ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ ବଲାଙ୍ଗିର ପୌର ପରିଷଦ ପକ୍ଷରୁ ସାରସ୍ୱତ ସାଧକ ସମ୍ମାନ ସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଆ ଭାଷା ଭାରତର ଏକ ପ୍ରାଚୀନ ଓ ସମୃଦ୍ଧ ଭାଷା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଓ ନିଷ୍ଠା ଯୋଗୁଁ ଓଡିଆ ଭାଷା ଭାରତର ଷଷ୍ଠ ଶାସ୍ତ୍ରୀୟ ଭାଷା ଭାବରେ ସ୍ୱିକୃତି ଲାଭ କରିଛି । ଓଡିଆ ଭାଷା ପ୍ରତିଷ୍ଠାନ ସ୍ଥାପନ କରାଯାଇଛି । ଓଡିଆ ଉତ୍କର୍ଷ କେନ୍ଦ୍ର ସ୍ଥାପନ ସହ ଓଡିଆ ଭାଷାର ସର୍ବୋଚ୍ଚ ନମ୍ବର ପାଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଉଛି । ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ଆୟୋଜନ ମଧ୍ୟ ସାରା ବିଶ୍ୱରେ ପ୍ରଥମ ।ତେବେ ବୈଶ୍ୱିକ ପ୍ରଭାବରେ ବିଶ୍ୱର ବହୁ ସ୍ଥାନୀୟ ଭାଷା ସଂକଟରେ ରହିଥିବା ବେଳେ ଭାଷାର ବହୁଳ ବ୍ୟବହାର ଓ ଭାଷା ପ୍ରତି ଆନ୍ତରିକ ଆତ୍ମୀୟତା ଏହି ସଂକଟରୁ ଓଡିଆ ଭାଷାକୁ ରକ୍ଷା କରିବ ବୋଲି ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ ଆଜି ବଲାଙ୍ଗିର ପୌର ପରିଷଦ ତରଫରୁ ଆୟୋଜିତ ଓଡିଆ ଭାଷା ସାହିତ୍ୟର ପ୍ରତିଭା ସମ୍ମାନ ସମାରୋହ ଅବସରରେ ମତ ପ୍ରକାଶ ପାଇଛି ।

ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ସଭାପତିତ୍ୱରେ ରାଜେନ୍ଦ୍ର ପାର୍କ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ବରେଣ୍ୟ ଅତିଥି ଭାବରେ ଯୋଗଦେଇ ଭାଷିକ ସଂକଟର ରକ୍ଷାକର୍ତ୍ତା କେବଳ ସେହି ଭାଷାର ବ୍ୟବହାରକାରୀ, ଓଡିଆ ଭାଷାକୁ ସମୃଦ୍ଧ କରିବାକୁ ହେଲେ ଏହାର ବହୁଳ ବ୍ୟବହାର ହିଁ ଏକମାତ୍ର ମାର୍ଗ ବୋଲି କହିଥିଲେ । ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରିବା ପରେ ପୌର ନିର୍ବାହୀ ଅଧିକାରୀ ଇଂ ବିଶ୍ୱମ୍ବର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ।ଏହି ଅବସରରେ ଓଡିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିଥିବା ସ୍ରଷ୍ଟା ଗାଳ୍ପିକା ଡାକ୍ତର ମଂଜୁବାଳା ପଣ୍ଡା, କବୟିତ୍ରୀ ଡାକ୍ତର ଜ୍ୟୋତିର୍ମୟୀ ସାହୁ, କବି ଡକ୍ଟର ସଂଜୟ କୁମାର ମିଶ୍ର, କବି ସନ୍ଦୀପ କୁମାର କୁଅଁର, କବି ଆନନ୍ଦ ଚନ୍ଦ୍ର ସାହୁ, କବି ବିଜୟ କୁମାର ତ୍ରିପାଠୀଙ୍କୁ ଅଙ୍ଗବସ୍ତ୍ର, ପୁଷ୍ପଗୁଚ୍ଛ ଓ ସ୍ମୃତିଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହ ଓଡିଆରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସ୍ୱର୍ଣ୍ଣ ପଦକ ବିଜୟିନୀ ଆୟେଶା ଖାନମ୍ ତଥା ଓଡିଆରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସ୍ବର୍ଣ୍ଣ ପଦକ ବିଜୟିନୀ ସୌମ୍ୟା ମଧୁପର୍ଣ୍ଣା ତ୍ରିପାଠୀଙ୍କୁ ଅଙ୍ଗବସ୍ତ୍ର, ପୁଷ୍ପଗୁଚ୍ଛ ଓ ସ୍ମୃତିଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମାରୋହକୁ କବି ବିଜୟ କୁମାର ତ୍ରିପାଠୀ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ସହରର ବରିଷ୍ଠ ନାଗରିକଙ୍କ ସମେତ ବହୁ ଜନସାଧାରଣ, ପୌର କାଉନସିଲର ବୃନ୍ଦ ଯୋଗ ଦେଇଥିବା ବେଳେ ଏହାକୁ ପୌର କର୍ମଚାରୀମାନେ ପରିଚାଳନା କରିଥିଲେ ।

Leave A Reply

Your email address will not be published.

three × 5 =