ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ଡକ୍ଟର ବାବାସାହେବ ଭୀମ ରାଓ ଆମ୍ବେଦକରଙ୍କ ନାମରେ ନାମିତ ହେବ

  • ଡକ୍ଟର ଆମ୍ବେଦକରଙ୍କ ଜୀବନ ଓ ଆଦର୍ଶକୁ ନେଇ କରାଯିବ ସ୍ଵତନ୍ତ୍ର ଗ୍ୟାଲେରୀ

ଭୁବନେଶ୍ୱର : ଭାରତୀୟ ସମ୍ବିଧାନର ଜନକ ତଥା ସାମାଜିକ ନ୍ୟାୟର ମହାନ ପ୍ରବକ୍ତା ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତ ହେବ ଭୁବନେଶ୍ଵର ବରମୁଣ୍ଡାର ନବନିର୍ମିତ ବସଷ୍ଟାଣ୍ଡ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିବା ସହ ଡକ୍ଟର ଆମ୍ବେଦକରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏବେ ବରମୁଣ୍ଡା ବସଷ୍ଟାଣ୍ଡ ବାବାସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲ ଭାବରେ ପରିଚିତ ହେବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଡକ୍ଟର ଆମ୍ବେଦକର ଜଣେ ଦୂରଦର୍ଶୀ ନେତା ସମର୍ପିତ ସମାଜ ସଂସ୍କାରକ ଥିଲେ । ସମାଜର ଦଳିତ ନିଷ୍ପେସିତଙ୍କ ପାଇଁ ସେ ଥିଲେ ଆଶାର ଆଲୋକ । ଏକ ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ସେ ସାରା ଜୀବନ କାମ କରିଯାଇଛନ୍ତି । ଦେଶ ଗଠନରେ ତାଙ୍କର ମହାନ୍ ଅବଦାନ ଓ ଆଦର୍ଶ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଡକ୍ଟର ବାବାସାହେବ ଆମ୍ବେଦକର ବସଷ୍ଟାଣ୍ଡରେ ୯୦୦ ବର୍ଗଫୁଟ ଅଞ୍ଚଳରେ ଏକ ସ୍ଵତନ୍ତ୍ର ଗ୍ୟାଲେରୀ ନିର୍ମାଣ କରାଯିବ । ଡିଜିଟାଲ ଜ୍ଞାନକୌଶଳ ବ୍ୟବହାର ଜରିଆରେ ଡକ୍ଟର ଆମ୍ବେଦକରଙ୍କ ଜୀବନୀ ଓ ଆଦର୍ଶକୁ ଏଠାରେ ସୁନ୍ଦର ଭାବରେ ଉପସ୍ଥାପିତ କରାଯିବ । ଭାରତୀୟ ସମ୍ବିଧାନର ଏକ ନକଲ ସହିତ ବାବାସାହେବଙ୍କ ଦ୍ଵାରା ବ୍ୟବହୃତ ବିଭିନ୍ନ ଜିନିଷ ମଧ୍ୟ ଏଠାରେ ପ୍ରଦର୍ଶିତ ହେବ । ୧୫.୫ ଏକର ପରିମିତ ଜମିରେ ନିର୍ମିତ ଏହି ବସଷ୍ଟାଣ୍ଡ ଦୈନିକ ତିରିଶ ହଜାର ଯାତ୍ରୀଙ୍କ ପରିବହନର ମୁଖ୍ୟ ମାଧ୍ୟମ ହେବ । ଏହାକୁ ଦୃଷ୍ଟିରେ ରଖି ଏଠାରେ ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବା ସହ ନିରାପତ୍ତା ପ୍ରତି ମଧ୍ୟ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି ।

Leave A Reply

Your email address will not be published.

eleven − one =