pakka

ସୁବର୍ଣ୍ଣପୁର ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ

bbehera
  • ଜିଲ୍ଲାରେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱାରୋପ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସୁପାର ଠେଲାଙ୍କ ଅଧ୍ୟତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ୍ ମିଞ୍ଜ୍, ଉପଜିଲ୍ଲାପାଳ ସୋନପୁର ଓ ବୀରମହାରାଜପୁର, ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ ମ୍ୟୁନିସିପାଲିଟି, ବିଜ୍ଞାପିତ ଅଞ୍ଚଳ ପରିଷଦ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ । ଜିଲ୍ଲା ଜରୁରୀକାଳୀନ ଶାଖା ଦ୍ଵାରା ଆହୂତ ଏହି ସଭାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡା ପୂର୍ବ ପ୍ରସ୍ତୁତ କାର୍ଯ୍ୟ ଖସଡା ଅନୁସାରେ ପ୍ରତ୍ୟେକଟି ବିନ୍ଦୁ ଉପର ବିଷଦ ଭାବରେ ଆଲୋଚନା କରି ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କ ମତାମତ ନେଇଥିଲେ । ସେ ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସହଯୋଗ ରକ୍ଷା ପୂର୍ବକ କାର୍ଯ୍ୟ କରିବା ସହ ଜିଲ୍ଲାରେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି । ବୈଠକରେ ବିଭିନ୍ନ ଅଧିକାରୀ ଆସନ୍ନ ବନ୍ୟା ମୁକାବିଲା ପାଇଁ କିପରି ପ୍ରସ୍ତୁତ ଅଛନ୍ତି ସେ ବିଷୟରେ ଗୃହକୁ ଅବଗତ କରାଇଥିଲେ । ବିଶେଷ ଭାବେ କାର୍ଯ୍ୟ ନିର୍ବାହୀଯନ୍ତ୍ରୀ ଏମ୍‌ଆଇ, କାର୍ଯ୍ୟ ନିର୍ବାହୀଯନ୍ତ୍ରୀ ତେଲ ଡିଭିଜନ ପ୍ରକଳ୍ପ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ନଦୀକୂଳରେ ଥିବା ସମସ୍ତ ଘାଇ, ନଦୀ ଆଡିବନ୍ଧ ଗୁଡିକ ଯାଞ୍ଚ କରି ଦୁର୍ବଳ ଘାଇ ଓ ବିପଦ ସଂକୁଳ ପଠା ଗୁଡିକୁ ସୁଦୃଢ କରିବା ପାଇଁ ନିର୍ଦ୍ଦେଶ ଦିଆଗଲା । ସେହିପରି ସହରାଞ୍ଚଳରେ ଥିବା ବିଭିନ୍ନ ନାଳ ନର୍ଦ୍ଦମା ଗୁଡିକ ଆବଶ୍ୟକ ମରାମତି ଓ ସଫା କରିବା ପାଇଁ ବୈଠକରେ ପରାମର୍ଶ ଦିଆଯାଇଛି । ଜିଲ୍ଲାର ବନ୍ୟା ପ୍ରବଣ ଅଞ୍ଚଳରେ ଅଗ୍ରୀମ ଶୁଖୁଲା ଖାଦ୍ୟ ତଥା ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ଏତଦ୍‌ବ୍ୟତୀତ ଜିଲ୍ଲାର ବିଭିନ୍ନ ବନ୍ୟା ସମ୍ବେଦନଶୀଳ ଅଂଚଳ ରେ ପାୱାର ବୋଟ ଏବଂ ଦେଶି ଡଙ୍ଗା ମହଜୁଦ ରଖିବା ପାଇଁ ଉପଜିଲ୍ଲାପାଳ ମାନଙ୍କୁ ଧ୍ୟାନ ଦେବା ପାଇଁ କୁହାଯାଇଛି । ଜିଲ୍ଲାରେ ଥିବା ୬ ଗୋଟି ବନ୍ୟା ଆଶ୍ରୟସ୍ଥଳୀ ଯେପରି ବନ୍ୟା ସମୟରେ ସମ୍ପୂର୍ଣ୍ଣ ଉପଯୋଗ ହୋଇପାରିବ ସେଥିପାଇଁ ସେ ସଂପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଆବଶ୍ୟକ ସ୍ଥଳେ ସ୍ଥାନୀୟ ସ୍କୁଲ ଗୃହ ଓ ୱେର ହାଉସକୁ ଉପଯୋଗ କରାଯିବାକୁ ନିର୍ଦେଶ ଦିଆଯାଇଛି । ଜୁନ ୧ ତାରିଖଠାରୁ ଜିଲ୍ଲାରେ ୨୪ ଘଣ୍ଟିଆ କନ୍‌ଣ୍ଟ୍ରୋଲ ରୁମ୍‌ ଚାଲୁ ରହିବ ଏବଂ ଏହା ସହିତ ସମସ୍ତ ବ୍ଲକ୍, ତହସିଲ, ଥାନା ସହ ଯୋଗାଯୋଗ ପୂର୍ବକ ସମ୍ପୂଣ୍ଣ କାର୍ଯ୍ୟକ୍ଷମ ଉପରେ ଗୁରୁତ୍ୱାରୋପ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜିଲ୍ଲା ପଶୁ ସମ୍ପଦ ଅଧିକାରୀଙ୍କୁ ବନ୍ୟା ପୂର୍ବରୁ ଆବଶ୍ୟକୀୟ ଔଷଧ ଏବଂ ଗୋଖାଦ୍ୟ ମହଜୁଦ ରଖିବା ପାଇଁ କୁହାଯାଇଛି । ପିଏଚ୍‌ଡି ଓ ଆର୍‌ଡବ୍ଲୁଏସ୍‌ଏସ୍‌ ବିଭାଗ ତରଫରୁ ବନ୍ୟା ଓ ବନ୍ୟା ପରବର୍ତ୍ତୀ ସମୟରେ ପିଇବା ପାଣିକୁ ଜନସାଧାରଣଙ୍କ ନିମନ୍ତେ ଉପଲବ୍ଧ କରାଇବା ଉପରେ ନିର୍ଦେଶ ଦିଆଯିବା ସହ ଆଶ୍ରୟ ସ୍ଥଳ ନିକଟରେ ନଳକୂପ ଖନନକୁ ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି । ପୁନଶ୍ଚ କାର୍ଯ୍ୟକ୍ରମଗୁଡିକୁ ସୁନିଶ୍ଚିତ ଓ ବ୍ୟବସ୍ଥିତ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ସରଜମୀନ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଉପରେ ବୈଠକରେ ଆଲୋଚନା କରାଯାଇଛି । ଆସନ୍ନ ବନ୍ୟା ସମୟରେ ପାଣିପାଗ ସମ୍ବନ୍ଧୀୟ ଆଗୁଆ ସୂଚନା ଜନସାଧାରଣଙ୍କୁ ଜଣାଇ ଦେବା ପାଇଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ବିଡିଓମାନେ ପଦକ୍ଷେପ ନେବେ ଓ ଏଥିରେ ସମସ୍ତ ସାମ୍ବାଦିକ ସହଯୋଗ କରିବା ପାଇଁ ଅନୁରୋଧ କରାଗଲା । ପ୍ରତିକୂଳ ପରିସ୍ଥିତିରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବିଦ୍ୟୁତ ବିଭାଗ ପଦକ୍ଷେପ ନେବେ । ବନ୍ୟା ପରବର୍ତ୍ତୀ ପରିସ୍ଥିତିରେ କୃଷକ ମାନଙ୍କୁ ଆବଶ୍ୟକୀୟ ବିହନ, କୀଟନାଶକ ଓ କୃଷି ସମ୍ୱନ୍ଧୀୟ ବିଶେଷ ସୂଚନା ଜିଲ୍ଲା କୃଷି ଅଧିକାରୀ ଯୋଗାଇ ଦେବେ ଏବଂ ସମସ୍ତ କୃଷି ଫସଲର ବୀମାକରଣ ପାଇଁ ପଦକ୍ଷେପ ନେବେ । ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ସଂକଟ ସମୟରେ ସମସ୍ତ ରାଜନୈତିକ ପଦାଧିକାରୀ ତଥା ସରପଞ୍ଚମାନଙ୍କ ସହଯୋଗ କାମନା କରାଯାଇଥିଲା । ସାମ୍ପ୍ରତିକ ପରିସ୍ଥିତିରେ ଦିଲ୍ଲୀ ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ଅଗ୍ନିକାଣ୍ଡରୁ ରକ୍ଷା ପାଇବା ପାଇଁ ସୋନପୁର ଅଗ୍ନିଶମ ଅଧିକାରୀ ବିଭିନ୍ନ ରକ୍ଷାତ୍ମକ କୌଶଳ ଉପରେ ଆଲୋକପାତ କରି ନିଆଁକୁ କିପରି ସହଜରେ ଆୟତ୍ତ କରାଯାଇ ପାରିବ ତା’ ଉପରେ ବିଭାଗ ତରଫରୁ ଡେମୋ ପ୍ରଦର୍ଶନ କରାଯାଇଥିଲା । ଶେଷରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଇପ୍ସିତା ମିଶ୍ର ସମସ୍ତଙ୍କ ସହଯୋଗ କାମନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

16 − five =