pakka

ବାଲ୍ୟ ବିବାହ ଓ କିଶୋରୀ ମାତୃତ୍ୱ ନିରାକରଣ ନିମନ୍ତେ ପିଆରଆଇ ପ୍ରତିନିଧି, କାଉନସିଲର, ଟେଣ୍ଟ ହାଉସ ମାଲିକ ସଙ୍ଘ, ବ୍ୟାଣ୍ଡ ବାଜା ସଙ୍ଘ, ବିଭିନ୍ନ ଧର୍ମୀୟ ମୁଖ୍ୟ, ବିଭିନ୍ନ ସମ୍ପ୍ରଦାୟ ଓ ସମାଜ ନେତୃ ବର୍ଗଙ୍କ ସହ ଜିଲ୍ଲାପାଳଙ୍କ ବୈଠକ

  • ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି, ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଆମ ସମସ୍ତଙ୍କ ଗୁରୁଦାୟିତ୍ୱ ଓ ନୈତିକ କର୍ତ୍ତବ୍ୟ : ଜିଲ୍ଲପାଳ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ତରଭା ବ୍ଲକ ପ୍ରଶାସନର ମିଳିତ ସହଯୋଗରେ ବ୍ଲକ ସଭା କକ୍ଷଠାରେ ଜିଲ୍ଲା ବାଲ୍ୟ ବିବାହ ନିରାକରଣ ନିମନ୍ତେ ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତର ପିଆରଆଇ ପ୍ରତିନିଧି, ଏନଏସିର କାଉନସିଲର, ଟେଣ୍ଟ ହାଉସ ମାଲିକ ସଙ୍ଘ, ବ୍ୟାଣ୍ଡ ବାଜା ସଙ୍ଘ, ବିଭିନ୍ନ ଧର୍ମୀୟ ମୁଖ୍ୟ, ବିଭିନ୍ନ ସମ୍ପ୍ରଦାୟର ଓ ସମାଜ ନେତୃ ବର୍ଗଙ୍କ ସହ ସୁବର୍ଣ୍ଣପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର କିଶୋରୀ ମାତୃତ୍ୱ ଓ ବାଲ୍ୟ ବିବାହ ସମ୍ପର୍କରେ ଉପସ୍ଥିତ ସ୍ଥାନୀୟ ଜନପ୍ରତିନିଧି ତଥା ବିବାହ ସମ୍ପର୍କିତ ବିଭିନ୍ନ ଷ୍ଟେକ ହୋଲ୍‌ଡରଙ୍କ ସହ ବିଶେଷ ଆଲୋଚନା କରି ଜିଲ୍ଲାରେ ବାଲ୍ୟ ବିବାହ ଓ କିଶୋରୀ ମାତୃତ୍ୱକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଆନ୍ତରିକ ସହଯୋଗ କାମନା କରିଛନ୍ତି । ସେ ଏହି ମର୍ମରେ କହିଛନ୍ତି କି, ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି, ଏହାକୁ ସମ୍ପୂର୍ଣ ବନ୍ଦ କରିବା ଆମ ସମସ୍ତଙ୍କ ସାମାଜିକ ଗୁରୁଦାୟିତ୍ୱ ଓ ନୈତିକ କର୍ତ୍ତବ୍ୟ ମଧ୍ୟ । ଏହା ସହିତ ଅଧାରୁ ପାଠ ଛାଡିଥିବା କିଶୋର କିଶୋରୀମାନଙ୍କୁ କିପରି ପୁନର୍ବାର ବିଦ୍ୟାଳୟକୁ ଫେରାଇ ଅଣାଯିବ ତା ଉପରେ ଗୁରୁତ୍ୱାରୋପ କରି ସବୁ ସ୍ତରରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ବାଲ୍ୟ ବିବାହ ତଥା କିଶୋରୀ ମାତୃତ୍ୱକୁ ଗୁରୁତ୍ୱାରୋପ ପୂର୍ବକ ସ୍ଥାନୀୟ ଜନପ୍ରତିନିଧି ଯଥା ଗ୍ରାମ ପଞ୍ଚାୟତ ସ୍ତରରେ ସରପଞ୍ଚ ଓ ଏନଏସି ସ୍ତରରେ କାଉନସିଲରମାନେ ନିଜ ନିଜ ପକ୍ଷରୁ ସ୍ଥାନୀୟ ଜନସାଧାରଣଙ୍କ ସହ ବୈଠକ ଅନୁଷ୍ଠିତ କରି ସଚେତନତା କରିବା ସହ ପ୍ରତିମାସ ନିଜ ପଞ୍ଚାୟତ/କାଉନସିଲରରେ କୌଣସି ବାଲ୍ୟ ବିବାହ ହେଉନାହିଁ ବୋଲି ପ୍ରମାଣପତ୍ର ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି । ପୁନଶ୍ଚ ନିଜ ଗ୍ରାମ ପଞ୍ଚାୟତ ତଥା ଏନଏସି ଅଞ୍ଚଳରେ ହେଉ ଥିବା ପ୍ରତିଟି ବିବାହର ସମ୍ପୂର୍ଣ୍ଣ ତଥ୍ୟର ବିବରଣୀ ରଖିବାକୁ ପରାମର୍ଶ ଦେବା ସହିତ ଏହି ମହତ କାର୍ଯ୍ୟରେ ସମସ୍ତେ ଆନ୍ତରିକତାର ସହ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୋଗଦାନ କରି ବାଲ୍ୟ ବିବାହର ଆଇନଗତ ଦିଗ ଓ ଶିଶୁ ଯୌନ ନିର୍ଯ୍ୟାତନା ଅଧୀନରେ ଆସୁଥିବା ଦଣ୍ଡ ବିଧାନ ଉପରେ ଆଲୋକପାତ କରି ସମସ୍ତଙ୍କ ସହଯୋଗରେ ବାଲ୍ୟବିବାହକୁ ଜିଲ୍ଲା ତଥା ବ୍ଲକ ସ୍ତରରେ ସମ୍ପୂର୍ଣ୍ଣ ବନ୍ଦ କରାଯାଇପାରିବ ବୋଲି କହିବା ସହ ବାଲ୍ୟ ବିବାହର ନିରାକରଣରେ ସ୍ଥାନୀୟ ସମ୍ପୃକ୍ତି ରହୁଥିବା ବ୍ୟକ୍ତି, ଗୋଷ୍ଠୀ ତଥା ଅନୁଷ୍ଠାନମାନଙ୍କ ଆବଶ୍ୟକତା ଓ ବିଶେଷ ଭୂମିକା ଉପରେ ଆଲୋକପାତ କରିଥିଲେ । ବର୍ତ୍ତମାନ ଜିଲ୍ଲାର ବାଲ୍ୟ ବିବାହ କମୁଥିବା ବେଳେ କିଶୋରୀ ମାତୃତ୍ୱ ଏକ ଆହ୍ୱାନ ହୋଇଛି । କିଶୋରୀ ମାତୃତ୍ୱ ଏକ ସମ୍ବେଦନଶୀଳ ପ୍ରସଙ୍ଗ ହେତୁ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଉପରେ ଜିଲ୍ଲା ପ୍ରଶାସନ ତରଫରୁ କଡା ଆଭିମୁଖ୍ୟ ଗ୍ରହଣ ପୂର୍ବକ ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ପ୍ରଦାନ କରାଯାଇ ଆଗାମୀ ଦିନରେ ଏହାର ପୁନରାବୃତ୍ତିକୁ ବରଦାସ୍ତ କରାଯିବ ନାହିଁ ତତ୍‌ ସହ ପ୍ରସଙ୍ଗକୁ ଗମ୍ଭୀରତାର ସହ ଗ୍ରହଣ କରି ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ସମସ୍ତ ଷ୍ଟେକ ହୋଲ୍‌ଡର ଓ ବିଭାଗୀୟ ଅଧିକାରୀକୁ କଡା ଚେତାବନୀ ଦିଆଯାଇଛି । ଏହି ବୈଠକରେ ସୁବର୍ଣ୍ଣପୁର ପିଡି, ଡିଆରଡିଏ, ନିହାର ରଞ୍ଜନ କଁହର, ଉପଜିଲ୍ଲାପାଳ, ବ୍ଲକ ଅଧ୍ୟକ୍ଷ ତରଭା ସରୋଜ କମ୍ପ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ତରଭା (ଭାରପ୍ରାପ୍ତ) ନିରଞ୍ଜନ ନାୟକ, ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ମଧୁ ସୁଦନ ପ୍ରଧାନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଗୌରମଣୀ ହାଁସଦା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ, ଜିଲ୍ଲା ବାଲ୍ୟ ବିବାହ ପରାମର୍ଶ ଦାତା ଏକ୍ସନ ଏଡ଼ ରାକେଶ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ସମସ୍ତ ସିଡିପିଓ, ସୁପରଭାଇଜର ତଥା ତରଭା ବ୍ଲକ ଅନ୍ତର୍ଗତ ସମସ୍ତ ସରପଞ୍ଚ, ଏନଏସି ଅନ୍ତର୍ଗତ ସମସ୍ତ କାଉନସିଲର, ଜିପିଇଓ, ସ୍ଥାନୀୟ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ ପୂର୍ବକ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ନିଜ ନିଜ ସ୍ତରରେ ସଶକ୍ତ ଭାବେ ପଦକ୍ଷେପ ନେଇ କାର୍ଯ୍ୟ କରିବା ଉପରେ ମତାମତ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

2 × 5 =