
- ଚାଷ ଜମିରେ ଉତ୍ପାତ ମଚାଉଛନ୍ତି ହାତୀ
- ଆଖୁ ଖାଇ ନଷ୍ଟ କଲେ
- ଲୋକଙ୍କ ପାଇଁ ୩୦ ଟିକିଆ ହାତୀପଲ ଗୋଷ୍ଠୀଛଡ଼ା
ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୨ଦିନ ହେଲା ଦେଓଗାଁ ଅଞ୍ଚଳରେ ହାତୀ ବୁଲୁ ଥିବାର ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ସହ ଚାଷୀମାନେ ଆତଙ୍କିତ ହୋଇଥିବା ବେଳେ ହାତୀ ପଛେ ପଛେ ବନ ବିଭାଗ ରହିଛି । ଶୁକ୍ରବାର ସକାଳୁ ଦେଓଗାଁ ମଦନପାଲି ଓ ଜୁର୍ଲାକାନି ମଝିରେ ରହିଥିବା ବେଳେ ଲୋକଙ୍କ ଗହଳି ଯୋଗୁଁ ହାତୀମାନେ ମଧ୍ୟ ଭୟବିତ ହୋଇ ଏପଟ ସେପଟ ହେଉଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଅସାଧାରଣ ଲୋକଙ୍କ ପାଇଁ ଏହି ୩୦ ଟିକିଆ ହାତୀପଲ ଏବେ ଗୋଷ୍ଠୀ ଛଡ଼ା ହୋଇ ନିଜ ଗୋଷ୍ଠୀକୁ ଖୋଜି ବୁଲୁଥିବା ସନ୍ଦେହ ହେଉଛି । ଗୋଟିଏ ଗୋଷ୍ଠୀ ନଦୀ କୂଳରେ ରହିଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ମଦନପାଲି ଓ ଜୁର୍ଲାକାନି ରାସ୍ତାର ଡୁଙ୍ଗୁରିରେ ରହିଥିବା ଜାଣିବାକୁ ମିଳିଛି । ନିକଟରେ ଥିବା ଏକ ଆଖୁ କିଆରୀର ଆଖୁ ଖାଇବା ସହ ମାଡ଼ି ନଷ୍ଟ କରିଦେଇଛନ୍ତି ଏହି ହାତୀପଲ । ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛନ୍ତି । ପ୍ରକାଶ ଯେ, ଗତ ୨ଦିନ ହେଲା ହାତୀ କେତେବେଳେ ରେଳ ଲାଇନ କଡରେ ତ ଆଉ କେତେବେଳେ ଏନ୍ ଏଚ୍ ୨୬କଡକୁ ଚାଲି ଆସୁଥିଲେ । ତେବେ ଗତ ବୁଧବାର ରାତିରେ ହାତୀ କନ୍ଧକେଲଗାଁ ଫରେଷ୍ଟ ସେକ୍ସନର ବରମୁଣ୍ଡା ଓ ନାଇକେନଶିରା ମଝିରେ ରହିଥିବା ବେଳେ ରେଳ ଲାଇନର ପାଚେରୀ ଡେଇଁ ହାତୀସରା ଗାଁ ନିକଟକୁ ପ୍ରବେଶ କରିଥିଲେ । ଗୁରୁବାର ସକାଳେ ଦେଓଗାଁ ଛେଳି ପ୍ରଜନନ କେନ୍ଦ୍ର ନିକଟରେ ରହିଥିବାରୁ ସେଠି କାମ କରୁଥିବା ଗୋଟିଏ ପରିବାର ଭୟବିତ ହୋଇ ରହିଥିଲେ । ଏପରିକି ହାତୀ ଭିତରେ ରହିଥିବାରୁ ଛେଳି ଚରାଳିମାନେ ମଧ୍ୟ ଛେଳିର ଯତ୍ନ ନେବା ପାଇଁ ଯାଇ ପାରିନଥିଲେ । ବୁଧବାର ଉପରଓଳି ହାତୀପଲ ବଙ୍ଗଳା ଛକ ଓ ସୋନବନ୍ଧ ନିକଟରେ ରହିଥିବାରୁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ହାତୀ ପଲଙ୍କ ଉପଦ୍ରବ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଓ ଭୟର ପରିବେଶ ସୃଷ୍ଟି ହୋଇଛି । ଗତକାଲି ରାତିରୁ ଦେଓଗାଁ ଛେଳି ପ୍ରଜନନ କେନ୍ଦ୍ର ଓ ସୋନବନ୍ଧ ପୋଖରୀ ନିକଟସ୍ଥ ଜଙ୍ଗଲରେ ପାଖାପାଖି ୩୦ ଟିକିଆ ବଡ଼ ହାତୀପଲ ଘୁରି ବୁଲୁଛନ୍ତି । ହାତୀମାନେ ବଙ୍ଗଳା ଛକ ନିକଟସ୍ଥ ଆଖୁ କିଆରୀ ଓ ଫସଲ ଜମିରେ ପଶି ନଷ୍ଟ କରିଥିବା ବେଳେ, ଲୋକମାନେ ନିଜ ନିଜର ସୁରକ୍ଷା ପାଇଁ ଚିନ୍ତିତ ଅଛନ୍ତି ।