pakka

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ମହାସମାରୋହରେ ପାଳିତ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜିଲ୍ଲା ମହକୁମା ଛତ୍ରପୁର ସ୍ଥ ସଂସ୍କୃତି ଭବନରେ ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ଓ ଏକୋସ୍ ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଶୁକ୍ରବାର ମହାସମାରୋହରେ ପାଳିତ ହୋଇଯାଇଛି । ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଛତ୍ରପୁର ବ୍ଲକ କଲୋନୀଠାରୁ ଛତ୍ରପୁର ବସଷ୍ଟାଣ୍ଡ, ମାଛ ବଜାର, ଠାକୁରାଣୀ ମନ୍ଦିର ଛକ ଏବଂ ଅନସ୍ଲୋ ହାଇସ୍କୁଲ ଦେଇ ମହାସଂଘର ଗୋଟିଏ ରାଲି ବାହାରି ବିଭିନ୍ନ ବର୍ଗର ଭିନ୍ନକ୍ଷମ ସଚେତନତା ସ୍ଲୋଗାନ ଦେଇ ଜିଲ୍ଲା ସଂସ୍କୃତି ଭବନଠାରେ ପହଞ୍ଚିଥିଲେ । ଉକ୍ତ ରାଲିକୁ ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ପତକା ଦେଖାଇ ଏହାକୁ ଆନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ । ଜିଲ୍ଲା ସଂସ୍କୃତି ଭବନଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୧ ଉପଲକ୍ଷେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୨୫୦ରୁ ଅଧିକ ଭିନ୍ନକ୍ଷମ ଲୋକମାନେ ଯୋଗଦାନ କରିଥିଲେ । ବିଶିଷ୍ଟ ସମାଜସେବୀ ତଥା ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ଡଃ. କେ. ଆନନ୍ଦ ରାଓଙ୍କ ସଂଯୋଜନା ଓ ବ୍ରହ୍ମପୁର ସ୍ଥିତ ଇକୋସ ଚକ୍ଷୁ ଚିକିସ୍ଥାଳୟର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡା. ମିହିର କୁମାର ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୋପାଳପୁର ପୋର୍ଟ ଲିଃ.ନିର୍ଦ୍ଦେଶକ କର୍ଣ୍ଣେଲ ଦୀପକ ରାମପାଲ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ ମହାସଂଘର ଏହିଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ ଆର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସ- ୨୦୨୧ ପାଳନର ଆବଶ୍ୟକତା ଉପରେ ଆଲୋକପାତ କରି ଭିନ୍ନକ୍ଷମ ଲୋକମାନେ କୌଣସି ଗୁଣରେ କମ୍‌ ନୁହନ୍ତି । ଯଦି ସେମାନଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରାଯାଏ । ତେବେ ସେମାନେ ମଧ୍ୟ ଭାରତର ଅର୍ଥନୀତିରେ ଅଂଶୀଦାର ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ ଯୋଗଦେଇ ଭିନ୍ନକ୍ଷମତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ଭାରତୀୟ ତଟରକ୍ଷା ବାହିନୀ ଗୋପାଳପୁର ୟୁନିଟର ସେନାନାୟକ କରନ କିଶୋର ଯୋଗ ଦେଇ ଭିନ୍ନକ୍ଷମମାନଙ୍କ ସଂଖ୍ୟା ଓ ବର୍ତ୍ତମାନର ସ୍ଥିତି ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମିଳନୀର ସମ୍ପାଦିକା ତଥା ଗୋପାଳପୁର ସ୍ଥିତ ଇନରଭୀଲ କ୍ଲବ ଅଫ ବ୍ରହ୍ମପୁର ବ୍ରାଇଟ୍ସର ସଭାନେତ୍ରୀ ଶ୍ରୀମତୀ ସୀମା ଚୌଧୁରୀ ଯୋଗ ଦେଇ ଭିନ୍ନକ୍ଷମ ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ହେଲେ ଦଳମତ ନିର୍ବିଶେଷରେ ସମସ୍ତେ ଭିନ୍ନକ୍ଷମ ଲୋକମାନଙ୍କୁ ସହଯୋଗର ହାତ ବଢାଇବାକୁ ପଡିବ ବୋଲି କହିଥିଲେ । ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ବିଜ୍ଞାନ ମହାବିଦ୍ୟାଳୟର ସହକାରୀ ଅଧ୍ୟାପକ ଡା. ସରୋଜ କୁମାର ଦାସ ଯୋଗ ଦେଇ ଭିନ୍ନକ୍ଷମ ଦିବସ ଓ ଭିନ୍ନକ୍ଷମତା ଉପରେ ଆଲୋକପାତ କରିଥିଲେ । ସମ୍ମାନନୀୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଚନ୍ଦ୍ରଶେଖର ଗୌଡ଼ ଯୋଗଦେଇ ଭିନ୍ନକ୍ଷମ ଲୋକମାନଙ୍କୁ ସମସ୍ତେ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ସମର୍ଥ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେକ୍ଷଣ କରିଥିଲେ । ବେଳେ ଭିନ୍ନକ୍ଷମ ଛାତ୍ର ସୁଦର୍ଶନ ପାଢ଼ୀ, ଭିନ୍ନକ୍ଷମ ଛାତ୍ରୀ ଡି. ସରସ୍ଵତି ରେଡ୍ଡୀ ଓ ଏସ୍. ରାଜେଶ୍ୱରୀ ଓ ତପସ୍ବିନୀ ମଣ୍ଡଳ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ । ବିଶିଷ୍ଟ ଭିନ୍ନକ୍ଷମ ସମାଜସେବୀ ଅଭାଗା କୁମାର ସାହୁ ଓ ଶରତ ଚନ୍ଦ୍ର ମହାରଣାଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଅଭିନନ୍ଦନିକା ସହ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ମହାସଂଘର ସାଧାରଣ ସମ୍ପାଦକ ଡଃ. କେ. ଆନନ୍ଦ ରାଓ ଧନ୍ୟବାଦ ଅର୍ପଣ କରିବା ପରେ ଉପସ୍ଥିତ ସମସ୍ତ ଭିନ୍ନକ୍ଷମ ଲୋକମାନଙ୍କୁ ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ କରାଯାଇଥିଲା ।

Leave A Reply

Your email address will not be published.

2 + 16 =