
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା କନଫରେନ୍ସ ହଲ ଠାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ବଲାଙ୍ଗିର ତରଫରୁ ଆୟୋଜିତ ତଥା ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ, ଓଡି଼ଶା ସରକାର ଏବଂ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା, ଭୁବନେଶ୍ୱରର ମିଳିତ ପ୍ରୟାସରେ +୨ ବିଜ୍ଞାନ ଓଡ଼ିଆରେ ପଢିବା ନିମନ୍ତେ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା ସଭାପତିତ୍ୱ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରା ଓ ସେବାଶ୍ରୀ ଭୋଇ ମଂଚାସୀନ ଥିଲେ । ପ୍ରଶିକ୍ଷକ ଭାବେ ସଚିକାନ୍ତ ପଧାନ, ପ୍ରକଳ୍ପ ନିର୍ଦ୍ଦେଶକ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଭୁବନେଶ୍ୱର ଯୋଗ ଦେଇଥିଲେ । ପ୍ରଶିକ୍ଷକ ଶ୍ରୀ ପଧାନ ପ୍ରଶିକ୍ଷାର୍ଥୀ ମାନଙ୍କୁ +୨ ବିଜ୍ଞାନ ଓଡ଼ିଆ ବିଷୟରେ ଅଧ୍ୟୟନ କରିବା ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ସହଜ ଭାବରେ ବିଷୟବସ୍ତୁ ଉପସ୍ଥାପନା କରିବା ପ୍ରଣାଳୀ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପଣ୍ଡା ଏହି ପ୍ରଶିକ୍ଷଣ ଶିବିର ଶିକ୍ଷାର ଗୁଣବତ୍ତା ବୃଦ୍ଧିରେ ଉଲ୍ଲେଖନୀୟ ଭୂମିକା ନେବ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶ୍ରୀ ରୀନା ବେହେରା ନିଜ ବକ୍ତବ୍ୟରେ +୨ ବିଜ୍ଞାନ ଓଡ଼ିଆରେ ପଢିବା ଦ୍ୱାରା ଛାତ୍ରଛାତ୍ରୀଙ୍କ ଭାଷା ଦକ୍ଷତା,ଚିନ୍ତନ ଶକ୍ତି ଓ ଅଭିବୃଦ୍ଧିକୁ ଉନ୍ନତ କରିବ ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ନିଜ ବକ୍ତବ୍ୟରେ ଏଭଳି ପ୍ରଶିକ୍ଷଣ ଶିବିର ଶିକ୍ଷକ ମାନଙ୍କ ପାଇଁ ଜ୍ଞାନ ବୃଦ୍ଧି ଓ ଶିକ୍ଷାଦାନ ଦକ୍ଷତା ବିକାଶରେ ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି କହିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ୪୨ଜଣ ଅଧ୍ୟକ୍ଷ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ସଂଯୋଜନା ଜିଲ୍ଲା ବିଜ୍ଞାନ ତତ୍ୱାବଧାରକ ନବଘନ ସାହୁ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶ୍ରୀ ରୀନା କୁମାରୀ ବେହେରା ଧନ୍ୟବାଦ ଦେଇଥିଲେ । ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ପ୍ଲାନିଙ୍ଗ କୋର୍ଡିନେଟର ଦେବେଶ ମିଶ୍ର, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ନୀଳାଚଳ ଗାଈଗରିଆ, ଶିକ୍ଷା କର୍ମଚାରୀ କରୁଣା ସା, ସୁକୁମାର ନନ୍ଦ ଓ ରାଧାଶ୍ୟାମ ପୁଟେଲ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।