୋଚକ କାହାଣୀ କହି ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ପ୍ରେରଣା ସୃଷ୍ଟି କରିଥିଲେ । ପରିଶ୍ରମ କରିବାର ଓ ପ୍ରଜ୍ଞା ଆରୋହଣ କରିବାର ଆଗ୍ରହ ରହିଲେ ଜଣେ ଜଣେ ଭଲ ଅଧିକାରୀ ବା’ କର୍ମଚାରୀ ହୋଇ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିବେ ବୋଲି ସେ କହିଥିଲେ । ନୂତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଗଞ୍ଜାମ ଜିଲ୍ଲାକୁ ପ୍ରଶାସନିକ ଓ ଅନ୍ୟାନ୍ୟ ସମସ୍ତ କ୍ଷେତ୍ରରେ ଆଗକୁ ନେବା ପାଇଁ ଜିଲ୍ଲାପାଳଙ୍କ ମାର୍ଗଦର୍ଶନ ଓ ସମସ୍ତ ଅଧିକାରୀଙ୍କ ସହଯୋଗ କାମନା କରିଥିଲେ । ଏହି ଭବ୍ୟ ସମାରୋହରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ସୁନୀଲ କୁମାର କେର୍କେଟ୍ଟା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଛତ୍ରପୁର ଉପ-ଜିଲ୍ଲାପାଳ ଶିବାଶିଷ ବରାଳ, ଭଞ୍ଜନଗର ଉପ-ଜିଲ୍ଲାପାଳ ଉମା ଶଙ୍କର ବେହେରା, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା, ବ୍ରହ୍ମପୁର ଉନ୍ନୟନ ପରିଷଦର ସମ୍ପାଦକ ରମେଶ ହାଁସଦା, ପ୍ରମୁଖ ଜିଲ୍ଲାର ବହୁ ଉଚ୍ଚପଦାଧିକାରୀ ଯୋଗଦେଇ ଡ଼ଃ. ପୃଷ୍ଟିଙ୍କର କର୍ତ୍ତବ୍ୟନିଷ୍ଠା, ପ୍ରଶାସନିକ ଦକ୍ଷତା, ଅନୁଶାସନ ଓ ଅନ୍ୟାନ୍ୟ ସୁଗୁଣର ଅଧିକାରୀ ଭାବେ ପ୍ରଶଂସା କରିଥିଲେ । ବ୍ରହ୍ମପୁର ମହାନଗର ନିଗମର ଉପ-ଆଯୁକ୍ତ କଲ୍ୟାଣୀ ସଂଘମିତ୍ରା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।