ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥକୁ କାଳିଆବାଲି ଗ୍ରାମରେ ଦାସୁଡୁ ସତ୍ୟମ୍ ଗୋଷ୍ଠୀଙ୍କ ପକ୍ଷରୁ ଭବ୍ୟ-ସ୍ଵାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ସମସ୍ତ ଗ୍ରାମରେ ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥକୁ ସ୍ୱାଗତ କରାଯାଇଛି । ଶୁକ୍ରବାର କାଳିଆବାଲି ଗ୍ରାମ୍ୟ-ଛକଠାରେ ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥକୁ ବିପୁଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଭକ୍ତି ଭାବାବେଗର ସହ ଭବ୍ୟ ସମ୍ୱର୍ଦ୍ଧନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟ କଳା କେନ୍ଦ୍ର (ଭାଗବତଗାଦି) ତରଫରୁ ଦାସୁଡୁ ଗୁରୁ ଆର୍.ସତ୍ୟମ୍ ରେଡ୍ଡୀଙ୍କ ନେତ୍ତୃତ୍ୱରେ ଭକ୍ତି ଭାବାବେଗରେ ଏକ ଶୋଭାଯାତ୍ରା ବାହାରି ଏହି ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମଣ କରିଥିଲା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେବାରେ ଆର୍.ସତ୍ୟମ୍ ରେଡ୍ଡୀ ନିଜକୁ ଉତ୍ସଗୀକୃତ କରିବା ସହିତ ଡାସୁଡୁ ଗୋଷ୍ଠୀ ଏହି କାର୍ଯ୍ୟରେ ସକ୍ରିୟ ଯୋଗଦେଇଥିଲେ । ଏହି ପବିତ୍ର ଆଧ୍ୟାତ୍ମିକ କାର୍ଯ୍ୟରେ ଗିନି, ଝାଞ୍ଜ ବଜାଇ ତଥା ହରିନାମ ସଂକୀର୍ତ୍ତନ ଗାଇବା ସାଙ୍ଗକୁ ସେବାଦଳ ନୃତ୍ୟ କରିଥିଲେ । ପୁରୁଷ ଓ ମହିଳା ସମସ୍ତେ ମନମୁଗ୍ଧରେ ଜୟ ଜଗନ୍ନାଥଙ୍କ ନାମରେ ସଂକୀର୍ତ୍ତନ କରିଥିଲେ । ହରିବୋଲ, ଶଙ୍ଖ, ହୁଳହୁଳି ଧ୍ୱନିରେ ସ୍ଥାନଟି ଆଧ୍ୟାତ୍ମିକ ବାତାବରଣରେ ମୁଖରିତ ହୋଇଉଠିଥିଲ । ପ୍ରାରମ୍ଭରେ ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ଏସ୍‌.ସଞ୍ଜୀବ ରେଡ୍ଡୀଙ୍କ ତତ୍ତ୍ଵାବଧାନରେ ସମସ୍ତ ଘର ଘର ବୁଲି ସାହି ସାହିରେ ଗୁଆ ଚାଉଳ ସଂଗ୍ରହ କରାଯାଇଥିଲା । ପଞ୍ଚାୟତ ନିର୍ବାହୀ ଅଧିକାରୀ ମମିତା ଶବର, ଗ୍ରାମୀଣ ରୋଜଗାର ସେବକ ମୋହିନୀ ମଣ୍ଡଳ, ସ୍ଵୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଏସ୍‌.ଜ୍ୟୋତି ରେଡ୍ଡୀ, ସି.ଆର୍.ପି ମେମ୍ବର୍, ୱାର୍ଡ଼ ମେମ୍ବର, ଅଙ୍ଗନୱାଡ଼ି-ଦିଦି, ଆଶା ଦିଦିଙ୍କ ସମେତ ମିଶନଶକ୍ତିର ମାଆମାନେ ଏବଂ ଗ୍ରାମ୍ୟ-ଭଦ୍ରମଣ୍ଡଳୀ, ଗ୍ରାମ୍ୟ କମିଟିବୃନ୍ଦ ତଥା ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ନିମନ୍ତେ ଆସିଥିବା ଜଗନ୍ନାଥଙ୍କ ଅର୍ପଣ ରଥକୁ ସ୍ୱାଗତ କରି ସମସ୍ତେ ଭକ୍ତି ଭାବପୂର୍ଣ୍ଣରେ ନିଜକୁ ଉତ୍ସର୍ଗୀକୃତ କରିଥିଲେ ।

Leave A Reply

Your email address will not be published.