jsm

ମ୍ୟୁନସିପାଲିଟି, ପୂର୍ତ୍ତ ଓ ଏନ୍‌ଏଚ୍ ବିଭାଗ ମଧ୍ୟରେ ସମନ୍ୱୟ ରହୁନାହିଁ କାହିଁକି – ନରସିଂହ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଳବନ୍ଦୀ ଓ ବିପର୍ଯ୍ୟୟ ପରିଚାଳନାର ଦୂରାବସ୍ଥା ପାଇଁ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ମ୍ୟୁନସିପାଲିଟି, ପୂର୍ତ୍ତ ଓ ଏନ୍‌ଏଚ୍ ବିଭାଗ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, କ୍ରମାଗତ ଭାବେ ବର୍ଷ ପରେ ବର୍ଷ ଏ ସମାନ ସମସ୍ୟା ଉପୁଜୁଛି । ବର୍ଷା ପୂର୍ବରୁ ପ୍ରତ୍ୟେକ ବର୍ଷ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକ ବସେ କିନ୍ତୁ ଦୁଃଖର ବିଷୟ ଲୋକଙ୍କୁ ବର୍ଷାର ବିତ୍ପାତରୁ ରକ୍ଷା କରିବା ପାଇଁ କୌଣସି ପ୍ରକାର ପ୍ରସ୍ତାବ ଉପରେ ଆଲୋଚନା ହୁଏନାହିଁ । ମୁଁ ବିଧାୟକ ଥିବା ବେଳେ ବାରମ୍ବାର ବଲାଙ୍ଗିରର ସ୍ୱେରଜ ସିଣ୍ଟମ ପାଇଁ ସରକାରଙ୍କ ଆଗରେ ୫୦୦ କୋଟି ଟଙ୍କାର ଦାବି କରିଥିଲି କିନ୍ତୁ ପୂର୍ବ ସରକାର ଏ ସବୁକୁ ହେୟଜ୍ଞାନ କରିଛନ୍ତି । ଏ ବର୍ଷ ବୈଠକରେ ମଧ୍ୟ ଜଳବନ୍ଦୀ ସମସ୍ୟାରୁ ମୁକୁଳିବା ପାଇଁ ଦରକାର ହେଉଥିବା ପୌର ପରିଷଦ, ପୂର୍ତ୍ତ ବିଭାଗ ଓ ଏନ୍‌ଏଚ୍ ବିଭାଗ ମଧ୍ୟରେ ଏହାର ପ୍ରସ୍ତୁତି ଓ ପ୍ରତିଷେଧକ ପାଇଁ କୌଣସି ପ୍ରକାର ସମନ୍ୱୟ ବୈଠକ ହୋଇନାହିଁ । ଏଥିପାଇଁ ଦାୟୀ କିଏ ? ବୋଲି ସେ ପ୍ରଶ୍ନ କରିଛନ୍ତି କେବଳ ଗୋଟିଏ ବିଭାଗ ଅନ୍ୟ ବିଭାଗକୁ ଦୋଷ ଦେଇଦେଲେ ଲୋକଙ୍କ ଦୁଃଖ ଯିବ ନାହିଁ । ତେଣୁ ପୌର ପରିଷଦର ଦାୟିତ୍ୱ ପୂର୍ତ୍ତ ଓ ଏନ୍‌ଏଚ୍ ବିଭାଗକୁ ନେଇ ତିନି ମାସ ପୂର୍ବରୁ ଏହାର ପ୍ରତିଷେଧକ ପାଇଁ ଆଲୋଚନା କରିବାର ଦରକାର ଥିଲା । କେବଳ ଲୋକେ ଦୁର୍ଦ୍ଦଶା ଭୋଗିଲେ ଜେସିବି ମାଧ୍ୟମରେ ଜଳବନ୍ଦୀ ଏରିଆକୁ ନାଳ ଟିକିଏ କରିଦେଲେ ଲୋକଙ୍କର ଦୁଃଖ ଯିବ ନାହିଁ । ତେଣୁ ମୁଁ ନିଶ୍ଚିତ ଭାବରେ ଜିଲ୍ଲା ପ୍ରଶାସନ, ପୌର ପରିଷଦ ଅଧିକାରୀଙ୍କୁ କହିବି ଯେ, ସାମୟିକ ବ୍ୟବସ୍ଥାକୁ ଅସ୍ତ୍ର