pakka

ବଲାଙ୍ଗିର ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ : ଲୋୟର ସୁକତେଲ ନିମନ୍ତେ ତ୍ୱରିତ ଜମି ଅଧିଗ୍ରହଣ ପାଇଁ ନିର୍ଦ୍ଦେଶ

bbehera
  • ଦାଖଲ ଖାରଜ ଓ ଘରବାଡି କେସର ତୁରନ୍ତ ଫଇସଲା ପାଇଁ ନିର୍ଦ୍ଦେଶ, ମୁରିବାହାଲ, କଣ୍ଟାବାଞ୍ଜି, ବଙ୍ଗମୁଣ୍ଡା ତହସିଲଦାରଙ୍କୁ କଡା ତାଗିଦ
  • ବେବନ୍ଦୋବସ୍ତ କେଶର ତ୍ୱରିତ ଫଇସଲା ହେବ, ଟିଟିଲାଗଡ଼, ବଙ୍ଗମୁଣ୍ଡା ଓ ସଇଁତଲା ତହସିଲଦାରଙ୍କଠାରୁ ରିପୋର୍ଟ ତଲବ
  • ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ରୋକିବାକୁ ନୂତନ ଲଘୁ ଖଣିଜ ଉତ୍ସକୁ କାର୍ୟ୍ୟକ୍ଷମ କରିବାକୁ ନିର୍ଦ୍ଦେଶ
  • ବଲାଙ୍ଗିର ଜିଲ୍ଲାର ସମସ୍ତ ୫ଟି ଉଚ୍ଚ ବିଦ୍ୟାଳୟକୁ ମେ ୩୧ ସୁଦ୍ଧା ଜମି ପଟ୍ଟା ବଣ୍ଟନ
  • ନୂତନ ରାଜସ୍ୱ ନିରୀକ୍ଷକଙ୍କ କାର୍ୟ୍ୟାଳୟ ନିର୍ମାଣ ଆସନ୍ତା ଏକ ବର୍ଷ ମଧ୍ୟରେ ସମ୍ପୂର୍ଣ ହେବ
  • ନିବନ୍ଧନ କାର୍ଯ୍ୟାଳୟରେ ଅଧିକ ସ୍ୱଚ୍ଛତା ଉପରେ ଗୁରୁତ୍ୱ
  • ଜଳ ଜୀବନ ମିଶନରେ ମେଗା ପାଇପ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ସାତ ଦିନ ମଧ୍ୟରେ ଜାଗା ଦିଆଯିବା ଉପରେ ଗୁରୁତ୍ୱ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ରାଜସ୍ୱ ସମୀକ୍ଷା ବୈଠକ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଭାସୀ ବୈଠକରେ ବିଭାଗର ବହୁ ବରିଷ୍ଠ ଅଧିକାରୀ, ଆଇ ଜି ଆର, ଭୂ ଅଭିଲେଖ ଓ ସର୍ବେକ୍ଷଣ ସଂସ୍ଥାର ନିର୍ଦ୍ଦେଶକ, ଏନ୍‌ ଆଇ ସିର ବରିଷ୍ଠ ଅଧିକାରୀ, ବଲାଙ୍ଗିର ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ଜମି ଗ୍ରହଣ ଅଧିକାରୀ, ସ୍ୱତନ୍ତ୍ର ଜମି ଗ୍ରହଣ ଅଧିକାରୀ, ତହସିଲଦାର ତଥା ଅନ୍ୟାନ୍ୟ କ୍ଷେତ୍ରାଧିକାରୀମାନେ ଯୋଗ ଦେଇଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତହସିଲ ଓ ନିବନ୍ଧନ କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ଜନସାଧାରଣଙ୍କୁ ସମ୍ମାନ ସହିତ ସେମାନଙ୍କର ଅଭିଯୋଗ ଶୁଣାଣି ଓ ଅଭିଯୋଗ ଉପରେ ତୁରନ୍ତ ନ୍ୟାୟୋଜିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଲେ । ଏହି ସମୀକ୍ଷା ବୈଠକରେ ସମସ୍ତ ଅଧିକାରୀମାନଙ୍କୁ ନିଜ ଓ ନିଜ ଅଧିନସ୍ଥ କାର୍ଯ୍ୟାଳୟମାନଙ୍କରେ ଅଧିକ ସ୍ୱଚ୍ଛତା ଆଣିବା ପାଇଁ ନିର୍ଦ୍ଦେଶ ଦିଆଗଲା । ଜନସାଧାରଣଙ୍କୁ ଆଇନ ଅନୁଯାୟୀ ଦାଖଲ ଖାରଜ ଓ ଘରବାଡି ପଟ୍ଟା ସେବା ତ୍ୱରିତ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଗଲା । ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୁରିବାହାଲ, କଣ୍ଟାବାଞ୍ଜି, ବଙ୍ଗମୁଣ୍ଡା ତହସିଲଦାରଙ୍କୁ ସାତ ଦିନ ମଧ୍ୟରେ ସମସ୍ତ ଦାଖଲ ଖାରଜ ମାମଲା ସମ୍ପୂର୍ଣ୍ଣ କରି ଜନସାଧାରଣଙ୍କୁ ଠିକ ସମୟରେ ପଟ୍ଟା ଦେବାକୁ ନିର୍ଦ୍ଦେଶ ଦେଲେ । ସେହିପରି ଟିଟିଲାଗଡ଼, ବଙ୍ଗମୁଣ୍ଡା ଓ ସଇଁତଲା ତହସିଲଦାରଙ୍କୁ ଆସନ୍ତା ଜୁଲାଇ ୩୦ ତାରିଖ ମଧ୍ୟରେ ସମସ୍ତ ବନ୍ଦୋବସ୍ତ କେସ୍‌ର ଫଇସଲା କରିବାକୁ ନିର୍ଦ୍ଦେଶ ଦେଲେ । ବଲାଙ୍ଗିର ଜିଲ୍ଲାରେ ୨୧୧ ଲଘୁ ଖଣିଜ ଉତ୍ସରୁ ମାତ୍ର ୧୨୮ ଲଘୁ ଖଣିଜ ଉତ୍ସ କାର୍ୟ୍ୟକ୍ଷମ ହୋଇଛି ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବଶିଷ୍ଟ ଲଘୁ ଖଣିଜ ଉତ୍ସକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଲେ । ସମସ୍ତ ଲଘୁ ଖଣିଜ ଉତ୍ସକୁ କାର୍ଯ୍ୟକ୍ଷମ କିମ୍ବା ଲଘୁ ଖଣିଜ ଉତ୍ସରୁ ସମସ୍ତ ଲଘୁ ଖଣିଜ ସମ୍ପଦ ସମାପ୍ତ ହୋଇଥିଲେ ତାକୁ ଆଇନ ଅନୁଯାୟୀ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲୋଇସିଂହା, ଟିଟିଲାଗଡ ଓ ଦେଓଗାଁ ତହସିଲଦାରଙ୍କୁ ସେମାନଙ୍କ ତହସିଲର ଅଧିକ ଲଘୁ ଖଣିଜ ଉତ୍ସକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଲେ । ସମସ୍ତ କ୍ଷେତ୍ରାଧିକାରୀଙ୍କୁ ଲଘୁ ଖଣିଜ ସମ୍ପଦରୁ ରାଜସ୍ୱ ଆଦାୟ ଉପରେ ଗୁରୁତ୍ୱାରୋପ କରିବାକୁ ନିର୍ଦ୍ଦେଶ ଦିଆଗଲା । ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ତହଦିଲଦାରମାନଙ୍କୁ ଲଘୁ ଖଣିଜ ଚୋରା ଚାଲାଣ ସମୟରେ ଚଢାଉ ବେଳେ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦିଆଗଲା । ତହସିଲଦାରମାନଙ୍କୁ ପୋଲିସ ସହ ଭଲ ସମ୍ମନ୍ୱୟ ରକ୍ଷା କରି ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ରୋକିବା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଥିଲା । ଅତିରିକ୍ତ ମୁଖ୍ୟ ଶାସନ ସଚିବ କୌଣସି ସରକାରୀ ପ୍ରକଳ୍ପ ଯଥା ରେଳବାଇ, ଜାତୀୟ ରାଜପଥ ଓ ଜଳ ସେଚନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ବିଳମ୍ବ ନ କରିବାକୁ ସମସ୍ତ ଜମି ଅଧିଗ୍ରହଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ । ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ ଓ ଖୋର୍ଦ୍ଧା ରୋଡ୍‌ ବଲାଙ୍ଗିର ରେଳପଥ ନିମନ୍ତେ ତ୍ୱରିତ ଜମି ଅଧିଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଆଯାଇଥିଲା । ସମସ୍ତ ସରକାରୀ ପ୍ରକଳ୍ପରେ ଜମି ଅଧିଗ୍ରହଣ କରି ଦାଖଲ ଖାରଜ ମାମଲାରେ ପଟ୍ଟା ସଂଶୋଧନ କରି ଜମି ହସ୍ତାନ୍ତରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସମସ୍ତ ୫ଟି ଉଚ୍ଚ ବିଦ୍ୟାଳୟକୁ ମେ’ ୧୫ ସୁଦ୍ଧା ସଂଶୋଧିତ ଜମି ପଟ୍ଟା ଦେବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏତଦ ବ୍ୟତୀତ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନମାନଙ୍କୁ ମେ’ ୧୫ ସୁଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ତତ୍ୱାବଧାନରେ ଜମି ପଟ୍ଟା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ନୂତନ ରାଜସ୍ୱ ନିରୀକ୍ଷକ ମାନଙ୍କ ପାଇଁ ବାସଭବନ ତଥା କାର୍ଯ୍ୟାଳୟ ନିର୍ମାଣ ଦିଗରେ ଜାଗା ଚିହ୍ନଟ କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମୂଲ୍ୟବାନ ସରକାରୀ ଜମିକୁ ସୁରକ୍ଷା ଓ ସଂରକ୍ଷଣ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏହିପରି ନିୟମିତ ସମୀକ୍ଷା ବୈଠକ କରାଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରାଥମିକତା ଉପରେ ଗୁରୁତ୍ୱାରୋପ କରି ବିଭିନ୍ନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଏହିପରି ଆଭାସୀ ରାଜସ୍ୱ ସମୀକ୍ଷା ବୈଠକ ନିୟମିତ ବ୍ୟବଧାନରେ ପ୍ରତ୍ୟେକ ଜିଲ୍ଲା ସହ ଅନୁଷ୍ଠିତ ହେବ ।

Leave A Reply

Your email address will not be published.

nineteen − two =