ବୌଦ୍ଧ ଜିଲ୍ଲାରେ ତୃତୀୟ ଲହର ଓମିକ୍ରନ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାରେ ତୃତୀୟ ଲହର ଓମିକ୍ରନର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ତୃତୀୟ ଲହର ଓମିକ୍ରନର ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଥିଲା । ଜିଲ୍ଲାରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜେନେରେଟର, ବିଦ୍ୟୁତ, ପଙ୍ଖା, ସିସିଟିଭି, ଇଣ୍ଟରକମ୍‌, ଶୌଚାଳୟ, ପାନୀୟଜଳ, ସାନିଟାଇଜର ଓ ମାସ୍କ ଆଦି ପର୍ଯ୍ୟାପ୍ତ ପରିମାଣରେ ପ୍ରସ୍ତୁତ ରଖିବାକୁ ବୈଠକରେ ଆଲୋଚନା କରାଯାଇଥିଲା । ଯେଉଁମାନେ ବାହାରୁ ଆସୁଛନ୍ତି ସେମାନଙ୍କୁ ୭ ଦିନ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ଗ୍ରାମ କଲ୍ୟାଣ ସମିତି ଗୁଡିକ ଏଥିପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରତ୍ୟେକ ଗ୍ରାମର ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଗ୍ରାମକୁ ଫେରୁଥିବା ଲୋକଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିବା ସହିତ ସେମାନଙ୍କୁ ସଙ୍ଗରୋଧରେ ରହିବାକୁ କହିବେ । ସାଧାରଣଲୋକଙ୍କ ସଚେତନତାକୁ ବ୍ୟାପକ କରାଯିବା ସହିତ ବିଭିନ୍ନ ସ୍ଥାନରେ ହୁଡିଂ ଲଗାଇବା, ମୋବାଇଲ କ୍ୟାମ୍ପ, ଆର୍‌ଟିପିସିଆର୍‌ ପରୀକ୍ଷା, ଆଣ୍ଟିଜେନ ପରୀକ୍ଷା ଆଦି ଅଧିକରୁ ଅଧିକ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଧର୍ମାନୁଷ୍ଠାନ ଗୁଡିକରେ ଜନଗହଳି ନକରି ଲୋକମାନେ ଘରେ ପୂଜାପାଠ କରିବାକୁ ପରାମର୍ଶ ଦିଆଯାଇଥିଲା । ହୋଟେଲ ଗୁଡିକକୁ ଆସୁଥିବା ଲୋକମାନଙ୍କ ଆଣ୍ଟିଜେନ ପରୀକ୍ଷା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ପର୍ଯ୍ୟଟନ ସ୍ଥଳୀଗୁଡିକରେ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯିବା ସହିତ ବଣଭୋଜି ପାଇଁ ମଧ୍ୟ କଟକଣା ଜାରି କରାଯାଇଛି । ଯାତ୍ରୀବାହୀ ବସ୍‌ଗୁଡିକରେ କୋଭିଡ ନିୟମ ପାଳନ କରାଯିବାକୁ କଡାକଡି କରାଯିବା ସହିତ ମାଜିଷ୍ଟ୍ରେଟମାନେ ଯାତ୍ରୀବାହୀ ଗାଡିଗୁଡିକୁ ଅଟକାଇ ଯାଞ୍ଚ କରିବାକୁ ଓ ନିୟମ ପାଳନ ନକଲେ ଜୋରିମାନା ପକାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ଥାନା ଅଞ୍ଚଳରେ କଡାକଡି ଭାବରେ ମାସ୍କ ଯାଞ୍ଚକୁ କଡାକଡି କରାଯିବା ସହିତ ଯାତ୍ରୀମାନେ ମାସ୍କ ନଲଗାଇଲେ ପ୍ରଥମଥର ୨ ହଜାର ଟଙ୍କା ଓ ଦ୍ୱିତିୟଥର ଧରାପଡିଲେ ୫ ହଜାର ଟଙ୍କା ଜୋରିମାନା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ବିଡିଓ ନିଜ ବ୍ଲକରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ପ୍ରସ୍ତୁତ ରଖିବା ସହିତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆମ୍ବୁଲାନସ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ପୁର୍ତ୍ତ ବିଭାଗ, ଅଗ୍ନିଶମ ବିଭାଗ ଏବଂ ପୋଲିସ ବିଭାଗକୁ ନେଇ ଟିମ୍ ପ୍ରସ୍ତୁତ କରିବା ସହିତ ଏହି ଟିମ ବୁଲି ତୃତୀୟ ଲହର ମୁକାବିଲା ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ପ୍ରସ୍ତୁତି ଦେଖିବା ପରେ ଜଣାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବୌଦ୍ଧ ଏନ୍‌ଏସି ପକ୍ଷରୁ ଏହି ସମୟରେ ସହରର ପରିମଳ ବ୍ୟବସ୍ଥା ଠିକ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତୃତୀୟ ଲହର ସଂକର୍ପରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଗଣମାଧ୍ୟମ ସକ୍ରିୟ ଭାବରେ କାର୍ଯ୍ୟ କରିବାକୁ ବୈଠକରେ ଅନୁରୋଧ କରାଯିବା ସହିତ ଜିଲ୍ଲ।। ସୂଚନା ଓ ଲୋକସଂପର୍କ ଅଧିକାରୀ ଏ ସଂପର୍କିତ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାନ୍ତି, ଅତରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱନୀ କୁମାର ମେହେରା, ଉପଜିଲାପାଳ ସନତ କୁମାର ନାଏକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ, ତହସିଲଦାର ଅବିନାଶ ପାଣ୍ଡିଆ, ଏନଏସି ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା ଓ ସମସ୍ତ ବ୍ଲକର ବିଡିଓଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

14 + two =