ନ କରି ବର୍ଷା ଦିନରେ ଲୋକେ ଭୋଗୁଥିବା ସମସ୍ୟାର ସ୍ଥାୟୀ ସମାଧାନ କରନ୍ତୁ ବୋଲି ଆଜି ବଲାଙ୍ଗିରର ବର୍ଷା ବିତ୍ପାତ ଅଂଚଳକୁ ଲୋକଙ୍କ ସମସ୍ୟା ବୁଝିବାକୁ ଯାଇ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ଶ୍ରୀ ମିଶ୍ର ପୌରାଞ୍ଚଳର ୩ ନମ୍ବର ୱାର୍ଡର ଗୋଶାଳା ପଛପଟ ତଥା ୧୮ ନଂ. ୱାର୍ଡର ମ୍ୟୁନିସିପାଲିଟି କଲୋନି ଅଂଚଳକୁ ଯାଇ ଜଳବନ୍ଦୀ ସମସ୍ୟାରେ ଥିବା ଲୋକଙ୍କୁ ଭେଟିଥିଲେ । ସେମାନଙ୍କର ଅଭିଯୋଗ ଥିଲା ପ୍ରତ୍ୟେକ ବର୍ଷ ସେମାନେ ସମାନ ଅଭିଯୋଗ ଜିଲ୍ଲା ପ୍ରଶାସନ ତଥା ପୌର ପରିଷଦକୁ ଜଣାଉଛନ୍ତି, କିନ୍ତୁ କେହି କର୍ଣ୍ଣପାତ କରୁନାହାନ୍ତି । ବର୍ଷା ହେଲେ କେବଳ ଜେସିବିରେ ଟିକିଏ ପାଣିକୁ ରାସ୍ତା ଦେଖାଇ ବାହା ବାହା ନେଉଛନ୍ତି ବୋଲି ପିଡିତ ଲୋକେ ଅଭିଯୋଗ କରିଥିଲେ । ସେମାନେ ଆହୁରି ମଧ୍ୟ କହିଥିଲେ ଯେ, ରାସ୍ତା ତିଆରି କଲାବେଳେ ଯୋଜନାବଦ୍ଧ ଭାବରେ ଜଳସ୍ତରକୁ ଦେଖି ଡ୍ରେନ ତିଆରି କରୁନାହାନ୍ତି ଏପରିକି ମ୍ୟୁନିସିପାଲିଟି କଲୋନିରେ ନା ରାସ୍ତା ଅଛି ନା ଡ୍ରେନ ଅଛି । ଗୋଶାଳା ପଛ ପଟେ ରହୁଥିବା ଲୋକେ ଡ୍ରେନ ନ ଥିବାରୁ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସମସ୍ତ ଅଂଚଳରୁ ପାଣି ଆସି ସେହି ଜାଗାରେ ଜମିବା ଦ୍ୱାରା ଲୋକଙ୍କର ନାହିଁ ନ ଥିବା ଅସୁବିଧା ହେଉଛି । ଆହୁରି ମଧ୍ୟ ବିଜୁଳି ଖୁଣ୍ଟରେ ବତି ନ ଥିବାରୁ ଅସାମାଜିକ ଲୋକଙ୍କର ଦୌରାତ୍ମ୍ୟ ବଢୁଛି ବୋଲି ମହିଳାମାନେ ଅଭିଯୋଗ କରିଥିଲେ । ଉଭୟ ଅଂଚଳରେ ଅଭିଯୋଗ ଶୁଣିଲା ପରେ ଶ୍ରୀ ମିଶ୍ର ଜିଲ୍ଲା ପ୍ରଶାସନ ଓ ପୌର ଅଧିକାରୀଙ୍କ ସହ ଏହି ସମସ୍ୟାକୁ ନେଇ ନିଶ୍ଚିତ ଭାବରେ ଆଲୋଚନା କରିବେ ଏବଂ ଏହାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ବର୍ଷା ପ୍ରଭାବିତ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ ।

yuvodaya
Leave A Reply

Your email address will not be published.