ଭୁଷୁଡ଼ି ପଡିଲା ସ୍ମାର୍ଟ ସ୍କୁଲ ପାଚେରୀ : ନିମ୍ନମାନର କାମ ଅଭିଯୋଗ, ତଦନ୍ତ ଦାବୀ କଲେ ଗ୍ରାମବାସୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଶିକ୍ଷାରେ ଉନ୍ନତି ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ଖାସ୍ କରି ଆଦିବାସୀଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ବି ଖର୍ଚ୍ଚ କରୁଛନ୍ତି । ଆଦିବାସୀ ଛାତ୍ରଛାତ୍ରୀମାନେ କିପରି ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ନହେବେ, ସେଥିପାଇଁ ନିର୍ମାଣ ହେଉଛି ନୂତନ ନୂତନ ସ୍ମାର୍ଟ ବିଦ୍ୟାଳୟ । ଏଠାରେ ପାଠ ପଢିବା ସହ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହାର ପୁରା ଅଲଗା ଚିତ୍ର ଦେଖିବାକୁ ମିଳିଛି । ବର୍ତ୍ତମାନ ଏକ ସପ୍ତାହ ହେଲା ସମଗ୍ର ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିବା ଏବଂ ବିଦ୍ୟାଳୟର ପାଚେରୀ କାର୍ଯ୍ୟ ଅତି ନିମ୍ନମାନର କାମ ହୋଇଥିବା ଯୋଗୁଁ ଭାଙ୍ଗିପଡ଼ିଛି ପାଚେରୀ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟଟି ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟ ସ୍କୁଲ ଭାବେ ଘୋଷଣା ଲାଗି ୪୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା । ହେଲେ ପୁନର୍ବାର ପାଚେରୀ ନିର୍ମାଣ ପାଇଁ ପଇସା ହୋଇନଥିବାରୁ ବ୍ଲକ ତରଫରୁ ନୂତନ ପାଚେରୀ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର କରାଯାଇଥିଲା । ତେବେ ନୂତନ ପାଚେରୀ ନିର୍ମାଣ କରାଗଲା, ହେଲେ ନିର୍ମାଣର ଏକ ବର୍ଷ ଭିତରେ ଭାଙ୍ଗିପଡିଲା ପାଚେରୀ । ନିମ୍ନ ମାନର କାମ ଲାଗି ପାଚେରୀ ଭାଙ୍ଗିଥିବା ଜଣାପଡିଛି । ବର୍ତ୍ତମାନ ଏହି ବିଦ୍ୟାଳୟରେ ୨୨୫ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ବିଭାଗୀୟ ଅଧିକାରୀମାନେ ସବୁ ଜାଣିଶୁଣି ଚୁପ୍ ବସୁଛନ୍ତି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଉନ୍ନତ ମାନର ପାଚେରୀ ନିର୍ମାଣ କରିବା ସହ ନିମ୍ନମାନର ପାଚେରୀ ନିର୍ମାଣ କରିଥିବା ଠିକାଦାରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି ।

Leave A Reply

Your email address will not be published.

eight + eighteen =