ବୌଦ୍ଧ ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ଆଦର୍ଶ ଆଚରଣ ବିଧି ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବୌଦ୍ଧ, (ବଂଶୀଧର ମାଝୀ) : ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଗତକାଲି ଅପରାହ୍ନ ୪ ଘଟିକା ସମୟରେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ଉପଲକ୍ଷେ ସମସ୍ତ ରାଜନୈତିକ ଦଳମାନେ ଆଦର୍ଶ ଆଚରଣ ବିଧି ପାଳନ କରିବା ସଂପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଅଧ୍ୟକ୍ଷତା କରିବା ସହିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ବାଚନରେ ସମସ୍ତ ମାର୍ଗଦର୍ଶିକା ହିସାବରେ ନିୟମ ମାନି ଶୃଙ୍ଖଳାର ସହ ନିର୍ବାଚନ ପ୍ରକ୍ରିୟା ଶେଷ କରିବା ପାଇଁ ସବୁ ରାଜନୈତିକ ଦଳର ସହଯୋଗ କାମନା କରିଥିଲେ । ଏଥିସହିତ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଆଦର୍ଶ ଆଚରଣ ବିଧି ପାଳନ କରି ନିର୍ବାଚନ କାର୍ଯ୍ୟରେ ସହଯୋଗ କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଅନୁରୋଧ କରିଥିଲେ । ନିର୍ବାଚନ ପର୍ଯ୍ୟବେକ୍ଷକ ତୁଷାରକାନ୍ତ ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରି ନିଜ ନିଜ ମୂଲ୍ୟବାନ ଜୀବନର ସୁରକ୍ଷା ଓ ସତର୍କତାର ସହ କୋଭିଡ ନିୟମ ପାଳନ କରି ନିର୍ବାଚନ କାର୍ଯ୍ୟ ସୁରୁଖୁରୁରେ ସମାପନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପ୍ରାର୍ଥୀ କରୋନା ଆକ୍ରାନ୍ତ ଥିଲେ ନିର୍ବାଚନ ପ୍ରଚାରରେ ନଯାଇ ତାଙ୍କର ୫ଜଣ ସମର୍ଥକଙ୍କ ଜରିଆରେ ନିର୍ବାଚନ ପ୍ରଚାର କାର୍ଯ୍ୟ କରିପାରିବେ । ସାମାଜିକ ଓ ବୈଦ୍ୟୁତିକ ଗଣମାଧ୍ୟମ ମାଧ୍ୟମରେ ପ୍ରଚାର କରାଯାଇପାରିବ । ପଦଯାତ୍ରା, ରୋଡସୋ, ସାଇକେଲ ଶୋଭାଯାତ୍ରା, ଯାନବାହାନ ଶୋଭାଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ । ନିର୍ବାଚନ ଗଣତି ପରେ ପ୍ରାର୍ଥୀଙ୍କ ସହ ଦୁଇଜଣ ପ୍ରାର୍ଥୀ ଶୋଭାଯାତ୍ରା କରିପାରିବେ । ୨୫ ତାରିଖ ଅପରାହ୍ନ ୩ ଘଟିକା ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇ ପାରିବ ବୋଲି ଉପଖଣ୍ଡ ପଞ୍ଚାୟତ ଅଧିକାରୀ ଲକ୍ଷ୍ମଣ ଓରାମ ସୂଚନା ପ୍ରଦାନ କରିଥିଲେ । ସମସ୍ତ ସ୍ଥାନରୁ ସରକାରଙ୍କ ପ୍ରଚାର ପ୍ରସାର ହୋଡିଂ ଉଠାଯିବା ସହିତ ଆଦର୍ଶ ଆଚରଣ ବିଧିକୁ କଡାକଡି ଭାବରେ ପାଳନ କରାଯିବା ନିମନ୍ତେ ବିଡିଓ ଏବଂ ତହସିଲଦାରମାନଙ୍କୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ସର୍ବଶେଷରେ ଜିଲ୍ଲାପାଳ ସମସ୍ତ ରାଜନୈତିକ ଦଳମାନଙ୍କର କର୍ମକର୍ତ୍ତା ଏବଂ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ କିପରି ଶାନ୍ତି ଶୃଙ୍ଖଳା ସହିତ ସମାପନ ହୋଇପାରିବ ସେଥିପାଇଁ ସହଯୋଗ କାମନା କରିଥିଲେ । ଉକ୍ତ ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱନୀ କୁମାର ମେହେର, ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ରାଉତ, ଉପଜିଲ୍ଲାପାଳ ସନତ କୁମାର ନାଏକ, ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ଦାଶ, ଗୋଷ୍ଠୀ ଉନ୍ନୟନ ଅଧିକାରୀ କଣ୍ଟାମାଳ କଳାକୃଷ୍ଣ ପ୍ରଧାନ, ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆ, ତହସିଲଦାର କଣ୍ଟାମାଳ ରୀନା ପ୍ରଧାନଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ବିଜେଡି ପକ୍ଷରୁ ଜିଲ୍ଲା ବିଜେଡି ସଂପାଦକ ଶିତାଂଶୁ ଶେଖର ମହାକୁଳ, ବିଜେପି ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି ଓ କଂଗ୍ରେସର ଜିଲ୍ଲା ସଂପାଦକ ପୌଲସ୍ତି ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।

Leave A Reply

Your email address will not be published.

10 + 12 =

error: Content is protected !!