ବଲାଙ୍ଗିର ବାଇପାସ୍ ପାଇଁ ଦାବୀ କଲେ ବିଭିନ୍ନ ସଂଗଠନ

ବଲାଙ୍ଗିର, (କେପିଏନଏସ୍) : ଦୀର୍ଘ ଦିନର ଦାବୀ ହେଉଛି ବଲାଙ୍ଗିର ବାଇପାସ୍ ରାସ୍ତା । ଯାନବାହାନ ବଢ଼ି ବଢ଼ି ଚାଲିଛି, ଟ୍ରକ୍ ଚାପା ତଥା ମର୍ମନ୍ତୁଦ ଦୁର୍ଘଟଣାମାନ ଦିନକୁ ଦିନ ବଢି ଚାଲିଛି । ବଲାଙ୍ଗିର ସହର ଭିତର ଦୁର୍ଗାମନ୍ଦିର ପାଖରେ ଗତ ୦୧/୧୨/୨୦୨୧ ରାତ୍ରି ୧୦.୩୦ ମିନିଟରେ ଘଟିଥିବା ଘଟଣା ଏହାର ଏକ ଜ୍ଵଳନ୍ତ ଉଦାହରଣ । ଏଭଳି ଘଟଣା ଆଗରୁ ମଧ୍ୟ ଅନେକ ଘଟିଛି, କିନ୍ତୁ ପ୍ରଶାସନ ଚୁପ୍ ରହି ନିରୀହ ଲୋକମାନଙ୍କୁ ଲୌହ ମାନବ ଠାରେ ବଳି ଦେଇ ଚାଲିଛି । ଯେତେ ଦିନ ବାଇପାସ୍ ରାସ୍ତା ନ ହେବ ସେ ପର୍ଯ୍ୟନ୍ତ ଯଦି ପୋଲିସ ପ୍ରଶାସନ ଉପଯୁକ୍ତ ପଦପେକ୍ଷ ଗ୍ରହଣ ନ କରନ୍ତି ତାହେଲେ ଏଭଳି ଅଘଟଣ ଆଗକୁ ମଧ୍ୟ ବଢି ଚାଲିବ । ନିକଟରେ ଘଟିଥିବା ଦୁର୍ଘଟଣା ବେଳେ ବଲାଙ୍ଗିରବାସୀଙ୍କ ସହ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ରହି ରାତ୍ରୀରେ ଆନ୍ଦୋଳନ କରି ତାଙ୍କ ପରିବାର ପାଇଁ କ୍ଷତି ପୂରଣ ଦାବୀ କରିଥିଲେ । ସକାଳ ୬ଟାରୁ ରାତ୍ରୀ ୧୨ ଟା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ବନ୍ଦ କରିବା ପାଇଁ ଅନୁରୋଧ ମଧ୍ୟ କରିଥିଲେ । ଏହିଭଳି ଦୁର୍ଘଟଣାକୁ ଲକ୍ଷ୍ୟ କରି ବଲାଙ୍ଗିରର ବିଭିନ୍ନ ସଂଗଠନର ସଦସ୍ୟମାନେ ଉପଖଣ୍ଡ ଅଧିକାରୀ ତୋଫାନ ବାଗଙ୍କ କାର୍ଯ୍ୟାଳୟକୁ ଯାଇ ଘଟିଥିବା ଦୁର୍ଘଟଣାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ଦୁର୍ଘଟଣା ଜନିତ ସମସ୍ୟାକୁ ନେଇ ଦାବୀପତ୍ର ଦେଇଥିଲେ । ବଲାଙ୍ଗିରବାସୀଙ୍କ କଥାକୁ ରଖି ସେ ଶୋକାକୁଳ ପରିବାର ବର୍ଗଙ୍କୁ ୩୦,୦୦୦/- ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ ଏବଂ ରାତ୍ରୀରେ ଟ୍ରକ୍ ମାନଙ୍କୁ ଛାଡ଼ିବା ସମୟ ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଏଥିରେ ସ୍ବେଚ୍ଛାସେବୀ ସଂଗଠନର ଉପଦେଷ୍ଟା ସନ୍ଦୀପ ବାଗ, ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଶତପଥୀ, ଲିଙ୍କନ ସେଠ୍, ଜିତୁ ସାହୁ, କବୀର୍ ବସ୍ତିଆ, ସହଦେବ ନାଗ, ପାର୍ଥ କରନ, ସ୍ବାଭିମାନ ପରିବାରର ମିଲୁ ସାହୁ, ସମ୍ଭୁ ନାଗ, ସଞ୍ଜୟ ସାହୁ, କର୍ତ୍ତବ୍ୟ ଫାଉଣ୍ଡେସନର କାହ୍ନା ଶତପଥୀ, ହିତେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eight − five =