ବଲାଙ୍ଗିର ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ : ସମ୍ଭାବ୍ୟ ବନ୍ୟା ଓ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳ ଚଂଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ବଲାଙ୍ଗିର ବିଧାୟକଙ୍କ ପ୍ରତିନିଧି ମନିଷ କୁମାର ମିଶ୍ର, ଲୋଇସିଂହା ବିଧାୟକଙ୍କ ପ୍ରତିନିଧି ଦେବୀଲାଲ ମିଶ୍ର, ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷା ଲିକା ସାହୁ, କଂଟାବାଂଜି ଏନ୍‌ଏସିର ଅଧ୍ୟକ୍ଷ ବରିୟମ ସିଂ ସାଲୁଜା, ତୁଷୁରା ଏନ୍‌ଏସିର ଅଧ୍ୟକ୍ଷ ଅଜୟ ଜୟଶ୍ୱାଲ, ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲୀପ କୁମାର ପଟେଲ, ପିଡ଼ି ଡିଆରଡ଼ିଏ ସୁଶାନ୍ତ କୁମାର ସିଂ, ପିଡ଼ି ଡ଼ୁଡ଼ା ସୁଦର୍ଶନ ସାଏ, ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ପାଟଣାଗଡ଼ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡ଼ିଓ, ତହସିଲଦାର, ଅଗ୍ନିଶମ ଏବଂ ଓଡ୍ରାଫ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ଏବଂ ବନ୍ୟା, ବାତ୍ୟାର ମୁକାବିଲା ନିମନ୍ତେ ଆଗୁଆ ପଦକ୍ଷେପ ନେବା ସହ ଏହାର ସୁପରିଚାଳନା ନିମନ୍ତେ ବିଭାଗୀୟ ଅଧିକାରୀ ତଥା କ୍ଷେତ୍ର କର୍ମଚାରୀମାନେ ସଜାଗ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲାଗୁରୀ ବୈଠକରେ ଆଲୋଚ୍ୟ ବିଷୟବସ୍ତୁ ଉପସ୍ଥାପନ କରିଥିଲେ । ବୈଠକର ନିଷ୍ପତ୍ତି ପ୍ରକାରେ ଜୁନ୍‌ ମାସ ୧ ତାରିଖ ଠାରୁ ଅକ୍ଟୋବର ୩୧ ତାରିଖ ପର୍ୟ୍ୟନ୍ତ ଜିଲ୍ଲା କାର୍ୟ୍ୟାଳୟ, ଉପଜିଲ୍ଲାପାଳ କାର୍ୟ୍ୟାଳୟ, ସମସ୍ତ ବ୍ଲକ, ତହସିଲ ଓ ଜରୁରୀ ସେବା ଯୋଗାଉଥିବା କାର୍ୟ୍ୟାଳୟ ଗୁଡ଼ିକରେ କଂଟ୍ରୋଲ ରୁମ୍‌ ଖୋଲାଯିବ । ଜିଲ୍ଲାର ବନ୍ୟା ପ୍ରବଣ ଅଂଚଳ ତଥା ତଳି ଅଂଚଳ ଗୁଡ଼ିକରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିରେ ଜନସାଧାରଣଙ୍କୁ ଉଦ୍ଧାର ଓ ଥଇଥାନ କରିବା ନିମନ୍ତେ ଅସ୍ଥାୟୀ ଆଶ୍ରୟ ସ୍ଥଳୀ ଗୁଡ଼ିକ ଚିହ୍ନଟ କରି ପ୍ରସ୍ତୁତ କରି ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ପାଣି ଜମି ରହୁଥିବା ସ୍ଥାନ ଗୁଡ଼ିକ ଚିହ୍ନଟ କରି ଯଥାଶୀଘ୍ର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା, ବର୍ଷା ପୂର୍ବରୁ ସମସ୍ତ ନାଳଗୁଡ଼ିକୁ ସଫା କରିବା, ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ଲକ୍ଷ୍ମୀଜୋରର ସଫେଇ କାର୍ୟ୍ୟକୁ ତ୍ୱରାନ୍ୱିତ କରି ଯଥାଶୀଘ୍ର ସଂପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜଳଯୋଗାଣକୁ ସୁବନ୍ଦୋବସ୍ତ କରିବା ସହ ନିୟମତ ସମୟ ବ୍ୟବଧାନରେ ସମସ୍ତ ନଳକୂପ, ପାଇପ୍‌ ଜଳ ଯୋଗାଣ, କୂପ ଇତ୍ୟାଦିକୁ ବିଶୁଦ୍ଧିକରଣ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଜିଲ୍ଲାରେ ଥିବା ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଜିଲ୍ଲା ଓ ଉପଖଣ୍ଡ ଚିକିତ୍ସାଳୟ ଗୁଡ଼ିକରେ ଆବଶ୍ୟକ ପରିମାଣର ଔଷଧ, ହାଲୋଜେନ ବଟିକା ଓ ବ୍ଲିଚିଂ ପାଉଡ଼ର ଇତ୍ୟାଦି ମହଜୁଦ କରି ରଖିବା ସହ ପରିମଳ ନିମନ୍ତେ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏତଦ୍‌ବ୍ୟତୀତ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ସାପ କାମୁଡ଼ା ଇଂଜେକ୍ସନ ଉପଲବ୍ଧ କରିବା ଉପରେ ସେ ସିଡ଼ିଏମ୍‌ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମ୍ଭାବ୍ୟ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରାଣୀ ସଂପଦର ସୁରକ୍ଷା ନିମନ୍ତେ ଆଗୁଆ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବା ସହ ପର୍ଯ୍ୟାପ୍ତ ପରିମାଣରେ ଆବଶ୍ୟକ ଔଷଧ ମହଜୁଦ କରି ରଖିବାକୁ ସିଡ଼ିଭିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ବିଭିନ୍ନ ଜଳସେଚନ ପ୍ରକଳ୍ପ ଓ ନଦୀବନ୍ଧଗୁଡ଼ିକର ବନ୍ୟାପ୍ରବଣ ସ୍ଥାନ ଚିହ୍ନଟ କରି ଆବଶ୍ୟକ ପ୍ରତିକାର ଗ୍ରହଣ କରିବା ଓ ପର୍ଯ୍ୟାପ୍ତ ପରିମାଣରେ ବାଲିବସ୍ତା ମହଜୁଦ୍‌ କରି ରଖିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବନ୍ୟାପ୍ରବଣ ଅଂଚଳ ଏବଂ ଦୁର୍ଗମ ଅଂଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଚୁଡ଼ା, ଚାଉଳ, କିରୋସିନ, ଦିଆସିଲି, ମହମବତୀ ଇତ୍ୟାଦି ସାମଗ୍ରୀ ଯଥେଷ୍ଟ ପୂର୍ବରୁ ମହଜୁଦ କରି ରଖିବା, ଗ୍ରାମାଂଚଳ ତଥା ସହରାଂଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ତଥା ପରିମଳ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା, ପୌର ପରିଷଦ ଏବଂ ଏନ୍‌ଏସି ଅନ୍ତର୍ଗତ ସମସ୍ତ ୱାର୍ଡ, ବସ୍ତିରେ ଥିବା ନାଳ ଗୁଡ଼ିକୁ ଯଥାଶୀଘ୍ର ସଫେଇ କରିବାକୁ ଆଶୁ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏତଦ୍‌ବ୍ୟତୀତ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା, ବାତ୍ୟାର ମୁକାବିଲା ନିମନ୍ତେ ବିଭିନ୍ନ ବିଭାଗର ପ୍ରସ୍ତୁତି ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ବୈଠକ ଶେଷରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରୀନା କୁମାରୀ ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

ten + 13 =