om academy

ରାଣୀପୁର ଝରିଆଲରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଉନ୍ନତିମୂଳକ ସମୀକ୍ଷା ବୈଠକ

jsm
  • ବିଭିନ୍ନ ବିଭାଗର କାର୍ଯ୍ୟକୁ ଦେଖି ଅଧିକାରୀଙ୍କୁ ତାଗିଦ୍ କଲେ ବିଧାୟକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକାରେ ଥିବା ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲରେ ଆଜି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଉନ୍ନତିମୂଳକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ବୈଠକରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ସିଂ, ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢୀ, ଇନଚାର୍ଜ ଡେପୁଟି ଡାଇରେକ୍ଟର ପ୍ଲାନିଙ୍ଗ ସଞ୍ଜୟ କୁମାର ଦୀପ ପ୍ରମୁଖ ମଂଚାସୀନ ହୋଇଥିଲେ । ବିଭିନ୍ନ ବିଭାଗର କାର୍ଯ୍ୟକଳାପକୁ ଦେଖି ବିଭାଗର ଅଧିକାରୀମାନଙ୍କୁ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ତାଗିଦ୍ କରିଥିଲେ । ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ସୁବିଧା ଓ ଅସୁବିଧା ସମ୍ପର୍କରେ ଲୋକମାନଙ୍କ ସମସ୍ୟା ବୁଝିବା ପାଇଁ ବିଭିନ୍ନ ଅଧିକାରୀମାନଙ୍କୁ ବୁଝାଇଥିଲେ । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଦାଦନ ପ୍ରବଣ ଅଂଚଳ ଭାବେ ବେଶ ଜଣାଶୁଣା ଥିବା ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ଗୋଟିଏ ପରେ ଗୋଟିଏ ଡାକି ବ୍ଲକ ଗୁଡିକରେ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେମିତି ପ୍ରକୃତ ହିତାଧିକାରୀ ପାଇବ ସେ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା । ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ହେଉଛି ଅନୁନ୍ନତ ଦାଦନ ପ୍ରବଣ ଅଂଚଳ ହୋଇଥିବାରୁ କେମିତି ଭାବେ ବାହାର ରାଜ୍ୟ ଲୋକେ ଦାଦନ ଖଟିବାକୁ ନ ଯାଇ ନିଜ ପଂଚାୟତରେ ହେଉଥିବା ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହିତାଧିକାରୀମାନେ ସାମିଲ ହୋଇ କାମ କରିବେ ସେ ଉପରେ ବିଭିନ୍ନ ଅଧିକାରୀମାନଙ୍କୁୁ ପ୍ରକଳ୍ପ ନିର୍ଦ୍ଦେଶକ ବୁଝାଇଥିଲେ । ବିଭିନ୍ନ ବିଭାଗର ଯନ୍ତ୍ରୀମାନଙ୍କୁୁ ଡାକି ଅସମ୍ପୂର୍ଣ୍ଣ ଥିବା ବିଭିନ୍ନ ପ୍ରକାର କାମକୁ ଶୀଘ୍ର ତ୍ୱରାନିତ କରିବା ପାଇଁ କୁହାଯାଇଥିଲା । କଣ୍ଟାବାଞ୍ଜି ଏନ୍‌ଏସିର ସମ୍ପୃକ୍ତ ଅଧିକାରୀଙ୍କୁ ଡାକି ସଂପୂର୍ଣ୍ଣ ହୋଇନଥିବା କାମକୁ କେମିତି ଭାବେ ସଂପୂର୍ଣ୍ଣ କରାଯାଇ ପାରିବ ଓ ଲୋକେ କେମିତି ଏହାର ସୁବିଧା ପାଇପାରିବେ ସେ ବିଷୟରେ କଣ୍ଟାବାଞ୍ଜି ବିଧାୟକ ବୁଝାଇଥିଲେ । ଜଙ୍ଗଲ ବିଭାଗର ଅଧିକାରୀମାନେ ବିଭିନ୍ନ ସମୟରେ ଗରିବ ଲୋକମାନଙ୍କୁ ହଇରାଣ କରୁଥିବା ନେଇ ଅଭିଯୋଗ ପାଇବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଧାୟକ । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ । ଏଥିରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ତୁରେକେଲା ବ୍ଲକର ଜିଲ୍ଲା ପରିଷଦ ସଦସ୍ୟ କୌଶିକ ମେହେର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଇନଚାର୍ଜ ଡେପୁଟି ଡାଇରେକ୍ଟର ପ୍ଲାନିଙ୍ଗ ସଞ୍ଜୟ କୁମାର ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.