pakka

ଚାଲିଗଲେ ବିଦ୍ରୋହୀ ପତ୍ରକାର ବିବେକାନନ୍ଦ ଦାଶ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଛି ଦିନ ତଳେ କରୋନାର ଶିକାର ହେବା ପରେ ଡାକ୍ତରଖାନାରେ ନିଜର ସ୍ୱାସ୍ଥ୍ୟକୁ ନେଇ ଅନ୍ତିମ ଲେଖା ପ୍ରସ୍ତୁତ କରିଥିଲେ ବିବେକ ବାବୁ । ଆଜି ସକାଳୁ ହଠାତ୍‌ ସମାଜିକ ଗଣମାଧ୍ୟମରେ ତାଙ୍କ ଦେହାନ୍ତର ଖବର । ଆଜି ସକାଳୁ ବଲାଙ୍ଗିରରେ ବଡ଼ ଜୋର୍‌ରେ ପ୍ରସାରିତ ହେଉଥିବା ଏହି ଖବର ହତବାକ କରିଦେଇଥିଲା ତାଙ୍କର ପୁରୁଣା ବନ୍ଧୁ ଓ ପତ୍ରକାରଙ୍କୁ । ଦେଶର ଗରିବ, ଦଳିତ ଓ ନିସ୍ପେଷିତଙ୍କ ସମସ୍ୟା ଓ ତାଙ୍କ ଅଧିକାର ବିରୁଦ୍ଧରେ ଜୀବନ ତମାମ ଲଢୁ ଲଢୁ ବର୍ତ୍ତମାନ ରାଜନୈତିକ ଓ ସାମାଜିକ ବ୍ୟବସ୍ଥାକୁ ଛିଃ କରି ଚୁପ୍‌ଚାପ୍‌ ଚାଲିଗଲେ ବିବେକ ବୋଲି ସମସମାୟିକ ସାଥୀ ସାମ୍ବାଦିକ ମାନେ ଅତି ଦୁଃଖର ସହ ମତ ପ୍ରକାଶ କରିଛନ୍ତି । ନିଜ ଘର ସାଲେପୁରରେ ଶିକ୍ଷା ଗ୍ରହଣ କରିବା ପରେ ଉଚ୍ଚ ଶିକ୍ଷା ହାସଲ କରି ସମ୍ବାଦିକତାକୁ ନିଜର ପରିଚୟ କରିବେ ବୋଲି ବାଛି ନେଇଥିଲେ । ପ୍ରଥମେ ଇଷ୍ଟର୍ଣ୍ଣ ଟାଇମ୍‌ସ୍‌ରୁ ଖବର ପ୍ରସାରଣ ଆରମ୍ଭ କରିବା ପରେ ବଲାଙ୍ଗିର ଜିଲ୍ଲାକୁ ଆସି ଏଠାରେ ସମ୍ବାଦ ଖବର କାଗଜ ପ୍ରତିନିଧି ଭାବେ କାର୍ୟ୍ୟରମ୍ଭ କରିଥିବା ସାଥୀଗଣ କୁହନ୍ତି । ବଲାଙ୍ଗିରରେ ତାଙ୍କର ପ୍ରାୟ ୫ ବର୍ଷ ସାମ୍ବାଦିକତାରେ ଅନେକେ ଲୋକଙ୍କୁ ପ୍ରଭାବିତ ହୋଇଥିବା ବେଳେ ଆହୁରି ଅନେକ ବନ୍ଧୁତ୍ୱ ସୃଷ୍ଟି କରିଥିଲେ ବିବେକ ବାବୁ । ପରେ ପରେ ପ୍ରଜାତନ୍ତ୍ର, ସମାଜ ଭଳି ସଂସ୍ଥାରେ ପ୍ରାୟ ୩୨ ବର୍ଷ ସଂଘର୍ଷରତ ପତ୍ରକାରିତା ଜାରି ରଖିଥିଲେ । ସମାଜର ଲୋକ କଳାମଣ୍ଡଳ ସହ ତାଙ୍କର ନ୍ୟାୟର ଲଢେଇ ଏବେ ମଧ୍ୟ ଅନେକଙ୍କ ଚର୍ଚ୍ଚାରେ ରହେ । କିନ୍ତୁ ତାଙ୍କର ବ୍ୟକ୍ତିତ୍ୱକୁ ଦେଖିଲେ ସେ ସଂମ୍ପୁର୍ଣ୍ଣ ଓଲଟା ଜଣାପଡ଼ନ୍ତି । ଅତି ସାଧାସିଧା ସରଳ ବ୍ୟକ୍ତିତ୍ୱ । ଜଣେ ସାମ୍ବାଦିକର ପ୍ରଶ୍ନରେ ଘାଇଲା କରିଦେବା ଭଳି ଅନ୍ଦାଜ କି ଅହଙ୍କାର ତାଙ୍କ ଭିତରେ ନଥିଲା । ସାମ୍ବାଦିକତା କ୍ଷେତ୍ରରେ ଆଜି କାଲି ସମୟରେ ଏଭଳି ଜଣେ ବ୍ୟକ୍ତିତ୍ୱ ପାଇବା ବିରଳ ନିଶ୍ଚୟ । କିନ୍ତୁ ଖବର କାଗଜରେ ଲେଖିଲା ବେଳେ ସେ ଅଗ୍ନିବର୍ଷୀ ଶବ୍ଦ, ତଥ୍ୟ ଭିତ୍ତିକ ପ୍ରକାଶ ଶୈଳୀ ଆଉ ଜଟିଳ ସମସ୍ୟା ଭିତ୍ତିକ ପ୍ରଶ୍ନବାଣ କେଉଁଠୁ ଆସୁଥିଲା, ତାହା କେବଳ ବିବେକଙ୍କୁ ଜଣା ବୋଲି ସାମ୍ବାଦିକ ମହଲରେ ଆଲୋଚନା ହେଉଛି । ତେବେ ଏଭଳି ଜଣେ ଆମାୟିକ, ଭଦ୍ର, ନିର୍ଭିକ ସମ୍ବାଦିକଙ୍କୁ ହରାଇ ବଲାଙ୍ଗିର ସାମ୍ବଦିକ ଜଗତ ଜଣେ ରୋଲ୍‌ ମୋଡେଲ୍‌ଙ୍କୁ ହରାଇଛି ବୋଲି କୁହାଯାଉଛି । ଆଜି ତାଙ୍କର ସ୍ୱର୍ଗାରୋହଣର ଖବର ପାଇବା ପରେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା, ଗୋପାବନ୍ଧୁ ଶତପଥି, ସୋମନାଥ ଆଚାର୍ୟ୍ୟ, ସୁଧିର ପଣ୍ଡା, ନବୀନ ପଶାୟତ, ସୁବାସ ପଣ୍ଡା, ଆନଂଦ ଚଂଦ୍ର ସାହୁ, ସୁଧୀର ମିଶ୍ର, ଦେବାଶିଷ ମିଶ୍ର ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.

12 − 2 =