ଡେଲାଙ୍ଗରେ ଜେଏମ୍ଏଫସି କୋର୍ଟ ସ୍ଥାପନ ନେଇ ଦ୍ଵିତୀୟ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗରେ ଜେଏମ୍ଏଫସି କୋର୍ଟ ସ୍ଥାପନ ନେଇ ରବିବାର ଆରିଶଲ ସ୍ଥିତ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଦ୍ଵିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ବ୍ଲକ ବିଜେଡି ସଭାପତି ବୈରାଗୀ ଜେନା, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ସରକାରୀ ଓକିଲ ରବୀନ୍ଦ୍ର କୁମାର ନାୟକ, ସନାତନ ପ୍ରଧାନ, ସିପିଆଇ(ଏମଏଲ୍) ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କମ୍ରେଡ ଅଶୋକ ପ୍ରଧାନଙ୍କ ସମେତ ଡେଲାଙ୍ଗ ବ୍ଲକର ପ୍ରମୁଖ ଆଇନଜୀବୀ, ସରପଞ୍ଚ, ସମିତି ସଭ୍ୟ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ସରକାରଙ୍କ ପକ୍ଷରୁ ଡେଲାଙ୍ଗ ବ୍ଲକରେ ଜେଏମ୍ଏଫସି କୋର୍ଟ ପ୍ରତିଷ୍ଠା ପାଇଁ ଥିବା ଯୋଜନାର ଉଚ୍ଚ ପ୍ରଶଂସା କରିଥିଲେ । ସୂଚନା ଅନୁଯାୟୀ, ପୁରୀ ଜିଲ୍ଲାରେ କେବଳ ଡେଲାଙ୍ଗ ବ୍ଲକକୁ ବାଦ୍ ଦେଇ ଅବଶିଷ୍ଟ ୧୦ଟି ବ୍ଲକରେ ଜେଏମ୍ଏଫସି କୋର୍ଟ ସ୍ଥାପନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ତୁରନ୍ତ ଡେଲାଙ୍ଗରେ ଏହି କୋର୍ଟ ପ୍ରତିଷ୍ଠା ଦିଗରେ ଦଳମତ ନିର୍ବିଶେଷରେ ପ୍ରତ୍ୟେକ ବର୍ଗର ବ୍ୟକ୍ତି ସହଯୋଗ କରିବାକୁ ବିଧାୟକ ଶ୍ରୀ ମହାରଥୀ ନିବେଦନ କରିଥିଲେ । ସମ୍ପ୍ରତି ପ୍ରାୟ ୬ହଜାର କ୍ରିମିନାଲ ଓ ସିଭିଲ କେଶ୍ ପିପିଲି କୋର୍ଟରେ ବିଚାରାଧୀନ ଥିବା ବେଳେ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ତଥା ସ୍ୱଳ୍ପ ଖର୍ଚ୍ଚରେ ସୁବିଧାରେ କେସ୍‌ ଗୁଡ଼ିକର ଫଇସଲା କରିବା ପାଇଁ ଡେଲାଙ୍ଗରେ ଜେଏମ୍ଏଫସି କୋର୍ଟ ପ୍ରତିଷ୍ଠା କରିବା ଅପରିହାର୍ଯ୍ୟ ବୋଲି ସରକାରୀ ଓକିଲ ରବୀନ୍ଦ୍ର କୁମାର ନାୟକ ମତବ୍ୟକ୍ତ କରିଥିଲେ । ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସ୍ଥାନ ନିରୁପଣ କରିବା, ଅସ୍ଥାୟୀ ଭାବେ କୋର୍ଟ କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରକ୍ରିୟା ଜାରି ରଖିବା, ଆବଶ୍ୟକତା ଅନୁଯାୟୀ ସ୍ଥାନ ନିରୁପଣ ଓ ଆର୍ଥିକ ଅନୁଦାନ ଆଦି କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଦ୍ଵିତୀୟ ପଞ୍ଚାୟତ ସମିତି ବୈଠକରେ ଡେଲାଙ୍ଗରେ ଜେଏମ୍ଏଫସି କୋର୍ଟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଆଗତ ହୋଇଥିବା ନେଇ ବିଧାୟକ ଶ୍ରୀ ମହାରଥୀ ସୂଚନା ଦେଇଥିଲେ । ଏ ସଂକ୍ରାନ୍ତରେ ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା ଅନୁକୂଳ ମନ୍ତବ୍ୟ ଦେଇଛନ୍ତି ବୋଲି ବିଧାୟକ କହିଥିଲେ । ସମସ୍ତ କାର୍ଯ୍ୟ ପରିଚାଳନା ପାଇଁ ତୁରନ୍ତ ଏକ କମିଟି ଗଠନ କରିବାକୁ ବ୍ଲକ୍ ବିଜେଡି ସଭାପତି ବୈରାଗୀ ଜେନା ଓ କମ୍ରେଡ ଅଶୋକ ପ୍ରଧାନ ପ୍ରସ୍ତାବ ଦେଇଥିଲେ । ସେହିପରି ପୁରୀ ଜିଲ୍ଲା ବିଚାରପତି ଏ ଦିଗରେ ଆନୁସଙ୍ଗିକ କାର୍ଯ୍ୟକ୍ରମ ତୁରନ୍ତ ଆରମ୍ଭ କରିବାକୁ ପରାମର୍ଶ ଦେଇଥିବା ନେଇ ଆଇନଜୀବୀ ଅନିଲ କୁମାର ଦଳେଇ ସୂଚନା ଦେଇଥିଲେ । ଏହି ଆଲୋଚନାଚକ୍ରରେ ଆଇନଜୀବୀ ବସନ୍ତ କୁମାର ଦାଶ, ବିଶ୍ଵନାଥ ପରିଡ଼ା, ମାର୍କଣ୍ଡ ପରିଡ଼ା, ଶିବସୁନ୍ଦର ଜେନା, ପ୍ରମୋଦ ପାତ୍ର, ଅନୁପ କୁମାର ପରିଡ଼ା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଆଇନଜୀବୀ ତଥା ପରିବେଶବିତ୍ ହୃଷୀକେଶ ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.